ବାଇକ୍-ଲୁନା ମୁହାଁମୁହିଁ, ୨ମୃତ

ରାୟଗଡା/ଟିକିରି: କାଶୀପୁର ବ୍ଲକ୍ ଚମ୍ପାଯୋଡି କଫିବୋର୍ଡ ନିକଟରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଓ ଲୁନା ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଲିମଡା ଗ୍ରାମର ଗୋବିନ୍ଦ ଲହରା (୨୫) ଓ ସାନ ମାଟିକଣା ଗ୍ରାମର ପରୀକ୍ଷିତ ନାୟକ (୫୫)। ଦୁର୍ଘଟଣାରେ ଅନ୍ୟ ୪ ଜଣ ସୁନୀଲ ମାଝୀ, ଲମ୍ବୁ ମାଝୀ, ବିପିନ୍ ମାଝୀ ଓ ଅନନ୍ତ ନାୟକ ଗୁରୁତର ଆହତ ହୋଇଛନ୍ତି। ଅପରାହ୍ନ ସାଢ଼େ ୨ଟାରେ ଏକ ହିରୋହୋଣ୍ଡା ମଟର ସାଇକେଲ (ଓଡି ୧୮ବି-୪୧୯୩) ଯୋଗେ ଗୋବିନ୍ଦ ନିଜ ସହଯୋଗୀଙ୍କ ସହିତ କାଶୀପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ ଏକ ଲୁନା ଟିଭିଏସ୍ ଏକ୍ସଲ୍ (ଓଡି ୧୮ସି-୮୪୭୩)ରେ ପରୀକ୍ଷିତ ନାୟକ ଓ ଅନନ୍ତ ନାୟକ କାଶୀପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ କଫି ବୋର୍ଡ ନିକଟରେ ବାଇକ ଭାରସାମ୍ୟ ହରାଇବାରୁ ଲୁନା ସହ ମୁହାଁମୁହିଁ ଧକ୍କା ହୋଇଥି‌ଲା। ଘଟଣାସ୍ଥଳରେ ଗୋବିନ୍ଦ ଲହରାଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକଟାପନ୍ନ ପରୀକ୍ଷିତଙ୍କୁ କାଶୀପୁର ମେଡ଼ିକାଲରେ ଭର୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପରୀକ୍ଷିତଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟ ଗୁରୁତରଙ୍କୁ କାଶୀପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ କାଶୀପୁର ଥାନା ଅଧିକାରୀ ଦୁର୍ଗା ମାଧବ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ୍ ପଠାଇଥିଲେ। କାଶୀପୁର ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଜ୍ବାଇଁଙ୍କ ଆଖି ଆଗରେ ଚାଲିଗଲା ଶ୍ବଶୁରଙ୍କ ଜୀବନ…
ଜ୍ବାଇଁ ଅନନ୍ତ ନାୟକ ଓ ଶ୍ବଶୁର ପରୀକ୍ଷିତ ନାୟକ ମଧ୍ୟାହ୍ନ ଭୋଜନ ପରେ ଘରୁ ବାହାରିଥିଲେ କାମରେ। ଉଭୟେ ଲୁନାରେ କାଶୀପୁର ଯାଉଥିଲେ। ନିଜ କାମ ସାରିବା ପରେ ଉଭୟେ ଘରକୁ ‌ପୁଣି ଫେରି ଆସିଥାନ୍ତେ। କିନ୍ତୁ ଚମ୍ପାଯୋଡି କଫି ବୋର୍ଡ ନିକଟରେ ବାଇକ ଭାରସାମ୍ୟ ହରାଇ ଧକ୍କା ଦେବାରୁ ପରୀକ୍ଷିତଙ୍କ ସମେତ ଅନନ୍ତ ମଧ୍ୟ ଗୁରୁତର ଆହତ ହେଲେ। ଶ୍ବଶୁରଙ୍କ ରକ୍ତ ଜୁଡୁବୁଡୁ ଶରୀର ଦେଖି ଜ୍ବାଇଁ ଅନନ୍ତ ନିର୍ବାକ୍ ହୋଇ ଯାଇଥିଲେ। ନିଜେ ଦୁର୍ଘଟଣାର ଶିକାର ହୋଇଥିବାରୁ କିଛି କରି ପାରିନଥିଲେ। କିଛି ସମୟରେ ଆମ୍ବୁଲାନସ୍ ଯୋଗେ ଉଭୟେ ମେଡ଼ିକାଲ୍ ଗଲେ। କିନ୍ତୁ ପ୍ରାଥମିକ ଚିକିତ୍ସା ପରେ ଅନନ୍ତ ରାୟଗଡା ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିଲେ। ଆଉ ଶ୍ବଶୁର ପରୀକ୍ଷିତ ସବୁ ଦିନ ପାଇଁ ଆରପାରିକୁ ଚାଲି ଯାଇଥିଲେ। ଏହି ଖବର ପାଇବା ପରେ ପରୀକ୍ଷିତଙ୍କ ଘରେ ଶୋକାକୂଳ ପରିସ୍ଥିତ ସୃଷ୍ଟି ହୋଇଛି। ଶବ ବ୍ୟବଚ୍ଛେଦ ପରେ ପରୀକ୍ଷିତଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିବା ବେଳେ ଅନନ୍ତ ମେଡିକାଲରେ ଚିକିତ୍ସାଧୀନ।

ସମ୍ବନ୍ଧିତ ଖବର