ଅମଲା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ମାଥିଲି: ମାଥିଲି ବ୍ଲକ, ତହସିଲ ଓ ଆଇସିଡିଏସ କାର୍ଯ୍ୟାଳୟର ଅମଲା କର୍ମଚାରୀ ମାନେ ୯ଦଫା ଦାବି ନେଇ ଗତ ୧ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଅନ୍ୟପଟେ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ବ୍ଲକ, ତହସିଲ ଓ ଆଇସିଡିଏସ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟ ଠପ୍‌ ହୋଇଯାଇଛି। କୌଣସି ସରକାରୀ କାର୍ଯ୍ୟ ହୋଇପାରୁନଥିବାରୁ ୨୦ଟି ପଞ୍ଚାୟତର ଲୋକେ ବିିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତହସିଲ କାର୍ଯ୍ୟାଳୟରେ ଜମିଜମା ସଂପର୍କିତ, ଜାତି, ଆୟ ଓ ବାସିନ୍ଦା ପ୍ରମାଣପତ୍ର ପାଇବାରେ ସମସ୍ୟା ଦେଖାଦେଇଛି। ରାଜସ୍ୱ ଅମଲାଙ୍କ ବେତନରେ ଥିବା ଅସଙ୍ଗତିକୁ ଦୂର କରିବା, ଅମଲା ମାନଙ୍କୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ, ଚୁକ୍ତିଭିତ୍ତିକ ନିଯୁକ୍ତିକୁ ବାତିଲ କରି ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଆଦି ଦାବିରେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଉଛି। ରାଜ୍ୟ ସରକାର ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଅମଲା କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର