ଅଟୋକୁ ଧକ୍କା ଦେଇ ଓଲଟିଲା ଟ୍ରକ:ଜଣେ ମୃତ, ୬ ଆହତ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ରାୟଗଡା ରାସ୍ତାର ମୀନାପାଇ ଘାଟିରେ ଅଟୋକୁ ପଛପଟୁ ଧକ୍କା ଦେଇ ଟ୍ରକ ଓଲଟି ପଡି ଟ୍ରକ ହେଲପର ସୁନ୍ଦର ଗାଦବାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ସେହିପରି ଟ୍ରକ ଧକ୍କାରେ ଅଟୋରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୬ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। କୁଟୁଳି ଗ୍ରାମର ଲେଙ୍ଗୁ କୁଲେସିକା, କବିତା କୁଲେସିକା (ଗର୍ଭବତୀ ମହିଳା), ସାନ କୁଟୁଳି ଗ୍ରାମର ରାଜମି କାଡ୍ରାକା ଏବଂ ସିଆଡିମାଳ ଗ୍ରାମର କେଶ ମିଣିଆକା ଗୁରୁତର ଆହତ ହୋଇଥିବାରୁ କୋରାପୁଟ ମେଡିକାଲ କେଲଜ ସ୍ଥାନାନ୍ତର କରାଯାଇଛି। ବାରିଗାଁ ଗ୍ରାମର ବିରେନ୍ଦ୍ର ମାଝୀ ଓ ନବୀନା ମିଣିଆକା ସାମାନ୍ୟ ଆହତ ହୋଇଥିବାରୁ ଚିକିତ୍ସା ପରେ ଘରକୁ ଫେରିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ନନ୍ଦପୁର ଠାରେ ନୀଳଗିରି କାଠ ବୋଝେଇ କରି ଜେକେପୁର ଯାଉଥିବା ଟ୍ରକ (ଓଆର ୧୦ଜେ ୧୯୦୩) ଲକ୍ଷ୍ମୀପୁର ଠାରୁ ପ୍ରାୟ ୭କିମି ଦୂର ମୀନାପାଇ ଘାଟିର ସମଲାଇ ମନ୍ଦିର ନିକଟରେ ବ୍ରେକ ଫେଲ ହେବାରୁ ଆଗରେ ଥିବା ଅଟୋ (ଓଡି ୧୮ସି ୫୧୯୯)କୁ ପଛପଟୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱରେ ଓଲଟି ପଡିଥିଲା। ଫଳରେ ଟ୍ରକ ହେଲପର ସୁନ୍ଦର ଗାଦବା ଟ୍ରକ ତଳେ ଚାପି ହେବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ସ୍ଥଳରେ ଆହତମାନେ ପ୍ରାୟ ଘଣ୍ଟାଏ ଛଟପଟ ହେବା ପରେ ରାୟଗଡା ପଟୁ ଆସୁଥିବା ବଲେରୋ ଏବଂ ପୁଲିସ ଗାଡିରେ ଲକ୍ଷ୍ମୀପୁର ମେଡିକାଲରେ ଭର୍ତି କରାଯାଇଥିଲା।

ସେଠାରେ ଡାକ୍ତର କବିତା ସ୍ୱାଇଁ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ୪ଜଣଙ୍କୁ କୋରାପୁଟ ମେଡିକାଲ କଲେଜ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ମେଡିକାଲରେ ୧୦୮ଆମ୍ବୁଲାନସ ନଥିବାରୁ ହଟହଟା ହେବାକୁ ପଡିଥିଲା। ମେଡିକାଲ ଅଧିକାରୀ ଡାକ୍ତର ନବକିଶୋର କୁଣ୍ଡୁଙ୍କ ଉଦ୍ୟମକ୍ରମେ ଆହତଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା। ଲକ୍ଷ୍ମୀପୁର ପୁଲିସ ଦୁର୍ଘଟଣା ସଂପର୍କରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି। ସୂଚନାଥାଉକି ଲକ୍ଷ୍ମୀପୁର ମେଡିକାଲରେ ଦୀର୍ଘ ମାସ ଧରି ୧୦୮ ଆମ୍ବୁଲାନସ ଅଚଳ ହୋଇପଡିଥିବା ବେଳେ ଏହାର ସମାଧାନ ପାଇଁ ସ୍ୱାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ରୋଗୀଙ୍କୁ ମେଡିକାଲ ଆଣିବା କିମ୍ବା ଜରୁରି ସମୟରେ ରୋଗୀଙ୍କୁ ଅନ୍ୟ ମେଡିକାଲ ସ୍ଥାନାନ୍ତରରେ ସମସ୍ୟା ହେଉଛି।

ସମ୍ବନ୍ଧିତ ଖବର