ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ: ଆଶୁତୋଷ କିଲାକାଙ୍କୁ ହରାଇ ଗଙ୍ଗାଧର ପୁଆଲା ନୂଆ ଅଧ୍ୟକ୍ଷ

ରାୟଗଡ଼ା: ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡିର ବିଜୟ ହୋଇଛି । କଂଗ୍ରେସର ଆଶୁତୋଷ କିଲାକାଙ୍କୁ ହରାଇ ବିଜେଡିର ଗଙ୍ଗାଧର ପୁଆଲା ନୂଆ ଅଧ୍ୟକ୍ଷ ହୋଇଛନ୍ତି। ୨୧ ଜଣ ସଦସ୍ୟଙ୍କ ମଧ୍ୟରୁ ବିଜୁ ଜନତା ଦଳ (ବିଜେଡି)ର ଗଙ୍ଗାଧର ପୁଆଲାଙ୍କ ସପକ୍ଷରେ ୧୩ ସଦସ୍ୟ ଭୋଟ ଦେଇଛନ୍ତି। ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗଙ୍ଗାଙ୍ଗଙ୍କ ପରଲୋକ ପରେ ଏଠାରେ ଉପ-ନିର୍ବାଚନ ଜରୁରୀ ଥିଲା।

କ୍ରସ ଭୋଟିଂ ଯୋଗୁଁ ବିଜେଡି ପ୍ରାର୍ଥୀ ଗଙ୍ଗାଧର ପୁଆଲା ସର୍ବାଧିକ ୧୩ଟି ଭୋଟ ପାଇ ବିଜୟୀ ହୋଇଛନ୍ତି। ୧୦ ଜିଲ୍ଲା ପରିଷଦଙ୍କୁ ନେଇ ନିର୍ବାଚନରେ ଅଂଶଗ୍ରହଣ କରିଥିବା କଂଗ୍ରେସକୁ ମାତ୍ର ୫ଟି ଭୋଟ ମିଳିଥିବା ବେଳେ ହୁଇପ୍‌ ଜାରି ସତ୍ତ୍ୱେ ଦଳୀୟ ନାଲିଆଖିକୁ ନ ଡରି ୨ ବିଜେପି ଜିଲ୍ଲା ପରିଷଦ ସଦସ୍ୟ ନିର୍ବାଚନରେ ସାମିଲ୍‌ ହୋଇ ଭୋଟଦାନ କରିଛନ୍ତି। ଫଳରେ କ୍ରସ ଭୋଟିଂରେ ବିଜେଡ଼ିକୁ ଅଧିକ ୬ଟି ଭୋଟ ମିଳିଛି।

ରାୟଗଡ଼ା ଜିଲ୍ଲା ପରିଷଦର ଅଧ୍ୟକ୍ଷଙ୍କ ପରଲୋକ ପରେ ଏହି ପଦ ଖାଲି ପଡ଼ିଥିଲା। ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ପୁରୁଷୋତ୍ତମ ଗମାଙ୍ଗ ଗତବର୍ଷ ଡିସେମ୍ବର ୨୪ରେ କୋର୍ଟରୁ ଘରକୁ ଫେରିବା ସମୟରେ ରାମନାଗୁଡ଼ା-ଗୁଣୁପୁର ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ। ପୁରୁଷୋତ୍ତମ ଗମାଙ୍ଗଙ୍କୁ ସ୍ଥାନୀୟଲୋକେ ଗୁରୁତର ଅବସ୍ଥାରେ ରାସ୍ତାରୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର