ହାଲ୍‌ ବିସ୍ଥାପିତ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

ସେମିଳିଗୁଡା: ସୁନାବେଡା ହାଲ୍‌ ବିସ୍ଥାପିିତ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ପାଙ୍ଗିଗୁଡାରେ ଅନୁଷ୍ଠିତ ହୋଇଯାଇଛି। କୌଣସି ପରିସ୍ଥିତିରେ ଭିଟାମାଟି ନଛାଡିବାକୁ ସଂଘ ପକ୍ଷରୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସୁନାବେଡା ଠାରେ ୬୨ବର୍ଷ ତଳେ ହାଲ୍‌ ସ୍ଥାପନ ହୋଇଥିଲା। ହାଲ୍‌ ସ୍ଥାପନ ହେବା ଦ୍ୱାରା ୨୨ଖଣ୍ଡ ଗ୍ରାମବାସୀ ବିସ୍ଥାପିତ ହୋଇଥିଲେ। ଜମିଜମା ହରାଇ ବହୁ ମୂଳ ଅଧିବାସୀ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲି ଯାଇଥିଲେ। ସେତେବେଳର ଥଇଥାନ ନୀତି ଲୋକଙ୍କ ଦୁର୍ଦଶାକୁ ବହୁ ଗୁଣିତ କରି ଦେଇଥିଲା। ଆଜି ବି କିଛି ଲୋକ ନିଜ ଭିଟା ମାଟିରେ ଦୁର୍ଦଶାରେ ପଡି ରହିଛନ୍ତି। ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ନିର୍ବାହ ନେଇ କୌଣସି ଦୃଢ ପଦକ୍ଷେପ ନିଆଗଲା ନାହିଁ। ହାଲ୍‌ ସ୍ଥାପନ ପାଇଁ ଅଧିଗ୍ରହଣ ହୋଇଥିବା ଜମିରେ ଏକ ମିକ୍ସଡ୍‌ ଫାର୍ମ, କେନ୍ଦ୍ରୀୟ ଗୋ-ପ୍ରଜନନ, କୋବ୍ରା ୨୦୨ବାଟାଲିୟନ ଓ ଓୟୁଏଟି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆଦି ସ୍ଥାପନ କରାଯାଇଛି। କିନ୍ତୁ ବିସ୍ଥାପିତ ଜମିହରାଙ୍କ ପାଇଁ ମୌଳିକ ବ୍ୟବସ୍ଥା କରାଯାଇନଥିବା ବୈଠକରେ ଆଲୋଚନା ହୋଇଥିଲା।

ତେଣୁ ସଭାପତି ତ୍ରିଲୋଚନ ମୁଦୁଲିଙ୍କ ନେତୃତ୍ୱରେ ହାଲ୍‌ ବିସ୍ଥାପିତ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତୀବ୍ର ନିନ୍ଦା କରାଯାଇଛି। ଜୀବନ ଦେବୁ ପଛେ କୌଣସି ପରିସ୍ଥିତିରେ ଭିଟା ମାଟି ଛାଡିବୁ ନାହିଁ ବୋଲି ବିସ୍ଥାପିତ ମାନେ ସଂକଳ୍ପ ନେଇଥିଲେ। କିଛି ଅବଶିଷ୍ଟ ଜମିରେ ଦୀର୍ଘ ୩୦ବର୍ଷ ହେବ ଚାଷବାସ କରି ଜୀବିକା ନିର୍ବାହ କରି ଆସୁଥିବା ବିସ୍ଥାପିତଙ୍କୁ କୌଣସି ଚକ୍ରାନ୍ତରେ ପକାଇବାକୁ ଉଦ୍ୟମ ହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଭୁବନେଶ୍ୱର ସ୍ଥିତ କିସ୍‌ ପରିସରରୁ ପ୍ରାୟ ୨ହଜାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନେଇ ବହିଷ୍କାର କରିବା ନେଇ ଚାଲିଥିବା ଚକ୍ରାନ୍ତକୁ ମଧ୍ୟ ବୈଠକରେ ଦୃଢ ବିରୋଧ କରାଯାଇଥିଲା।

ହାଲ୍‌ ବିସ୍ଥାପିତ ସଂଘକୁ ସମର୍ଥନ କରି କୋରାପୁଟ ଦଳ ସୁରକ୍ଷା ସମିତିର ସଭାପତି ଦାସି ନନ୍ଦବାଲି, ହାଟଶୁକୁ ଚାଇନା ମାଟି ସୁରକ୍ଷା ସମିତି ସଭାପତି ତିଲକ ଭଞ୍ଜିଆ, ଆଦିବାସୀ ହରିଜନ ସୁରକ୍ଷା ସମିତି ସଭାପତି ପୂର୍ଣ୍ଣ ପାଙ୍ଗି, ସେରୁବନ୍ଧ ସୁରକ୍ଷା ସମିତି ସଭାପତି ଭଗବାନ ଗୋଲରୀ, ବିିକ୍ରମଦେବ ମହାବିଦ୍ୟାଳୟର ଛାତ୍ର ନେତା ଆଲୋକ ମେହେର, ମାଳି ପର୍ବତ ସୁରକ୍ଷା ସମିତି ସଭାପତି ଦାଶରଥି ଖିଲ ଏହି ବୈଠକରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାମ ମୁଦୁଲି, ପୂର୍ଣ୍ଣ ଜାନୀ, କମଳ ପାଙ୍ଗି, ବିଦ୍ୟୁତ ଭତ୍ରା, ରବି ପାମିଆ ପ୍ରମୁଖ ନେତା ଯୋଗ ଦେଇ ବିସ୍ଥାପିତଙ୍କୁ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର