ଟିକିରି: ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଗ୍ରାମର କର୍କଟ ପୀଡିତା ବାସନ୍ତୀ ସାହୁ। ନିଜର ସମସ୍ତ ସୁନା ଗହଣା ବିକ୍ରି କରି କଟକ ଓ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହୋଇଥିଲେ। ଟଙ୍କା ସରିଯିବା ପରେ ବାଧ୍ୟ ହୋଇ ଘରକୁ ଫେରି ଆସିଥିଲେ। ଅନ୍ୟପଟେ ଅସହାୟ ବାସନ୍ତୀଙ୍କ ଚିକିତ୍ସା ନିମନ୍ତେ ପ୍ରଶାସନ ପକ୍ଷରୁ ମଧ୍ୟ ଆର୍ଥିକ ସହାୟତା ମିଳିପାରିଲାନି। ଶେଷରେ ଗତକାଲି ବାସନ୍ତୀ ଚିରଦିନ ପାଇଁ ଆଖି ବୁଜିଦେଇଛନ୍ତି।
ଟିକିରି ଗ୍ରାମର ସୁନାମୁଦି ସାହିରେ ଥିବା ନିଜ ପୈତୃକ ସ୍ଥାନରେ ଏକ ଛୋଟିଆ ଦୋକାନ କରି ଚଳୁଥିଲେ ବାସନ୍ତୀ ସାହୁ(୪୦)। ପିଲାଟି ଦିନରୁ ବାପା ଓ ମା’ଙ୍କୁ ହରାଇବା ପରେ ବାସନ୍ତୀ ବହୁ ଦୁଃଖକଷ୍ଟରେ ଚଳି ଆସୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଭାଇ ଭାଉଜ ଅନ୍ୟତ୍ର ରହୁଥିବା ବେଳେ ଛୋଟେଇ ଛୋଟେଇ ଚାଲୁ ଥିବାରୁ ବାସନ୍ତୀ ବିବାହ କରି ପାରିନଥିଲେ। ଭିନ୍ନକ୍ଷମ ହୋଇଥିଲେ ହେଁ ତାଙ୍କୁ ଭତ୍ତା ମିଳିପାରିନଥିଲା। ଗତ କିଛି ଦିନ ତଳେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ନିଜର ସମସ୍ତ ସୁନା ଗହଣା ବିକ୍ରି କରି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ରହ୍ମପୁର ମେଡିକାଲ ଯାଇଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ବାସନ୍ତୀଙ୍କୁ କର୍କଟ ରୋଗ ହୋଇଥିବା ଡାକ୍ତର କହିଥିଲେ। ପରେ ରାୟଗଡା, ବ୍ରହ୍ମପୁର ଓ କଟକ ବଡ ମେଡିକାଲକୁ ଯାଇ ଚିକିତ୍ସିତ ହୋଇଥିଲେ। ତେବେ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଅଭାବରୁ ଶେଷରେ ଘରକୁ ଫେରି ଆସିଥିଲେ। ବାସନ୍ତୀଙ୍କ ଚିକିିତ୍ସାରେ ଅର୍ଥ ବାଧକ ସାଜିଥିବା ନେଇ ଗତ ଫେବ୍ରୁଆରି ମାସରେ ସମ୍ବାଦରେ ଖବର ପ୍ରକାଶ ପାଇଥିଲା। ତେବେ ଏହାର ଦେଢ ମାସ ପରେ ମଧ୍ୟ ପ୍ରଶାସନ ପକ୍ଷରୁ ବାସନ୍ତୀଙ୍କୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ମିଳିପାରିନଥିଲା। ବଞ୍ଚିବା ପାଇଁ ଏକାକୀ ସଂଘର୍ଷ କରୁଥିବା ବାସନ୍ତୀ ଶେଷରେ ଗତକାଲି ଚିରଦିନ ପାଇଁ ଆଖି ବୁଜି ଦେଇଥିଲେ। ଏଭଳି ଜଣେ ଅସହାୟ ତଥା ଭିନ୍ନକ୍ଷମ ମହିଳାଙ୍କ ଚିକିତ୍ସା ନିମନ୍ତେ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆନଯିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସାଧାରଣରେ ଚର୍ଚା ଜୋର ଧରିଛି।