ଦଶମ ଦିନରେ ଇମ୍ଫା ବିରୋଧୀ ଆନ୍ଦୋଳନ

ରାୟଗଡା: ୯ଦଫା ଦାବି ନେଇ ରାୟଗଡା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନା ବିରୋଧରେ ଚାଲିଥିବା ଗଣଧାରଣା ଆଜି ୧୦ମ ଦିନରେ ପହଞ୍ଚିଛି। ସମାଧାନ ପାଇଁ ରାସ୍ତା ବାହାରି ପାରୁ ନଥିବା ବେଳେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ଡଙ୍ଗରିଆ କନ୍ଧ। ସେହିପରି ଜିଲ୍ଲା ପ୍ରଶାସନ ମଧ୍ୟ ବିଶେଷ ଆଗ୍ରହ ପ୍ରକାଶ କରିନଥିବା ଦେଖିବାକୁ ମିଳିଛି।
ଅପରପକ୍ଷରେ ଡଙ୍ଗରିଆଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବାରୁ ତାହାର ପ୍ରଭାବ ଆନ୍ଦୋଳନ ଉପରେ ପଡିଥିଲା। ଦୁଇ ଦିନ ତଳେ ନିୟମଗିରି ସୁରକ୍ଷା ପରିଷଦ ସଭାପତି ସିକ୍କକା ଲଦ ଆନ୍ଦୋଳନକୁ ସିଧାସଳଖ ବିରୋଧ କରିଥିଲେ। ଆଦିବାସୀ ବିକାଶ ମଞ୍ଚ ସଦସ୍ୟ ଜିତୁ ଜାକ୍କାସିକାଙ୍କୁ ଦଣ୍ଡା ଦିଆଯିବ ବୋଲି ମଧ୍ୟ କହିଥିଲେ। ଜିତୁ ବି ଏହାର ଜବାବ ଦେଇଥିଲେ। ଏହାପରେ ଆଜି ଆନ୍ଦୋଳନକାରୀଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସ୍ପଷ୍ଟୀକରଣ ଦିଆଯାଇଛି। କୁହାଯାଇଛି ଯେ, ଇମ୍ଫା କାରଖାନା କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ନିଜ ଅଧିକାର ହାସଲ ପାଇଁ ସ୍ଥାନୀୟ ବାସିନ୍ଦା, ବେକାର ଯୁବକ, ଯୁବତୀ ଏବଂ ଅସ୍ଥାୟୀ ଠିକା କର୍ମଚାରୀ ଆନ୍ଦୋଳନ କରୁଛନ୍ତି। ଏହାକୁ ନିୟମଗିରି ଅଞ୍ଚଳର କିଛି ଡ଼ଂଗରିଆ ଭାଇ, ଭଉଣୀ ସମର୍ଥନ କରୁଛନ୍ତି। ଏହି ଆନ୍ଦୋଳନ ନିୟମଗିରି ସୁରକ୍ଷା ପରିଷଦ ନାମରେ କରାଯାଉନାହିଁ ବୋଲି ଆଜି ସ୍ପଷ୍ଟ କରାଯାଇଛି। କେତେକ ଗଣମାଧ୍ୟମ ସଠିକ ରୂପେ ଖବର ପ୍ରସାରଣ ନକରି ନିୟମଗିରି ସୁରକ୍ଷା ପରିଷଦ ଆନ୍ଦୋଳନ କରୁଥିବା ଭଳି ମିଥ୍ୟା ପ୍ରଚାର କରୁଛନ୍ତି। ସେହିଭଳି ନିୟମଗିରି ସୁରକ୍ଷା ପରିଷଦର ସଭାପତି ଲଦ ସିକ୍କକା କରିଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ବୋଲି ଜଣାଯାଇଛି। ନିଜ ଅଧିକାର ଓ ହକ ପାଇବା ପର୍ଯ୍ୟନ୍ତ ଇମ୍ଫା ବିରୋଧରେ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି। ଏହାକୁ ଭଣ୍ଡୁର କରିବା ନିମନ୍ତେ କେହି ଉଦ୍ୟମ କଲେ ତାଙ୍କୁ ଉଚିତ ଯବାବ ଦିଆଯିବ ବୋଲି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର