ରେଳଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଗୁଣପୁର: ଗୁଣପୁର ଷ୍ଟେସନ ଠାରୁ ପ୍ରାୟ ୩ କିମି ଦୂର ରେଳଧାରଣାରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ରାମନାଗୁଡା ଅଞ୍ଚଳର ତୁଷାର ରତ୍ନାଲୁ(୨୪) ବୋଲି ଜଣାପଡିଛି। ମୃତ୍ୟୁର କାରଣ ସଠିକ ଜଣାପଡିନଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୨ଟା ବେଳେ ବିଶାଖାପାଟଣା ପାସେଞ୍ଜର ଟ୍ରେନ ଗୁଣପୁର ଆସୁଥିବା ବେଳେ ରେଳଧାରଣାକୁ ଡେଇଁ ଆତ୍ମହତ୍ୟା କରିଥିବା ସାଧାରଣରେ ଆଲୋଚନା ହେଉଛି।

ସୂଚନା ଅନୁଯାୟୀ, ଗୁଣପୁର ଠାରୁ ପ୍ରାୟ ୩ କିମି ଦୂରରେ ବିଶାଖାପାଟଣାରୁ ଗୁଣପୁର ପାସେଞ୍ଜର ଟ୍ରେନ ଆସୁଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୨ଟା ବେଳେ ତୁଷାର ରେଳଧାରଣାରେ ମୁଣ୍ଡ ଦେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ଟ୍ରେନ ଡ୍ରାଇଭର ଏହା ଦେଖି ଟ୍ରେନକୁ ଅଟକାଇ ଯୁବକକୁ ସେଠାରୁ ହଟାଇଥିଲେ। କିନ୍ତୁ ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ବେଳେ ତୁଷାର ପୁଣି ଥରେ ଟ୍ରେନ ଭତରକୁ ପଶି ଯାଇ ଆତ୍ମହତ୍ୟା କରିଛନ୍ତି। ଘଟଣା ପ୍ରଚାରିତ ହେବା ପରେ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏ ସଂପର୍କରେ ରେଳ ବିଭାଗକୁ ସୂଚନା ଦିଆଯାଇଥିଲା। ସଂଧ୍ୟାରେ ପାରଳାଖେମୁଣ୍ଡି ଜିଆରପି ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ମୃତ ତୁଷାର ଗତ କିଛି ବର୍ଷ ହେବ ସ୍ଥାନୀୟ ବୃନ୍ଦାବତୀନଗର ଅଞ୍ଚଳରେ ପରିବାର ସହ ଆସି ବ୍ୟବସାୟ କରୁଥିଲେ। ତେବେ ତୁଷାରଙ୍କ ମୃତ୍ୟୁ କେଉଁ କାରଣ ଯୋଗୁଁ ଘଟିଛି ତାହା ପୁଲିସ ତଦନ୍ତ ପରେ ଜଣାପଡିବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର