ଗୁଣି ସନ୍ଦେହରେ ହତ୍ୟା ଅଭିଯୋଗ : ଗାତରୁ ଗଳିତ ଶବ ଉଦ୍ଧାର

ବିଷମକଟକ : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଜାଚୁପାଇ ଗ୍ରାମ ନାଳ ନିକଟରୁ ଗଳିତ ଶବ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମିଳିଥିବା ବେଳେ ସେ କୋଲନରା ବ୍ଲକ ଅନ୍ତର୍ଗତ ଡୁମୁରିଗୁଡା ପଚଂୟତ ଅନ୍ତର୍ଗତ ତାରାପାଲି ଗ୍ରାମର ଜଗବନ୍ଧୁ ହିକକା(୨୫) ବୋଲି ଜଣାପଡିଛି। ଗୁଣି ସନ୍ଦେହରେ ହତ୍ୟା କରାଯାଇ ପ୍ରମାଣ ନଷ୍ଟ କରିବା ପାଇଁ ଜଗବନ୍ଧୁଙ୍କ ଶବ ପୋତି ଦିଆଯାଇଥିବା ତାଙ୍କ ଭଉଣୀ ଧନମଣି ହିକକା ବିଷମକଟକ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଶବ ଜବତ କରି ସନ୍ଦେହରେ ତାରାପଲି ଗ୍ରାମର ୩ ଜଣଙ୍କୁ ଏବଂ ଲିଭରକଣା ଗ୍ରାମର ଜଣଙ୍କୁ ଥାନାରେ ଅଟକ ରଖି ପଚାରା ଉଚୁରା ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଗତ ଶନିବାର ଦିନ ତାରାପଲି ଗ୍ରାମର ଜଗବନ୍ଧୁ ହିକକା ବାଇଗଣ ବିକ୍ରି କରିବା ନିମନ୍ତେ ଲିଭରକଣା ଗ୍ରାମକୁ ଯାଇ ଆଉ ଫେରି ନଥିଲେ। ପରିବାର ଖୋଜାଖୋଜି ଆରମ୍ଭ କରି ସନ୍ଧାନ ନମିଳିବାରୁ ଥେରୁବାଲି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ପରିବାର ଲୋକ ଜାଚୁପାଇ ଗ୍ରାମ ନିକଟରେ ଏକ ବୁଦା ମୂଳେ ଜଗବନ୍ଧୁଙ୍କ ସାଇକଲ ପଡିଥିବା ଦେଖିବାକୁ ପାଇଥିଲେ। ତାଙ୍କର ଚପଲ, ଗାମୁଛା ଗଛ ନିକଟରେ ପଡିଥିବା ଦେଖିବାକୁ ପାଇଥିଲେ। ତେଣୁ ଆଖପାଖ ଅଞ୍ଚଳରେ ଭଲ ରୂପେ ଖୋଜିବାରୁ ନିକଟସ୍ଥ ନାଳ ପାଖରେ ଗୋଟିଏ ଅଖା ବାସ୍ତାରେ ଶବକୁ ଭର୍ତି କରି ପୋତି ଦିଆଯାଇଥିବା ଜଣାପଡିଥିଲା। ଘଟଣା ସଂକ୍ରାନ୍ତରେ ପରିବାର ଲୋକ ବିଷମକଟକ ଥାନାରେ ଏତଲା ଦେଇଥିଲେ। ବିଷମକଟକ ପୁଲିସ୍‌ ଦମକଳ ବାହିନୀ ସହାୟତରେ ଶବକୁ ଗାତରୁ ବାହାର କରିଥିଲା। ସୂଚନା ପାଇ ରାୟଗଡା ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଥିଲା। ୫ଦିନ ପୁରୁଣା ଶବ ପଚି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଟାଙ୍ଗିଆରେ ହଣାଯିବା ଭଳି କ୍ଷତ ସବୁ ରହିଥିବା ଦେଖିବାକୁ ମିଳିଥିଲା।

ଜଗବନ୍ଧୁ ଜଣେ ଗୁଣିଆ ରୂପେ ସ୍ଥାନୀୟ ଲୋକେ ଜାଣିଥିଲେ। ତେଣୁ ତାଙ୍କୁ ଗ୍ରାମବାସୀ ବାସନ୍ଦ କରିଥଲେ। ତେଣୁ ଗତ ୨ତାରିଖରେ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ଗାଁର କୌଣସି ଲୋକ ଶ୍ମଶାନକୁ ଯାଇନଥିଲେ। ପୁଲିସ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ୪ଜଣଙ୍କୁ ଅଟକ ରଖି ପଚରା ଉଚୁରା ଆରମ୍ଭ କରିଛି। ଅତିଶୀଘ୍ର ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇଯିବ ବୋଲି ବିଷମକଟକ ଏସ୍‌ଡିପିଓ ଅନନ୍ତ ପ୍ରସାଦ ମଲ୍ଲିକ ସୂଚନା ଦେଇଛନ୍ତି। ଗ୍ରାମାଂଚଳରେ ଗୁଣି ଗାରେଡିକୁ ନେଇ ଏବେ ମଧ୍ୟ ଅନ୍ଧ ବିଶ୍ୱାସ ରହିଛି। ଅନ୍ଧ ବିଶ୍ୱାସର ଶିକାର ହୋଇ ଲୋକେ ହତ୍ୟା କରିବାକୁ ବି ପଛାଉ ନଥିବା ବହୁ ନଜିର ରହିଛି। ପୂର୍ବରୁ ୨୦୧୪ମସିହାରେ ସାହାଡା ପଂଚାୟତର କୋଣ ଗ୍ରାମରେ ଗୁଣି ସନ୍ଦେହରେ ଜଣେ ବ୍ୟକ୍ତିକୁ ଗ୍ରାମବାସୀ ପିଟିବା ପରେ ଜିଅନ୍ତା ଜାଳି ଦେଇଥିଲେ। ସେହିପରି ୨୦୧୫ମସିହାରେ ବେଥିଆପଡା ପଂଚାୟତର ଖୁଣ୍ଟବାଡି ଗ୍ରାମର ଦାମୋଦର ହିକକାଙ୍କୁ ମଧ୍ୟ ସମାନ ଅଭିଯୋଗରେ ଗ୍ରାମବାସୀ ନିର୍ମମ ଭାବେ ହତ୍ୟା କରି ପୋଡି ଦେଇଥିଲେ।

ସମ୍ବନ୍ଧିତ ଖବର