ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ପତ୍ର ଲେଖ‌ିଲେ ଜିଲ୍ଲାପାଳ ରେଡକ୍ରସ ଫଣ୍ଡରୁ ୧୫ହଜାର ଟଙ୍କା ପ୍ରଦାନ

ବିଦ୍ୟୁତ ଆଘାତରେ ଆୟୁଷଙ୍କ ୨ଟି ଗୋଡ଼ କଟିବା ଘଟଣା

ଗୁଣପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଗୁୁମୁଡା ଗ୍ରାମର ପ୍ରଦୀପ ପାତ୍ରଙ୍କ ପୁଅ ଆୟୁଷ ପାତ୍ର(୯)ର ସଂକ୍ରମଣ ହୋଇଥିବା ୨ଟି ଗୋଡ କାଟି ଦିଆଯାଇଛି। ଆୟୁଷର ଚିକିତ୍ସା ପାଇଁ ପ୍ରଦୀପ ନିଜ ଜମି ବନ୍ଧକ ରଖିବା ସହ ଧାର କରଜ କରି ପ୍ରାୟ ୬ଲକ୍ଷ ଟଙ୍କା ସାରିଲେଣି। ଆୟୁଷର ଗୋଡ ୨ଟି କଟି ଯାଇଥିବାରୁ କୃତ୍ରିମ ଅଙ୍ଗରୋପଣ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। କିନ୍ତୁ ପାଖରେ ଟଙ୍କା ନଥିବାରୁ ପରିବାର ‌ଲୋକ ଅଙ୍ଗରୋପଣ କରିପାରୁନଥିବା ନେଇ ଗତ ଦିନରେ ସମ୍ବାଦରେ ଖବର ପ୍ରକାଶ ପାଇଥିଲା। ଏହାକୁ ରାୟଗଡା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଗୁରୁତ୍ବ ଦେଇ ଆୟୁଷର ଜରୁରିକାଳୀନ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଛନ୍ତି।
ଏଥିସହ ରେଡକ୍ରସ ପାଣ୍ଠିରୁ ୧୫ହଜାର ଟଙ୍କାର ଚେକ୍ ପିୟୁଷଙ୍କ ବାପା ପ୍ରଦୀପ ପାତ୍ରଙ୍କୁ ଜିଲ୍ଲାପାଳ ପ୍ରଦାନ କରିଛନ୍ତି। ବିଦ୍ୟୁତ ଆଘାତ ପରେ ସଂକ୍ରମଣ ଯୋଗୁଁ ଗତ ଅଗ‌‌ଷ୍ଟ ମାସରେ ଭୁବନେଶ୍ବର ସୋମ ହସ୍ପିଟାଲରେ ପିୟୁଷଙ୍କ ୨ଟି ଗୋଡ କଟାଯାଇଥିଲା। ଏହା ବାବଦରେ ଔଷଧ ବାବଦକୁ ୨ଲକ୍ଷ ୧୧ହଜାର ୭୬୦ଟଙ୍କା ଖର୍ଚ ହୋଇଥିଲା। ଏହାର ବିଲ୍ ଗୁଡିକ ପ୍ରଦାନ କରାଯାଇ ସହାୟତା ରାଶି ପୈଠ କରିବାକୁ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଏପରିକି ଆୟୁଷ ସଂପୂର୍ଣ୍ଣ ସୁସ୍ଥ ହେବା ନିମନ୍ତେ ସପ୍ତାହକୁ ୭୩ହଜାର ୫ଶହ ଟଙ୍କା ଖର୍ଚ ହେବ ବୋଲି ଡାକ୍ତର କହିଥିବାରୁ ଏ ସମସ୍ତ କାଗଜପତ୍ର ଜିଲ୍ଲାପାଳ ପ୍ରେରଣ କରିଛନ୍ତି। ଗରିବ ତଥା ବିପିଏଲ ପରିସରଭୁକ୍ତ ଏହି ପରିବାର ପ୍ରତି ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିଥିବାରୁ ବିଭିନ୍ନ ମହଲରେ ସାଧୁବାଦ ଜଣାଯାଇଛି। ସେହିପରି ଆୟୁଷର ଆରୋଗ୍ୟ କାମନା କରାଯାଇଛି।

ସମ୍ବନ୍ଧିତ ଖବର