ମେଗା ଦିବ୍ୟାଙ୍ଗ ସହାୟକ ଶିବିର:ଉପକୃତ ହେଲେ ୨୫୩୬ ଭିନ୍ନକ୍ଷମ

ଦିବ୍ୟାଙ୍ଗ ନିଜ ମନୋବଳ ଦୃଢ ରଖି ଆଗେଇ ଯାଆନ୍ତୁ: ଜିଲ୍ଲାପାଳମଟର ଟ୍ରାଇସାଇକେଲ ପାଇଁ ୫୦ପ୍ରତିଶତ ଅନୁଦାନ ମିଳିବ: ସାଂସଦ

ରାୟଗଡ଼ା: ଦିବ୍ୟାଂଗ ନିଜ ମନୋବଳ ଦୃଢ ରଖନ୍ତୁ। ଆତ୍ମବିଶ୍ୱାସର ସହ ଆଗେଇ ଚାଲନ୍ତୁ। ସହାୟତା ପାଇଁ ଆମେ ଅଛୁ। ରାୟଗଡା ଠାରେ ଆୟୋଜିତ ମେଗା ଦିବ୍ୟାଙ୍ଗ ସହାୟକ ଶିବିରରେ ଏହି କଥା କହିଛନ୍ତି ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର। ସ୍ଥାନୀୟ ଜିସିଡ଼ି ହାଇସ୍କୁଲ ପଡ଼ିଆରେ ଆୟୋଜିତ ଶିବିରରେ ଜିଲ୍ଲାପାଳ ପୁଣି କହିଥିଲେ ଦିବ୍ୟାଂଗଙ୍କ ନିମନ୍ତେ ଉଦ୍ଧିଷ୍ଟ ଯୋଜନା ସଂପର୍କରେ ପ୍ରକାଶ କରିଥିଲେ। ସମାଜର ମୁଖ୍ୟସ୍ରୋତକୁ ଆସିବାକୁ ଆହ୍ଵାନ ଦେଇ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ଗତ କିଛି ମାସ ମଧ୍ୟରେ ଆତ୍ମନିର୍ଭରଶୀଳ ହେବାକୁ ପ୍ରାୟ ୫୦୦ ଜଣ ଦିବ୍ୟାଂଗ ୨୦ହଜାର ଟଙ୍କା ଲେଖାଏଁ ସହାୟତା ପାଇଛନ୍ତି। ସେହିପରି ଗତ ବର୍ଷକ ମଧ୍ୟରେ ଜିଲ୍ଲାର ପ୍ରାୟ ୨ଲକ୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ। କୋରାପୁଟ ସାଂସଦ ଝିହ୍ନ ହିକ୍କକା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଜିଲ୍ଲା ପ୍ରଶାସନର ଏଭଳି ସାଧୁ ଉଦ୍ୟମକୁ ପ୍ରଶଂସା କରିଥିଲେ। ଦିବ୍ୟାଂଗଙ୍କ ପାଇଁ ମଟର ଟ୍ରାଇସାଇକେଲ କ୍ରୟ ପାଇଁ ସାଂସଦ ପାଣ୍ଠିରୁ ୫୦ପ୍ରତିଶତ ଅନୁଦାନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ସାଂସଦ ପାଣ୍ଠିରୁ କ୍ରୟ ହୋଇଥିବା ବ୍ୟାଟେରି ଚାଳତ ମଟର ଟ୍ରାଇ ସାଇକେଲକୁ ସାଂସଦ ଶ୍ରୀ ହିକ୍କକା ପିତାମହଲ ଅଞ୍ଚଳର ଦିବ୍ୟାଂଗ ସୁବାସ କୌଶଲ୍ୟାଙ୍କୁ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ରୂପେ ବିଷମକଟକ ବିଧାୟକ ଜଗନ୍ନାଥ ସାରକା, ପୌର ଅଧ୍ୟକ୍ଷା ଭି. ଗୌରୀ ଜୟନ୍ତୀ, ଉପାଧ୍ୟକ୍ଷ ଡ଼. ନିରଂଜନ ବକ୍ସିପାତ୍ର, ଜିଲ୍ଲାପରିଷଦ ସଭ୍ୟ ପି. ଗୌରୀ ଶଙ୍କର, ଗଂଗାଧର ପୁଆଲା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ମଧୁସୂଦନ ମିଶ୍ର, ଉପଜିଲ୍ଲାପାଳ ପ୍ରବୀର କୁମାର ନାୟକ, ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ ମୁରଲୀଧର ସ୍ୱାଇଁ, ଡ଼ିପିସି ବିନୋଦିନୀ ପଣ୍ଡା ପ୍ରମୁଖ ଦିବ୍ୟାଂଗଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ଉପରେ ଆଲୋକପାତ କରିବା ସହ ଅଗ୍ରାଧିକାର ଭିତ୍ତିରେ କର୍ମଚାରୀ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ରାୟଗଡ଼ା ଭାରପ୍ରାପ୍ତ ବିଡ଼ିଓ ନୃସିଂହ ଚରଣ ପଟନାୟକଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ହିତାଧିକାରୀଙ୍କୁ ଉପକରଣ ବଣ୍ଟନ କରାଯାଇଥିଲା। ଶିବିରରେ ମୋଟ ୨୫୩୬ ଜଣ ଦିବ୍ୟାଂଗଙ୍କ ନାମ ପଂଜୀକୃତ ହୋଇଥିବା ବେଳେ ୩୩୬୫ଜଣ ଉପକୃତ ହୋଇଥିଲେ।

ଅନେକ ଦିବ୍ୟାଂଗ ଏକାଧିକ ଯୋଜନାରେ ସୁବିଧା ପାଇଥିବା ଯୋଗୁଁ ସଂଖ୍ୟା ବୃଦ୍ଧି ହୋଇଛି। ଶିବିରରେ ରାୟଗଡ଼ା ବ୍ଲକର ୯୪୫ଜଣ, ପୌରାଞ୍ଚଳର ୫୩୧ଜଣ, କାଶୀପୁର ବ୍ଲକର ୮୬୪ଜଣ, କୋଲନରା ବ୍ଲକର ୪୧୧ଜଣ ଏବଂ କଲ୍ୟାଣସିଂହପୁର ବ୍ଲକର ୬୧୪ ଜଣ ଦିବ୍ୟାଙ୍ଗ ଯୋଗ ଦେଇଥିଲେ। ସେଥିରୁ ୭୭ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବ୍ୟବସାୟୀ ପାଇଁ ୧୦ହଜାର ଟଙ୍କା, ୫ ଜଣଙ୍କୁ ବିବାହ ପ୍ରୋତ୍ସାହୋନ ରାଶି ୫୦ ହଜାର, ମିଶନ ଶକ୍ତି ଯୋଜନାରେ ୧୧ଟି ଭିନ୍ନକ୍ଷମ ସ୍ୱୟଂ ସହାୟକ ଦଳକୁ ପ୍ରତ୍ୟେକ ଦଳକୁ ୨୦ ହଜାର ଟଙ୍କା ଲେଖାଏଁ, ୧୨୦ ଜଣଙ୍କୁ ଟ୍ରାଇସାଇକେଲ, ୭୯ଜଣଙ୍କୁ ଚକଲଗା ଚୌକି, ୧୮ଜଣଙ୍କୁ ଆଶାବାଡ଼ି, ୩୭ ଜଣଙ୍କୁ ଆଶାବାଡି, ୪୦ଜଣ ଚକ୍ଷୁହୀନଙ୍କୁ ବ୍ରେଲ କେନ, ଶ୍ରବଣ ଯନ୍ତ୍ର ୭୦ ଜଣ, ପ୍ରଥମରୁ ସପ୍ତମ ଶ୍ରେଣୀ ମଧ୍ୟରେ ୧୫୪ ଦିବ୍ୟାଂଗ ଛାତ୍ରଙ୍କୁ ୨୫୦ ଟଙ୍କା ବାଣିଶ୍ରୀ ବୃତ୍ତି, ୨୬୪ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ, ୭୧୭ ଜଣଙ୍କୁ ଆୟ ପ୍ରମାଣ ପତ୍ର, ୬ ଜଣଙ୍କୁ ଡ଼ିଆରଇ ଋଣ, ୮୧୦ ଜଣଙ୍କୁ ସ୍ୱାବଲମ୍ବନ ସ୍ୱାସ୍ଥ୍ୟ ବୀମା (୩ଲକ୍ଷ ଟଙ୍କା)ରେ ସାମିଲ, ୧୦ଜଣଙ୍କୁ ସ୍ୱତନ୍ତ୍ର ବିଜୁ ପକ୍କା ଘର ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ, ନୂଆ ୯୦ଜଣଙ୍କୁ ଭିନ୍ନକ୍ଷମ ଭତ୍ତା, ୩ ଜଣଙ୍କୁ କୃତ୍ରିମ ଅଂଗ ରୋପଣ, ୭୯୨ ଜଣଙ୍କୁ ବସପାସ ଏବଂ ୪୨ଜଣଙ୍କୁ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ୨୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଜିଲ୍ଲାରେ ଆୟୋଜିତ ତିନୋଟି ଶିବିରରେ ମୋଟ ୪୯୧୬ ଜଣ ଦିବ୍ୟାଂଗ ଶିବିରରେ ଯୋଗଦେଇ ଉପକୃତ ହୋଇଥିବା ଜଣାପଡ଼ିଛି। ଆଜିର ଶିବିରରେ ନାମ ପଂଜୀକରଣ ପାଇଁ ୧୫ଟି କାଉଣ୍ଟର ଖୋଲାଯାଇଥିଲା। କାର୍ଯ୍ୟକ୍ରମକୁ ରାୟଗଡ଼ା ବିଡ଼ିଓ ନୃସିଂହ ଚରଣ ପଟନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଜିତ କୁମାର ହୋତା, ଶିକ୍ଷକ ନୀଳାଞ୍ଚଳ ମିଶ୍ର, ପିଏ ଗୋପାଳ ପଣ୍ଡା, ପିଇଓ ମନୋରଂଜନ ପାତ୍ର, ପ୍ରତାପ ମଲ୍ଲ, ଆଇସିଡ଼ିଏସ ସୁପରଭାଇଜରଙ୍କ ତତ୍ୱାବୋଧନରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର, କୋଲନରା ବିଡ଼ିଓ ଶାନ୍ତିପ୍ରଭା ପ୍ରଧାନ, ଏବିଡ଼ିଓ ଏସ.ଗୋପାଳ ରାଓ, ଏଡ଼ିଏସଡ୍‌ବ୍ଲ୍ୟ ସିବିଏନ ମୂର୍ତ୍ତି, ଜିଲ୍ଲା ସମାଜ ମଂଗଳ ଅଧିକାରୀ ମନୋରମା ରେଡ଼ି ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର