ଦୀର୍ଘ ମାସ ହେଲା ଦରମା ପାଇବାରୁ ବଞ୍ଚିତ ସ୍ବାସ୍ଥ୍ୟ କର୍ମଚାରୀ

ବିଭାଗ ନିରବ

ବିଷମକଟକ: ରାୟଗଡା ଜିଲ୍ଲା ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କୁ ଦୀର୍ଘ ମାସ ହେଲା ଦରମା ମିଳିପାରିନି। ଏପରିକି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ମଧ୍ୟ ୩ମାସ ହେଲା ଦରମା ପାଇନାହାନ୍ତି। ଏଥିଯୋଗୁଁ ପରିବାର ଚଳାଇବାରେ ସମସ୍ୟା ଦେଖାଦେଉଥିବା କର୍ମଚାରୀ ମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଓ କିରାଣିଙ୍କ ମଧ୍ୟରେ ବିବାଦ ଦେଖା ଦେବାରୁ କର୍ମଚାରୀ ମାନେ ଦରମା ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଛି। କିନ୍ତୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେଉନଥିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସୂଚନା ଅନୁଯାୟୀ, ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାୟ ଦେଢ ବର୍ଷ ତଳେ ବିନୋଦିନୀ ଗମାଙ୍ଗ କିରାଣି ଭାବେ ନିଯୁକ୍ତ ହୋଇଥିଲେ। ଦୀର୍ଘ ଦିନ କାର୍ଯ୍ୟ କରିବା ପରେ କାର୍ଯ୍ୟାଳୟର କାର୍ଯ୍ୟ ଅଗ୍ରଗତି ସଠିକ୍ ଭାବେ କରିପାରୁନଥିବାରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ସ˚ପୃକ୍ତ କିରାଣିକୁ ବିଭାଗୀୟ କାର୍ଯ୍ୟ ଠିକ୍‌ ସମୟରେ ସାରିବା ନିମନ୍ତେ ବାରମ୍ବାର ନିର୍ଦ୍ଦେଶ ଦେଇ ଆସୁଥିଲେ। କିନ୍ତୁ ଏହାପରେ ମଧୢ କାର୍ଯ୍ୟାଳୟର କାର୍ଯ୍ୟ ଅଗ୍ରଗତି ହୋଇପାରିଲା ନାହିଁ। ଏଥିଯୋଗୁଁ ବିଭାଗୀୟ କାର୍ଯ୍ୟ ଗୁଡିକ ବନ୍ଦ ରହିବା ସହ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ମାସିକ ଦରମା ମିଳିବାରେ ଅହେତୁକ ବିଳମ୍ବ ହେବାରେ ଲାଗିଲା। ଏହାପରେ ଦରମା ପ୍ରଦାନ ନିମନ୍ତେ କର୍ମଚାରୀ ମାନେ ସ˚ପୃକ୍ତ କିରାଣି ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ବିକାଶ ପଣ୍ତାଙ୍କ ଉପରେ ଚାପ ପ୍ରୟୋଗ କରିବା ଆରମ୍ଭ କରିଥିଲେ। ଏହାକୁ କେନ୍ଦ୍ର କରି ଡା. ପଣ୍ଡା ଓ କିରାଣିଙ୍କ ମଧୢରେ ବିବାଦ ବଢିବାରେ ଲାଗିଲା। ଶେଷରେ କଥା ଯାଇ ପହଞ୍ଚିଥିଲା ସିଡିଏମଓଙ୍କ ନିକଟରେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ପଣ୍ଡା ମାନସିକ ନିର୍ଯାତନା ଦେବା ସହ ଜାତିଆଣ ଆକ୍ଷେପ କରୁଥିବା ନେଇ ଗତ ଦିନରେ କିରାଣି ବିନୋଦିନୀ ଗଣ୍ଡ ସିଡିଏମଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଅନ୍ୟପଟେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବାରୁ କିରାଣିଙ୍କୁ ଅନ୍ୟତ୍ର ବଦଳି କରିବାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମାନେ ସିଡିଏମଓଙ୍କ ନିକଟରେ ଦାବି କରିଥିଲେ। ଶେଷରେ ଗୋ‌ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ, ଡା. ପଣ୍ଡାଙ୍କ ସମେତ ଆଉ କିଛି ଡାକ୍ତର ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ମହିଳା କିରାଣି ଜଣକ ଚଳିତ ମାସ ୩ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗର ୩ଦିନ ପରେ ସିଡିଏମଓ ସ˚ପୃକ୍ତ କିରାଣିଙ୍କୁ କୋଲନରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେସନ୍‌ରେ ପଠାଇବା ସହ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ବାରା ଏହାର ତଦନ୍ତ କରାଇଥିଲେ। ଅନ୍ୟପଟେ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଜଣେ କିରାଣିଙ୍କୁ ଡେପୁଟେସନ୍‌ରେ ପଠାଇ ସିଡିଏମଓ ବିବାଦକୁ ଭିତରକୁ ଟାଣି ହୋଇଛନ୍ତି। ଏହି ବିବାଦ ଯୋଗୁଁ ଅଫିସ୍‌ ରୁମ୍‌ରେ ତାଲା ପଡିବା କାରଣରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କାର୍ଯ୍ୟ ଠପ୍‌ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ କିରାଣିଙ୍କ ଭିତରେ ବିବାଦ ଯୋଗୁଁ କର୍ମଚାରୀ ମାନେ କାହିଁକି ଦରମାରୁ ବଞ୍ଚିତ ହୋଇଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶ ଥାଉକି, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ୩ମାସର ଦରମା ଓ ଅନ୍ୟ ୨ଜଣ ଡାକ୍ତର ୫ମାସର ଦରମା ପାଇନାହାନ୍ତି। ସେହିପରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ, ସ୍ବାସ୍ଥ୍ୟକର୍ମୀ, ଲ୍ୟାବ୍ ଟେକ୍ନିସିଆନଙ୍କ ସମେତ ପ୍ରାୟ ୭୦ଜଣ କର୍ମଚାରୀ ଦରମା ପାଇବାରୁ ବଞ୍ଚିତ ରହିଛନ୍ତି। ଦରମା ମିଳୁନଥିବାରୁ କର୍ମଚାରୀ ମାନେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ଶୀଘ୍ର ସମସ୍ତ କର୍ମଚାରୀଙ୍କୁ ଦରମା ପ୍ରଦାନ ଦିଗରେ ତୁରନ୍ତ ଜିଲ୍ଲାପାଳ ହସ୍ତକ୍ଷେପ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର