ଇନୋଭା-ଅଟୋ ମୁହାଁମୁହିଁ, ମହିଳା ମୃତ

କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

ରାୟଗଡା: ୩୨୬ ନଂ ଜାତୀୟ ରାଜପଥର ଫୁଲକଣା ଛକ ନିକଟରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଇନୋଭା ଓ ଯାତ୍ରୀବାହୀ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ଦୁର୍ଘଟଣାରେ ଦ୍ରୌପଦୀ ଖରା(୫୫)ଙ୍କ ମୃତ୍ୟୁ ହୋଇଛି। ଏଥି ସହିତ ଇନୋଭା ଡ୍ରାଇଭର ଜି. ମାଲେଶ୍ବର ଓ ଅଟୋ ଡ୍ରାଇଭର ସିଦ୍ଧାନ୍ତ ହିଆଲ୍, ଟୁନା ହିଆଲ୍, ସୁଦେଷ୍ଣା ଖରା ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାଜପଥ ଅବରୋଧ କରିଥିବାରୁ ଅପରାହ୍ନ ୩ଟାରୁ ଖବର ଲେଖା ହେବା ପର୍ଯ୍ୟନ୍ତ (ରାତି ସାଢ଼େ ୯ଟା) ରାୟଗଡା-କୋରାପୁଟ ମଧ୍ୟରେ ଗାଡି ଚଳାଚଳ ବନ୍ଦ ରହିଛି। ରାୟଗଡା ଅତିରିକ୍ତ ଏସପି ଭି. ଆର୍ ରାଓ, ବିଡିଓ ରାଜେନ୍ଦ୍ର ମାଝୀଙ୍କ ସମେତ ପୁଲିସ୍, ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସଝା କରୁଛନ୍ତି। ଅପରାହ୍ନ ୩ଟାରେ ଇନୋଭା(ଏପି ୩୧ବିଏଚ୍-୨୨୨୨) ରାୟଗଡାରୁ କାଶୀପୁର ଏବଂ ଯାତ୍ରୀବାହୀ ଅଟୋ(ଓଆର୧୦ଜେ-୩୦୨୯) ଲକ୍ଷ୍ମୀପୁରରୁ ରାୟଗଡା ଅଭିମୁଖେ ଯାଉଥିଲା। ଫୁଲକଣା ଛକ ନିକଟରେ ଏକ ବୁଲାଣି ରାସ୍ତାରେ ଇନୋଭା ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣାରେ ଉଭୟ ଗାଡିର ସମ୍ମୁଖ ଭାଗ ଚୁରମାର ହୋଇଯାଇଥିବା ବେଳେ ଅଟୋରେ ବସିଥିବା ଦ୍ରୌପଦୀ ଖରାଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକମାନେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଇନୋଭା ଡ୍ରାଇଭର ଜି. ମାଲେଶ୍ବର ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ମୃତ ଦ୍ରୌପଦୀଙ୍କ ଘର ଲକ୍ଷ୍ମୀପୁର ବ୍ଲକର ବୁର୍ଜା ଗ୍ରାମରେ ହୋଇଥିବାରୁ ଖବର ପାଇ ଶତାଧିକ ଲୋକ ଘଟଣାସ୍ଥଳରେ ପହଞ୍ଚି ଶବ ରଖି କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରିଛନ୍ତି। ଅତିରିକ୍ତ ଏସପି ଭି. ଆର୍ ରାଓ, ଏସଡିପିଓ ତପନ କୁମାର ରଥ, ଟାଉନ୍ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ, ବିଡ଼ିଓ, ତହସିଲଦାର ପ୍ରମୁଖ ମୃତକଙ୍କ ପରିବାରକୁ ବୁଝାସଝା କରୁଥିଲେ ମଧ୍ୟ କ୍ଷତିପୂରଣ ନ ମିଳିବା ଯାଏଁ ରାସ୍ତା ରୋକ ହଟିବ ନାହିଁ ବୋଲି ଲୋକେ ଅଡି ବସିଥିବାରୁ ରାଜପଥରେ ଗାଡି ଚଳାଚଳ ଠପ୍ ହୋଇ ପଡିଛି। ତେଣୁ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିଲା। ତେବେ ବିଳମ୍ବିତ ରାତିରେ ରାସ୍ତା ଅବରୋଧ ହଟାଇବା ପାଇଁ ପୁଲିସ ପକ୍ଷରୁ ମୃଦୁ ଲାଠି ଚାଳନା ‌ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର