ବିଷମକଟକ/ପଦ୍ମପୁର: ପ୍ରତ୍ୟେକ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ବନଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ କରାଯାଉଥିବା ବେଳେ ମହୁଲ ଦର ନିର୍ଦ୍ଧାରଣ କରାଯାଇନଥାଏ। କିନ୍ତୁ ମହୁଲ ଫୁଲ କ୍ରୟ ନିମନ୍ତେ ଲାଇସେନ୍ସ ପ୍ରଦାନ କରାଯାଇଥାଏ। ବ୍ୟବସାୟୀ ମାନେ ନିଜ ଇଛା ମୁତାବକ ଦର ଧାର୍ଯ୍ୟ କରି ମହୁଲ କିଣିଥାନ୍ତି। ତେଣୁ ବହୁ କଷ୍ଟ କରି ମହୁଲ ସଂଗ୍ରହ କରିଥିବା ଲୋକେ ମହୁଲର ଉଚିତ ପାରିଶ୍ରମିକ ପାଇ ପାରୁନାହାନ୍ତି।
ରାୟଗଡା ଜିଲ୍ଲା ବିଷମକଟକ ଏବଂ ପଦ୍ମପୁର ବ୍ଳକର ପ୍ରାୟ ଅଶି ପ୍ରତିଶତ ଆଦବାସୀ ସପରିବାର ଜଙ୍ଗଲକୁ ଯାଇ ମହୁଲ ସଂଗ୍ରହ କରିଥାନ୍ତି। ଅପରାହ୍ନରେ ସଂଗ୍ରହ କରିଥିବା ମହୁଲ ଫୁଲକୁ ଘରକୁ ଆଣି ଖରାରେ ଶୁଖାନ୍ତି। ପରେ ଏହାକୁ ବିକ୍ରି କରି କିଛି ଅର୍ଥ ଉପାର୍ଜନ କରିଥାନ୍ତି। ହେଲେ ମହୁଲର ସରକାରୀ ଭାବେ କୌଣସି ଦର ନିର୍ଦ୍ଧାରଣ କରାଯାଇନଥାଏ। ବ୍ୟବସାୟୀ ମାନେ ନିଜ ସୁବିଧାକୁ ଦେଖି ମହୁଲ ଦର ନିର୍ଦ୍ଧାରଣ କରିଥାନ୍ତି। ତେବେ ଲୋକେ ବହୁ କଷ୍ଟ କରି ସଂଗ୍ରହ କରିଥିବା ମହୁଲକୁ ବ୍ୟବସାୟୀ ମାନେ ସ୍ବଳ୍ପ ପରିମାରଣର ଅର୍ଥ ଦେଇ କ୍ରୟ କରି ଅସାଧୁ ଉପାୟରେ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ନଜିର ରହିଛି। ଚଳିତ ବର୍ଷ ବିଷମକଟକ ଅଞ୍ଚଳରେ ପ୍ରଚୁର ପରିମାଣର ମହୁଲ ସଂଗ୍ରହ ହୋଇଥିବା ବେଳେ ଏହାକୁ କ୍ରୟ କରିବା ନିମନ୍ତେ ୪ଜଣଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି। ସରକାରୀ ସ୍ବୀକୃତିପ୍ରାପ୍ତ ବ୍ୟବସାୟୀଙ୍କ ସଂଖ୍ୟା କମ୍ ରହିଥିବାରୁ ମହୁଲ ଦର ବୃଦ୍ଧି ହେଉନଥିବା ମହୁଲ ସଂଗ୍ରହକାରୀ ପ୍ରକାଶ କରିଛନ୍ତି। ବ୍ୟବସାୟୀ ମାନେ ଦଲାଲ ମାନଙ୍କ ଜରିଆରେ ଗ୍ରାମାଞ୍ଚଳରେ ପହଞ୍ଚି ଅତି କମ୍ ଦରରେ ମହୁଲ କିଣୁ ଥିବାରୁ ଆଦିବାସୀ ମାନଙ୍କ ଆର୍ଥିକ ମାନଦଣ୍ତ ଅଭିବୃଦ୍ଧି ହୋଇପାରୁ ନାହିଁ। ବିଷମକଟକରେ କିଲୋ ପିଛା ୧୨ଟଙ୍କା ଦରରେ ହଜାର ହଜାର କ୍ବିଣ୍ଟାଲ ମହୁଲ କ୍ରୟ କରାଯାଉଛି।
ଏକ ହଜାର କ୍ବିଣ୍ଟାଲ ମହୁଲ କ୍ରୟ କରିବା ନିମନ୍ତେ ବ୍ୟବସାୟୀ ଅନୁମତି ପାଇଥିବା ବେଳେ ହଜାର ହଜାର କ୍ବିଣ୍ଟାଲ ମହୁଲ କ୍ରୟ ହେଉଥିବା ଏବଂ ବେଆଇନ ଭାବେ ଚୋରା ଦେଶୀ ମଦ ରାନ୍ଧିବା ନିମନ୍ତେ ବିକ୍ରୟ ହେଉଅଛି। ଯାହାଫଳରେ ସରକାର ମହୁଲରୁ ଆଦାୟ ହେବାକୁ ଥିବା ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଛନ୍ତି। ମହୁଲ ଚୋରା କାରବାର ଚୋରା ମଦ ବ୍ୟବସାୟଙ୍କୁ ପ୍ରୋତ୍ସାହନ ଯୋଗାଉଛି। ଏହା ବ୍ୟତୀତ ବିଷମକଟକ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ମହୁଲ ବ୍ୟବସାୟୀ ମାନେ ବିନା ଲାଇସେନ୍ସରେ ଶହ ଶହ କ୍ବିଣ୍ଟାଲ ମହୁଲ କ୍ରୟ କରି ଗଛିତ ରଖିଥିବା ସୂଚନା ମିଳିଛି। ବିଭାଗୀୟ ଅଧିକାରୀ ମାନଙ୍କ ଦ୍ବାରା ଅଣସ୍ବୀକୃତିପ୍ରାପ୍ତ ବ୍ୟବସାୟୀ ମାନଙ୍କ ଗୋଦାମ ଉପରେ ଚଢାଉ କରାଗଲେ ଲକ୍ଷାଧିକ ଟଙ୍କାର ମହୁଲ ଜବତ ହୋଇପାରିବ। ସେହିପରି ବିଭାଗୀୟ ଅଧିକାରୀ ମାନଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ବ୍ୟବସାୟୀ ମାନଙ୍କ ଗୋଦାମ ଗୁଡିକୁ ଯାଞ୍ଚ କରାଗଲେ ସରକାର ହରାଉଥିବା ଲକ୍ଷାଧିକ ଟଙ୍କାର ରାଜସ୍ବ ଫେରିପାଇବେ ବୋଲି ମତ ପ୍ରକାଶ ପାଇଛି।
ସେହିପରି ପଦ୍ମପୁର ବ୍ଲକ ଅଞ୍ଚଳର ଆଦିବାସୀ ମାନେ ବ୍ୟାପକ ମହୁଲ ସଂଗ୍ରହ କରୁଥିବା ବେଳେ ସେହି ଅନୁସାରେ ପାରିଶ୍ରମିକ ପାଉନଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ମହୁଲ ଦର କିଲୋ ପ୍ରତି ୨୨ରୁ ୨୫ଟଙ୍କା ରହିଥିବା ବେଳେ ଏହି ଅଞ୍ଚଳର ବ୍ୟବସାୟୀ ମହୁଲ କିଲୋ ୧୫ଟଙ୍କାରେ କିଣୁଥିବା ଅଭିଯୋଗ ହୋଇଛି। ସେହିପରି ବିକ୍ରି ବେଳେ ଓଜନରେ ମଧ୍ୟ ଠକାମିର ଶିକାର ହେଉଥିବା ଜଣାପଡିଛି। ପ୍ରାୟ ୪-୫ ବର୍ଷ ପୂର୍ବେ ଟିଡିସିସି ସଂସ୍ଥା ଜରିଆରେ ମହୁଲ ବିକ୍ରିବଟା ସୁବିଧା ଠିକ୍ ରହିଥିଲା। କିନ୍ତୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ମହୁଲ ବିକ୍ରିବଟା ପାଇଁ ବ୍ୟବସାୟୀ ମାନଙ୍କୁ ଲାଇସେନ୍ସ ପ୍ରଦାନ କରିବା ପରେ ମହୁଲ ଦର ନିଜ ନିୟନ୍ତ୍ରଣରେ ରଖୁଛନ୍ତି। ସେହିପରି ଗୁଣପୁର, ରାମନାଗୁଡା ଓ ଗୁଡାରି ଅଞ୍ଚଳର ମହୁଲ ସଂଗ୍ରହକାରୀ ମଧ୍ୟ ଉଚିତ୍ ପାରିଶ୍ରମିକ ପାଉନଥିବାରୁ କ୍ଷତି ସହୁଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/raygada-4.jpg)