ଗୁଣିଆ ଚିକିତ୍ସାରେ ସମିତି ସଭ୍ୟାଙ୍କ ମୃତ୍ୟୁ

ମୁନିଗୁଡା: ଦୀର୍ଘ ୧୫ଦିନରୁ ଊର୍ଧ୍ୱ ଦିନ ଜ୍ୱରରେ ଆକ୍ରାନ୍ତ ଜଣେ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବା ପରିବର୍ତେ ଗୁଣିଆଙ୍କ ଦ୍ୱାରା ଝଡାଫୁଙ୍କା କରାଯିବା ସହ ଚିିକିତ୍ସା କରାଯାଇଥିଲା। ଏପରିକି ଜ୍ୱରାକ୍ରାନ୍ତ ମହିଳାଙ୍କୁ ସଂପୃକ୍ତ ଗୁଣିଆ ଜଣକ ଦୀର୍ଘ ୮ଦିନ ଧରି ଭୋକ ଉପାସରେ ରଖିଥିଲେ। ଶେଷରେ ଗତକାଲି ଅପରାହ୍ନରେ ମହିଳା ଜଣକ ଚିରଦିନ ପାଇଁ ଆଖି ବୁଜି ଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ଆଦର୍ଶ ପଞ୍ଚାୟତ ଶିବପଦର ଅନ୍ତର୍ଗତ ବନ୍ଧଗୁଡା ଗ୍ରାମରେ।  ମୃତ ମହିଳା ଜଣକ ହେଲେ ଶିବପଦର ପଞ୍ଚାୟତର ସମିତି ସଭ୍ୟା କୁନି ନୁଣ୍ଡୃକା(୩୦)।  ଅନ୍ୟପଟେ ଆଜି ସକାଳେ ତରବରିଆ ଭାବେ କାହାରିକୁ ନକହି କୁନିଙ୍କ ଅନ୍ତିମ ସଂସ୍କାର କରି ଦିଆଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି। ଗୁଣି ଗାରେଡିକୁ କେନ୍ଦ୍ର କରି ଗତ ୨୦୧୬ରେ ଗୁଣପୁର ବ୍ଲକ ଅନ୍ତର୍ଗତ କିତୁଂ ଗ୍ରାମର ଗୋଟିଏ ପରିବାରର ୩ଜଣ ସଦସ୍ୟଙ୍କୁ ହତ୍ୟା ମାମଲାରେ ଆଜି ୯ଜଣ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଶୁଣାଣି ଓ ଏହି ଘଟଣା ପରେ ଅଞ୍ଚଳର ଅଶିକ୍ଷିତ ଲୋକେ ଗୁଣିଗାରେଡି ଉପରେ ବିଶ୍ୱାସ କରୁଥିବା ସ୍ପଷ୍ଟ ହୋଇଛି।

ସୂଚନା ଅନୁଯାୟୀ, ମୁନିଗୁଡା ବ୍ଲକର ବନ୍ଧଗୁଡା ଗ୍ରାମରେ ରହୁଥିବା ଶିବପଦର ପଞ୍ଚାୟତର ସମିତି ସଭ୍ୟା କୁନି ନୁଣ୍ଡୃକା(୩୦) ଗତ ୧୫ଦିନରୁ ଊର୍ଧ୍ୱ ହେଲା ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ତେବେ ଜ୍ୱରାକ୍ରାନ୍ତ କୁନିଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବା ପରିବର୍ତେ ତାଙ୍କ ସ୍ୱାମୀ ଦାଶରଥୀ ନୁଣ୍ଡୃକା ବିଶ୍ୱନାଥପୁରରେ ରହୁଥିବା ଜଣେ ଗୁଣିଆଙ୍କୁ ଘରକୁ ଡାକିଥିଲେ। ଗୁଣିଆ ଜଣକ କୁନିଙ୍କୁ ଝଡାଫୁଙ୍କା କରିବା ସହ ଚିକିତ୍ସା କରିଥିଲେ। ନିଜକୁ ଜଣେ ଗୁରୁ ବୋଲି ପରିଚୟ ଦେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ଚିକିତ୍ସା କରୁଥିବା ଏହି ଭଣ୍ଡ ଗୁଣିଆ ଜଣକ କୁନିଙ୍କୁ ଦୀର୍ଘ ୮ଦିନ ହେଲା ଭୋକ ଉପାସରେ ରଖିଥିଲେ। ତେବେ ଗତକାଲି ଅପରାହ୍ନରେ ହଠାତ୍‌ କୁନିଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟପଟେ କୁନିଙ୍କ ମୃତ୍ୟୁ ହେବା ପରେ ମଧ୍ୟ ବଞ୍ଚିଯିବ କହି ଗୁଣିଆ ଜଣକ ପୁଣି ଥରେ ପୂଜାର୍ଚନା କରିଥିଲେ। କୁନିଙ୍କ ମୃତ୍ୟୁ ପରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ଘଟଣା ସଂପର୍କରେ କାହାରିକୁ ଅବଗତ କରାନଯାଇ ଆଜି ସକାଳେ କୁନିଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଜଣେ ଜ୍ୱରାକ୍ରାନ୍ତ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବା ପରିବର୍ତେ ଝଡାଫୁଙ୍କା ଦ୍ୱାରା ଚିକିତ୍ସା କରାଯିବା ଏବଂ ଏହାପରେ ମହିଳାଙ୍କ ମୃତ୍ୟୁ ହେବା ଘଟଣା ସମଗ୍ର ମୁନିଗୁଡା ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି। କୁନିଙ୍କ ବିୟୋଗରେ ସ୍ଥାନୀୟ ସରପଞ୍ଚ ଭବାନୀ ଜାକେସିକା, ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା ପ୍ରମୁଖ ଶୋକ ପ୍ରକାଶ କରିବା ସହ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଏନେଇ ବ୍ୟାପକ ଜନସଚେନତାର ଆବଶ୍ୟକତା ଥିବା କହିଛନ୍ତି। ମୃତ କୁନିଙ୍କ ଦୁଇଟି କନ୍ୟା ସନ୍ତାନ ରହିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର