ଚୋରା କାଠ ବ୍ୟବସାୟ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

ଅମ୍ବାଦଳା: ରାୟଗଡା ଜିଲ୍ଲା ମୁନିଗୁଡା ରେଂଜ ଅନ୍ତର୍ଗତ ଅମ୍ବାଦଳା ଗ୍ରାମର ନୂଆପଡାରେ ରହୁଥିବା ପାଣ୍ଡରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ଲେଙ୍କାଙ୍କୁ ବନ ବିଭାଗ ଗିରଫ କରିଛି। ଚୋରାରେ କାଠ ବ୍ୟବସାୟ କରୁଥିବା ଅଭିଯୋଗରେ ବନ ବିଭାଗ ଶ୍ରୀଲେଙ୍କାଙ୍କୁ ଗିରଫ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଶ୍ରୀ ଲେଙ୍କା ନିଜ ଘରେ ବିଭିନ୍ନ ମୂଲ୍ୟବାନ କାଠ ରଖି ଚୋରାରେ ବିକ୍ରି କରୁଥିବା ନେଇ ବନ ବିଭାଗ ନିକଟରେ ଖବର ପହଞ୍ଚିଥିଲା। ରାୟଗଡା ଡିଏଫଓଙ୍କ ନିର୍ଦେଶ କ୍ରମେ ଆଜି ମୁନିଗୁଡା ବନପାଳ ହରିଶ୍ଚନ୍ଦ୍ର ମାର୍ଥା, ଅମ୍ବାଦଳା ବନପାଳ ଚନ୍ଦ୍ରଶେଖର ସାହୁ, ବନରକ୍ଷୀ ଗୌତମ ପଣ୍ଡା, ରନିତ କୁମାର ମହାରଣା, ସର୍ମିଷ୍ଠା ବଡଜେନା, ବଳରାମ ବଚା, ଗୌର ପାତ୍ର, ପିତାମ୍ବର ଗୌଡ, ନରେନ୍ଦ୍ର ପୂଜାରୀ, ଭିକାରୀ ମାଝୀ ପ୍ରମୁଖ ପ୍ରେମାନନ୍ଦ ଲେଙ୍କାଙ୍କ ବାସଭବନରେ ଚଢା‌ଉ କରିଥ‌ିଲେ। ଚଢାଉ ସମୟରେ ବନ ବିଭାଗ କର୍ମଚାରୀ ଶ୍ରୀ ଲେଙ୍କାଙ୍କ ଘରୁ ୩୬ସିଏଫଟି ଶାଳ ଓ ପିଆଶାଳ କାଠ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ। ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୭୦ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ବନ ବିଭାଗର ଏଭଳି ଚଢାଉ ପରେ ଅମ୍ବାଦଳା ଅଞ୍ଚଳରେ ଚୋରା କାଠ ବ୍ୟବସାୟୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର