ବସ୍‌ ଦୁର୍ଘଟଣାଗ୍ରସ୍ତ: ହେଲପରଙ୍କ ସମେତ ୮ ଆହତ

ଅମ୍ବାଦଳା: ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ମଞ୍ଜୁରକୁପା ଗ୍ରାମ ନିକଟରେ ଏକ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବସ୍‌ ହେଲପରଙ୍କ ସମେତ ୮ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳେ ପୁଷ୍ପକ ନାମକ ଏକ ଘରୋଇ ବସ୍‌ କନ୍ଧମାଳ ଜିଲ୍ଲାର କୋଟଗଡରୁ ମୁନିଗୁଡା ଅଭିମୁଖେ ଯାଉଥିଲା। ତେବେ ସାଢେ ୮ଟାରେ ଅମ୍ବାଦଳା ଥାନା ଅନ୍ତର୍ଗତ ମଞ୍ଜୁରକୁପା ନିକଟରେ ହଠାତ୍‌ ବସ୍‌ର ଆଗ ଚକା ଫାଟି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା ପାର୍ଶ୍ୱର ଏକ ବୁଦା ଭିତରକୁ ପଶି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏହି ଦୁର୍ଘଟଣାରେ ବସ୍‌ର ହେଲପର ଲିଙ୍କନ ଦଳେଇ, ଯାତ୍ରୀ ବେଲଘରଗୁମ୍ମାର ମୁକୁନ୍ଦ ନାଏକ. ଅମ୍ବାଦଳାର ଅଞ୍ଜଳି ସେଠୀ, କୁଟୁନିପଦରର କେଶବ ପ୍ରଧାନ ଓ ପଦ୍ମନାଭ ପ୍ରଧାନ, ବେରୁଗୁଡାର ସୁବଧ ଚନ୍ଦ୍ର, ଅମ୍ବାଳଦାର ଗୁରସ ଓ ନବ ବଙ୍ଗାଳି ପ୍ରମୁଖ ଆହତ ହୋଇଥିଲେ। ଖବର ପାଇ ସ୍ଥାନୀୟ ସେଣ୍ଟ ଜୋନ୍‌ ଆମ୍ବୁଲାନ୍‌ସ ଟିମ୍‌ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଅମ୍ବାଦଳା ଓ ମୁନିଗୁଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ଆହତଙ୍କ ମଧ୍ୟରୁ ୨ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁୁରୁତର ହେବାରୁ ଡା. ଗୌରବ ମାଳି ପ୍ରାଥମିକ ଚିକିତ୍ସା କରିବା ପରେ ରାୟଗଡା ମେଡିକାଲ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ପରେ ଉଭୟଙ୍କୁ ରାୟଗଡା ମେଡିକାଲ ନିଆଯାଇଥିଲା। ଖବର ପାଇ ଅମ୍ବାଦଳା ଥାନା ଅଧିକାରୀ ରେଣୁକା ସୁନା ଓ ଏଏସ୍‌ଆଇ ବ୍ରଜେନ୍ଦ୍ର ସାହୁ ଦୁର୍ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର