ରାୟଗଡାରେ କାୟା ମେଲାଉଛି ଡେଙ୍ଗୁ : ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ କାୟା ମେଲାଇବାରେ ଲାଗିଛି ଡେଙ୍ଗୁ ଜ୍ୱର। ମାସକ ମଧ୍ୟରେ ୧୨ଜଣ ରୋଗୀ ଚିହ୍ନଟ ହୋଇ ସାରଲାଣି। ରାୟଗଡା ବ୍ଲକ ଅନ୍ତର୍ଗତ ବୀରନାରୟଣପୁର ଗାଁରୁ ଆରମ୍ଭ ହୋଇଥିବା ଏହି ମାରାତ୍ମକ ରୋଗ ଏବେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ମାଡ଼ି ଗଲାଣି। ଆଜି ଗୋଟିଏ ଦିନରେ ୩ଜଣ ରୋଗୀ ଚିହ୍ନଟ ହେବାପରେ ଡେଙ୍ଗୁ ଜ୍ୱରର ପ୍ରକୋପ ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଅପରପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନର ଡେଙ୍ଗୁ ପ୍ରତିକାର ନିମନ୍ତେ ଏପର୍ଯ୍ୟନ୍ତ ବିଶେଷ ଗୁରୁତ୍ୱ ଦିଆଯାଇ ନଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ପ୍ରଥମେ ବୀରନାରୟଣପୁର ଗାଁରେ ୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବାପରେ ବି ହାଲକା ଭାବେ ନେଇଥିଲା ସ୍ୱାସ୍ଥ୍ୟ ବିଭାଗ।

ଡେଙ୍ଗୁ ଓ୍ଵାର୍ଡ ଖୋଲି ରୋଗୀଙ୍କୁ ଅପେକ୍ଷା କରିଥିଲା। ଏହାପରେ ଚନ୍ଦିଲି ଅଞ୍ଚଳର ଜଣେ ନାବାଳିକା ଆକ୍ରାନ୍ତ ହୋଇ ରାୟଗଡା ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତି ହୋଇଥିଲେ। ପରବର୍ତୀ ସମୟରେ ତାଙ୍କୁ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ପୁଣି ମୁନିଗୁଡା ବ୍ଲକର ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଗଲା। ଆଜି ପୁଣି ରାୟଗଡା ବ୍ଲକ ଅନ୍ତର୍ଗତ ପିତାମହଲ ଗାଁର ୩ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ସୋମନାଥ ପ୍ରଧାନ (୩୭), ନୀଳମାଧବ ନାୟକ (୨୭) ଏବଂ ଡେଙ୍ଗାଲପାଡୁ ଗାଁର ରମେଶ କନ୍ଧପାଣି (୨୭)। ୪୮ଘଣ୍ଟାରୁ ଊର୍ଧ୍ୱ ସମୟ ଧରି ଜ୍ୱର ନାଛାଡିବାରୁ ଏମାନେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ରକ୍ତ ନୁମନା ପରୀକ୍ଷାରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ତେଣୁ ପ୍ରାଥମିକ ଚିକିତ୍ସା କରିବା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ ପାଇଁ ଦାୟିତ୍ୱରେ ଥିବା ଡ଼ାକ୍ତର ବାରିକ ସୁପାରିଶ କରିଛନ୍ତି।
ବର୍ଷା ଆରମ୍ଭରୁ ଏମିତି ସ୍ଥିତି ଯୋଗୁଁ ଆଗକୁ ଅଧିକ ଭୟାବହ ହେବ ବୋଲି ବୃଦ୍ଧି ପାଉଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖିଲେ ଅନୁମାନ କରାଯାଉଛି। ସେହିପରି ଅଧିକାଂଶ ଆକ୍ରାନ୍ତ ଗ୍ରାମାଞ୍ଚଳର ହୋଇଥିବାରୁ ଚିନ୍ତାର କାରଣ ପାଲଟିଛି। ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବା ଆବଶ୍ୟକ ରହିଛି। ଚଳିତ ବର୍ଷ ଜିଲ୍ଲାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ପ୍ରଶାସନ ସାମାନ୍ୟ ଆଶ୍ୱସ୍ତ ହୋଇଥିବା ବେଳେ ଏବେ ଡେଙ୍ଗୁ ରୋଗ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର