ମା’ କୋଳରୁ ଶିଶୁ ପୁତ୍ରକୁ ଅପହରଣ :୧୮ଘଣ୍ଟା ପରେ କୂଅରୁ ଶବ ଉଦ୍ଧାର

ଟିକିରି: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ବାଲିଗୁଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ମା’ କୋଳରେ ଶୋଇଥିବା ୪୭ଦିନର ଶିଶୁ ପୁତ୍ର ଗତକାଲି ଅପରାହ୍ନରେ ହଠାତ୍‌ ଗାଏବ ହୋଇଯାଇଥିଲା। ଉଠିବା ପରେ ପୁଅକୁ ପାଖରେ ନଥିବା ମା ବ୍ୟସ୍ତବିବ୍ରତ ହୋଇ ପଡିଥିଲେ। ଘର ଚାରିପଟ ଓ ଗାଁ ସାରା ଖୋଜିବା ପରେ ମଧ୍ୟ ଶିଶୁଟିର ସନ୍ଧାନ ମିଳିପାରିନଥିଲା। ଆଜି ସକାଳେ ଘର ଅଗଣାରେ ଥିବା କୂଅରୁ କାଶୀପୁର ପୁଲିସ ଶିଶୁଟିର ଶବ ଉଦ୍ଧାର କରିଛି। ଶିଶୁଟିକୁ କେହି କୂଅରେ ଫୋପାଡି ଦେଇଥିବା ଏବଂ ଏହା ଏକ ହତ୍ୟାକାଣ୍ଡ ବୋଲି ଗ୍ରାମବାସୀ ଓ ପୁଲିସ ସନ୍ଦେହ କରୁଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି। ଅନ୍ୟପଟେ ଶିଶୁ ପୁତ୍ରକୁ ହରାଇବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି।
ସୂଚନା ଅନୁଯାୟୀ, ବାଲିଗୁଡା ଗ୍ରାମର ପ୍ରକାଶ ନାଏକ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ କୁନ୍ତେସ ଗ୍ରାମର ଲେଲି ଚେଟ୍ଟିଙ୍କ ଝିଅ ସୀମତିଙ୍କୁ ୨ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ପ୍ରାୟ ୪୭ଦିନ ତଳେ ସୀମତି କୋରାପୁଟ ମେଡିକାଲରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଗତକାଲି ମଧ୍ୟାହ୍ନ ସାଢେ ୧୨ଟାରେ ଶୋଇଥିବା ସୀମତିଙ୍କ କୋଳରୁ ଶିଶୁ ପୁତ୍ରକୁ କେହି ଅପହରଣ କରି ନେଇଥିଲା। ଅପରାହ୍ନ ପ୍ରାୟ ଗୋଟାଏରେ ନିଦରୁ ଉଠିବା ପରେ ପୁଅକୁ ଖୋଜିଥିଲେ। ଘର ଚାରିପଟ ଖୋଜାଖୋଜି କରିଥିଲେ ହେଁ ପୁଅକୁ ପାଇନଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇ ଗତକାଲି ସଂଧ୍ୟାରେ କାଶୀପୁର ଥାନାରେ ଏତଲା ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପରିବାର ଲୋକଙ୍କ ସମେତ ଅନ୍ୟ କିଛି ଲୋକଙ୍କୁ ପଚରାଉଚୁରା କରି ସନ୍ଧାନ ଆରମ୍ଭ କରିଥିଲା। ଆଜି ସକାଳେ ପୁଣି ଥରେ ପୁଲିସ ଗାଁରେ ପହଞ୍ଚି ଘର ଅଗଣାରେ ଥିବା କୂଅ ନିକଟରେ ଖୋଜାଖୋଜି କରିଥିଲା। ମୋଟର ଲଗାଇ କୂଅରୁ ପାଣି ବାହାର କରାଯିବା ପରେ ଶିଶୁଟିର ଶବ ଭିତରେ ପଡିଥିବା ଦେଖିବାକୁ ମିଳିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳଟି ଲୋକାରଣ୍ୟ ହୋଇଯାଇଥିଲା। ମାତ୍ର ୪୭ଦିନର ଶିଶୁର ଶବ କୂଅ ଭିତରୁ ଉଦ୍ଧାର ହେବା ପରେ କୌଣସି ବ୍ୟକ୍ତି ଶିଶୁଟିକୁ କୂଅ ଭିତରକୁ ଫୋପାଡି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଶବ ବ୍ୟବଚ୍ଛେଦ କରାଇ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏନେଇ କାଶୀପୁର ଥାନାରେ କେଶ୍‌ ନଂ-୩୭/୧୮ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଭୀମସେନ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର