ଜଂଗଲରୁ ଯୁବତୀଙ୍କ ଶବ ଉଦ୍ଧାର ଘଟଣା ଉପରୁ ପରଦା ହଟିଲା:ଦୁଷ୍କର୍ମ ପରେ ହତ୍ୟା, ଅଭିଯୁକ୍ତ ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ବଳଦଝର ଗାଁର ଯୁବତୀ ରଇବାରୀ ମାଝି(୨୨)ଙ୍କ ଶବ ଜଂଗଲରୁ ଉଦ୍ଧାର ହେବା ଘଟଣା ଉପରୁ ପରଦା ହଟାଇଛି ପୁଲିସ। ରଇବାରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୁଲିସ କହିଛି। ଏହି ଘଟଣାରେ ଅଭିଯୁକ୍ତ ରମେଶ କୁମାର ନାଏକକୁ ପୁଲିସ ଗିରଫ କରିଛି। ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିବା ପରେ ବିବାହ ନ କରିବା ପାଇଁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ରମେଶ ଯୋଜନା କରିଥିଲା ବୋଲି ପୁଲିସ କହିଛି। ସେହିଭଳି କୋରାପୁଟ ମେଡ଼ିକାଲ କଲେଜର ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ଯୁବତୀର ମୃତ୍ୟୁ ପୂର୍ବରୁ ମାଡ଼ ମରାଯାଇଥିବା ପ୍ରମାଣ ମଳିଛି। ଅଭିଯୁକ୍ତଙ୍କ ବୟାନ ଆଧାରରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ଆଜି ଡ଼ଂଗାସିଲ ପୁଲିସ ଅଭିଯୁକ୍ତକୁ ରାୟଗଡ଼ା କୋର୍ଟରେ ହାଜର କରିବା ପରେ ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇ ଦିଆଯାଇଛି।

ଏହି ଘଟଣାରେ ପୁଲିସ ଅନ୍ୟଜଣକୁ ଅଟକ ରଖିଛି। ଏହି ମାମଲାର ତଦାରଖ କରିଥିବା ଏସଡିପିଓ ରାଜ କିଶୋର ଦାଶ କହିଛନ୍ତିଯେ ଡଙ୍ଗାସିଲରେ ତେଜରାତି ଦୋକାନ କରିଥିବା ରମେଶ ପୂର୍ବରୁ ହନୁମାନ ବସରେ ହେଲପର ଭାବେ କାମ କରୁଥିଲା।ଏହି ସମୟରେ ବଳଦଝର ଗାଁର ରଇବାରୀ ସହ ପରିଚିତ ହୋଇଥିଲା। ଗତ ୧୪ ତାରିଖ ଦିନ ରଇବାରୀ ତାର ଅନ୍ୟ ଦୁଇ ଭଉଣୀ ସହ ଶିବରାତ୍ରୀ ଯାତ୍ରା ଦେଖିବାକୁ ଡ଼ଂଗାସିଲ ଯାଇଥିଲେ। ୧୪ ତାରିଖ ରାତି ପ୍ରାୟ ୧୨ଟା ବେଳେ ମନ୍ଦିର ନିକଟରେ ଥିବା ଗୋଦାମ ପଛକୁ ନେଇ ରମେଶ ଯୁବତୀ ସହ ଶାରୀରିକ ସଂପର୍କ ରଖିଥିଲା। ଯୁବତୀ ଜଣକ ତାକୁ ବାହା ହେବା ପାଇଁ କହିବାରୁ ରମେଶ ଟଙ୍କା ଯୋଗାଡ଼ ପରେ ବାହାହେବା ବୋଲି କହିଥିଲା।

ତେବେ ଶାରୀରିକ ସଂପର୍କ କଥା ପ୍ରଘଟ ହେଲେ ସମସ୍ୟା ସୃଷ୍ଟି ହେବ ଭାବି ପରଦିନ ସକାଳୁ ରମେଶ ତାଙ୍କ ସଂପର୍କୀୟ ଭାଇ ଭୀମ ନାଏକ ସହ ମିଶି ଗୋଟିଏ ଅଟୋ ରିକସା ଭଡ଼ା କରି ରଇବାରୀ ଓ ଦୁଇ ଜଣ ଭଉଣୀଙ୍କୁ ୮ କିମି ଦୂର ବଳଦଝର ଗାଁ ନିକଟରେ ଛାଡ଼ି ଦେବା ପାଇଁ ନେଇଥିଲା। ବଳଦଝର ଗାଁ ପାହାଡ଼ ଆରପଟେ ଥିବାରୁ ଅଟୋ ରିକ୍‌ସାଟି ପାହାଡ଼ ନିକଟରେ ଛାଡ଼ି ଫେରିଯାଇଥିଲା। ଏହାପରେ ଭୀମ ଦୁଇ ଭଉଣୀକୁ ନେଇ ବଳଦଝର ଗାଁରେ ଛାଡ଼ି ନିଜ ଘରକୁ ପଳାଇଥିଲା। ତେବେ ରଇବାରୀ ଏବଂ ରମେଶ ସେଠାରେ ଅଟକି ରହିଥିଲେ। ଏହାପରେ ପୁଣି ରମେଶ ଯୁବତୀ ସହ ଶାରୀରିକ ସଂପର୍କ ରଖିଥିଲା। ଏହି ସମୟରେ ଯୁବତୀ ଜଣକ ବିବାହ ପାଇଁ ଯିଦ୍‌ କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇ ମାରିପିଟ ହୋଇଥିଲା।

ଫଳରେ ରମେଶ ଯୁବତୀଙ୍କୁ ତଳେ ପକାଇ ବୁଟ୍‌ରେ ତଣ୍ଟିକୁ ମାଡିଦେବାରୁ ସେ ବେହୋସ୍‌ ହୋଇଯାଇଥିଲା। ଏହାପରେ ଯୁବତୀଙ୍କ ଲୁଗା ଖୋଲି ବେକରେ ବାନ୍ଧି ଏକ ଗଛରେ ଟାଙ୍ଗି ଦେଇଥିଲେ ବୋଲି ଏସଡ଼ିପିଓ ଶ୍ରୀ ଦାଶ ଗଣମାଧ୍ୟମକୁ କହିଛନ୍ତି। ଅଭିଯୁକ୍ତ ରମେଶ ଯୁବତୀଙ୍କୁ କିଭଳି ଏକାକୀ କେମିତି ହତ୍ୟା କଲା ପୁଲିସ ସମ୍ମୁଖରେ ପ୍ରଦର୍ଶନ କରିବା ସମୟର ଭିଡ଼ିଓ ରେକର୍ଡିଂ କରାଯାଇଛି। ବୋଲି ପୁଲିସ କହିଛି। ପୁଲିସ ମୃତକଙ୍କ ୨ ଭଉଣୀଙ୍କ ସୂଚନାକୁ ଭିତ୍ତି କରି ରମେଶ ଓ ସଂପର୍କୀୟ ଭାଇ ଭୀମକୁ ଅଟକ ରଖି ପଚରା ଉଚରା କରିବା ପରେ ସଂପୂର୍ଣ୍ଣ ଘଟଣା ପଦାକୁ ଆସିଛି। ଏହି ମାମଲାର ତଦନ୍ତ ଦୋରାଗୁଡ଼ା ଆଇଆଇସି ଗୈାର ଚନ୍ଦ୍ର ସାହୁ କରୁଥିବା ବେଳେ ଏସଡ଼ିପିଓ ରାଜ କିଶୋର ଦାଶ ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର