ଓଡ଼ିଶା ସୀମା ଛାଡ଼ିଲେ ହାତୀପଲ:ରାଜସ୍ବ ବିଭାଗ ରିପୋର୍ଟ ଦେବାପରେ ମିଳିବ କ୍ଷତିପୂରଣ

ରାୟଗଡା: ଦୁଇ ସପ୍ତାହର ତାଣ୍ଡବ ପରେ ଶେଷରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଛାଡି ଜଂଗଲମୁହାଁ ହୋଇଛନ୍ତି ହାତୀପଲ। ହାତୀପଲର ଘର ବାହୁଡା ପରେ ଉଭୟ ରାଜ୍ୟର ବନ ବିଭାଗ ଆଶ୍ବସ୍ତ ହୋଇଥିବା ବେଳେ ପ୍ରଭାବିତ ଗ୍ରାମରେ ଜୀବନଯାପନ ସ୍ବାଭାବିକ ହୋଇଛି। ୧୨ ଦିନର ବ୍ୟବଧାନ ପରେ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇଛି। ତେବେ ହାତୀ ଉପଦ୍ରବରେ ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତି ରାଜସ୍ବ ବିଭାଗର ରିପୋର୍ଟ ପରେ ତୁରନ୍ତ ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।
ମିଳିଥିବା ପ୍ରାଥମିକ ସୂଚନାନୁଯାୟୀ, ହାତୀ ଉପଦ୍ରବରେ କେରେଡା ପଞ୍ଚାୟତ ଅନିଜା, ବୋରହଲୁଆ, ଏମ୍ପଲୱାଲସା ଗ୍ରାମର ୭ଜଣ ଚାଷୀଙ୍କ ବ୍ୟାପକ ଫସଲ କ୍ଷତି ହୋଇଛି। କିନ୍ତୁ ରାଜସ୍ବ ବିଭାଗର ଆକଳନ ପରେ କ୍ଷତିଗ୍ରସ୍ତ ଚାଷୀଙ୍କ ସଂଖ୍ୟା ଏବଂ ଫସଲର ପରିମାଣ ବଢ଼ିପାରେ ବୋଲି ବନ ବିଭାଗ କହିଛି। ରାଜସ୍ବ ବିଭାଗର ରିପୋର୍ଟ ଦେବାର ୧୫ ଦିନ ମଧ୍ୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ, ଏଥିପାଇଁ ଆବଶ୍ୟକ ଅର୍ଥ ମହଜୁଦ୍ ଥିବା ରାୟଗଡା ବନ ଖଣ୍ଡ ଏସିଏଫ୍ ପ୍ରଭାକର ସେନାପତି କହିଛନ୍ତି। ଉଭୟ ରାଜ୍ୟର ବନ କର୍ମଚାରୀଙ୍କ ସହମତିରେ ହାତୀ ଘଉଡାଇବା ପାଇଁ ବାଣ ଫୁଟାଇବା ବନ୍ଦ ସହ ଫେରିବା ରାସ୍ତାରେ ଗ୍ରାମବାସୀ ବାଧକ ନ ସାଜିବାରୁ ହାତୀ ପଲ ବୀରଗୋଟମ ସଂରକ୍ଷିତ ଜଂଗଲ ଏବଂ ଝଂଜାବତୀ ଡ୍ୟାମ ପାର୍ଶ୍ବ ଦେଇ ଚାଲି ଯାଇଛନ୍ତି। ଦୀର୍ଘ ଦିନ ଧରି ୭ ଜଣିଆ ହାତୀପଲ ଆନ୍ଧ୍ରରେ ଉତ୍ପାତ କରିବା ପରେ ରାୟଗଡା ଜିଲ୍ଲାର କେରେଡା ପଂଚାୟତକୁ ଗତ ୪ ତାରିଖ ରାତିରେ ଆସିଥିଲେ। ଉକ୍ତ ଦିନ ରାତିରେ ହାତୀପଲ ଅନିଜା ଗ୍ରାମରେ ଫସଲ ନଷ୍ଟ କରିବା ସହ ବୋରହଲୁଆ ଗ୍ରାମରେ ସିସି ରୋଡ୍ ସମେତ ଫଳକ ଓ ଘର ଭଙ୍ଗାରୁଜା କରିଥିଲେ। ଏହାପରେ ହାତୀ ଘଉଡାଇବା ସମୟରେ ଆନ୍ଧ୍ର ଗ୍ରାମବାସୀଙ୍କ ବାଣ ମାଡରେ ମାଈ ହାତୀ ଗୁରୁତର ହେବା ସହ ହିଂସ୍ର ହୋଇ ପଡିଥିବା ହାତୀ ପଲ। ଆକ୍ରମଣରେ ଆନ୍ଧ୍ରପ୍ରଦେଶ ନାଇଡୁୱାଲେସା ଗ୍ରାମର ନିମାକା ଫକୀର ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ବୃଦ୍ଧଙ୍କ ମୃତ୍ୟୁ ପରେ ଗତ ୧୫ ତାରିଖରେ ପିସିସିଏଫ୍ ଦେବବ୍ରତ ସ୍ବାଇଁ ରାୟଗଡା ଗସ୍ତରେ ଆସି ଘଟଣାର ସମୀକ୍ଷା କରିଥିଲେ। ପ୍ରଭାବିତ ଗ୍ରାମ ପରିଦର୍ଶନରେ ଯିବା ସହିତ ଜଂଗଲରେ ଖାଦ୍ୟାଭାବ ଯୋଗୁ ହାତୀପଲ ଗାଁ ମୁହାଁ ହୋଇଥିବା ପିସିସିଏଫ୍ ମତ ପ୍ରକାଶ କରିଥିଲେ। ପିସିସିଏଫଙ୍କ ପରିଦର୍ଶନର ଦୁଇ ଦିନ ପରେ ହାତୀ ପଲ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଛାଡି ଜଂଗଲମୁହାଁ ହୋଇଥିଲେ।

ସମ୍ବନ୍ଧିତ ଖବର