କରୋନା ଭୟ: ରାୟଗଡ଼ାରେ ବନ୍ଦ ହେଲା ସିନେମା ହଲ୍

ରାୟଗଡ଼ା: କରୋନା ବିଶ୍ବବ୍ୟାପୀ ମହାମାରୀ ରୂପେ ଘୋଷିତ ହେବା ପରେ ସର୍ତକତା ଅବଲମ୍ବନ କରିଛନ୍ତି ସରକାର। ଗତକାଲି ରାଜ୍ୟର ସମସ୍ତ ସ୍କୁଲ୍, କଲେଜ, ସପିଂ ମଲ୍, ଜିମ୍ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦେଶ ଦେବା ପରେ ଏହାର ପ୍ରଭାବ ରାୟଗଡ଼ାରେ ଦେଖିବାକୁ ମିଳିଛି। ଆଜି ସହରର ସମସ୍ତ ସିନେମା ହଲକୁ କର୍ତୃପକ୍ଷ ବନ୍ଦ ରଖିଛନ୍ତି। ତେବେ ସହରରେ ଥିବା କିଛି ସପିଂ ମଲ୍ ଖୋଲାଥିବା ଦେଖିବାକୁ ମିଳିଛି। ପ୍ରଶାସନ ନିର୍ଦ୍ଦେଶକ ଅଣଦେଖା କରି ସପିଂ ମଲ୍ ଖୋଲିଥିବାରୁ ବୁଦ୍ଧିଜୀବୀ ଏ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଆସନ୍ତାକାଲିଠୁ ଉକ୍ତ ସପିଂ ମଲକୁ ବନ୍ଦ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବ ବୋଲି ଜଣା ପଡିଛି।

ସେହିପରି ରାୟଗଡ଼ା ବସ୍ ମାଲିକ ସଂଘ ପକ୍ଷରୁ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ନେଇ ପଦକ୍ଷେପ ନିଆଯାଇଛି। ଡେଟଲ୍, ଫିନାଇଲ ସହ ସାନିଟାଇଜେସନ୍ ଲିକ୍ୟୁଡ୍ ଦ୍ବାରା ବସକୁ ସଫା କରିବା ପରେ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଉଛି। ଯାତ୍ରା ସମୟରେ ମାସ୍କ ପିନ୍ଧିବା ସହ ବସରୁ ଓହ୍ଲାଇବା ପରେ ହାତକୁ ଭଲ ଭାବରେ ଧୋଇବା ପାଇଁ ବସ୍ ମାଲିକ ସଂଘ ପକ୍ଷରୁ ସଚେତନ କରାଯାଉଛି। ରାୟଗଡ଼ା ବସ୍ ମାଲିକ ସଂଘର ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ରାୟଗଡ଼ା ରେଳ ଷ୍ଟେସନ ଦେଇ ଯାତ୍ରା କରୁଥିବା ସମସ୍ତ ଟ୍ରେନ୍ ଉପରେ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି।

କେରଳ, ତେଲେଙ୍ଗାନା ସମେତ ବାହାରୁ ଆସୁଥିବା ଟ୍ରେନରୁ ଓହ୍ଲାଉଥିବା ଯାତ୍ରୀଙ୍କ ରେକର୍ଡ ଯାଞ୍ଚ ପରେ ସତର୍କମୂଳକ ପଦକ୍ଷେପ ନିଆଯାଉଛି। ଏହି ଷ୍ଟେସନ ଦେଇ ଦୈନିକ ୫୦ରୁ ଉର୍ଧ୍ବ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରୁଥିବାରୁ ହଜାର ହଜାର ଯାତ୍ରୀ ଯାତାୟତ କରୁଛନ୍ତି। ଏହି ଦୃଷ୍ଟିରୁ ଯାତ୍ରୀଙ୍କୁ କରୋନା ସଂପର୍କରେ ସଚେତନ କରିବା ସହ ଯାତ୍ରା ସଂପର୍କରେ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, କାନ, ମୁହଁକୁ ନ ଛୁଇଁବା ପାଇଁ ପରାମର୍ଶ ଦିଆଯାଇଛି। ରେଳ ବିଭାଗ ଆଜିଠୁ ଯାତ୍ରା ସମୟରେ କମ୍ବଳ ପ୍ରଦାନ ଉପରେ ରୋକ୍ ଲଗାଇଛି।

ସରକାରଙ୍କ ପକ୍ଷରୁ ଜନ ସମାବେଶ ସହିତ ଶହେରୁ ଉର୍ଧ୍ବ ଲୋକଙ୍କ ଏକାଠି ଉପରେ ରୋକ୍ ଲଗାଯାଇଥିବାରୁ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଭୋଜିଭାତ, ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥଗିତ ରହିଛି। କରୋନା ସଂପର୍କରେ ଭୁଲ୍ ତଥ୍ୟ ଓ ସୂଚନା ସୋସିଆଲ୍ ମିଡିଆରେ ପ୍ରସାର ନ କରିବାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଇଛି। ଗତକାଲି ଭୁଲ୍ ତଥ୍ୟ ଦେଇଥିବା ଜଣେ ଯୁବକକୁ ମୁନିଗୁଡା ପୁଲିସ୍ ଗିରଫ କରିବା ପରେ ଏ ଦିଗରେ ଲୋକ ସତର୍କ ହୋଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର