ଇନ୍ଦିରା ଆବାସ ଦୁର୍ନୀତି ପ୍ରସଙ୍ଗ:ସନ୍ଦେହ ଘେରରେ ବିଡ଼ିଓଙ୍କ ଭୂମିକା!

ଫାଇଲ ଦେବାକୁ ବ୍ଲକ କର୍ମଚାରୀ କୁନ୍ଥୁକୁନ୍ଥୁ: ବ୍ଲକ କର୍ମଚାରୀଙ୍କୁ ଜେରା କରିବ ଭିଜିଲାନ୍‌ସ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମ୍ମା ପଞ୍ଚାୟତରେ ଇନ୍ଦିରା ଆବାସ ଦୁର୍ନୀତି ଘଟଣାର ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍‌ସ। ଫାଇଲ ସଂଗ୍ରହ ସହ କ୍ଷେତ୍ର ପରିଦର୍ଶନ କରି କେଉଁ ସ୍ତରରେ ଦୁର୍ନୀତି ହୋଇଛି ତାହ ଜାଣିବାକୁ ଚେଷ୍ଟା ଚଳାଇଛି। ନୂଆ ନୂଆ ତଥା ଚକିତ କଲା ଭଳି ତଥ୍ୟ ସବୁ ଭିଜିଲାନ୍‌ସକୁ ମିଳୁଥିବା ଜଣାପଡିଛି। ଅନ୍ୟପଟେ ଏହି ମହାଦୁର୍ନୀତିକୁ ନୂଆ ମୋଡ ଦେବାକୁ ପ୍ରୟାସ କରି ସନ୍ଦେହ ଘେରକୁ ଆସିଛନ୍ତି କଲ୍ୟାଣସିଂହପୁର ବିଡିଓ। ଯାହାଫଳରେ ଏହି ଦୁର୍ନୀତିର ଚେର ବହୁ ଦୂରକୁ ଲମ୍ବିଥିବା ଅନୁମାନ କରାଯାଉଛି।
ସୂଚନା ଅଧିକାର ଆଇନ ଜରିଆରେ ମିଳିଥିବା ତଥ୍ୟକୁ ଆଧାର କରି ସେରିଗୁମା ପଞ୍ଚାୟତର ଲକ୍ଷ୍ମଣ ହିକକା ଭିଜିଲାନ୍‌ସ ନିକଟରେ ଅଭିଯୋଗ କରିଥିଲେ। ତେଣୁ ଭିଜିଲାନ୍‌ସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟରେ କିଛି ନିର୍ଧିଷ୍ଟ ଫାଇଲ ମଗା ଯାଇଥିଲା। ଏହାପରେ ଆଜି ରାୟଗଡା ଭିଜିଲାନ୍‌ସ ଏସଆଇ କଳାବତୀ ବାଗ ଓ ବିଡିଓ ଅନୁପ ପଣ୍ଡା ସେରିଗୁମା ପଞ୍ଚାୟତକୁ ଯାଇଥିଲେ। ଯେଉଁ ମାନଙ୍କ ନାମ ହିତାଧିକାରୀ ତାଲିକାରେ ରହିଛି ସେମାନଙ୍କୁ ଭେଟିଥିଲେ। ଆବଶ୍ୟକ ତଥ୍ୟ ବି ସଂଗ୍ରହ କରିଥିଲେ। ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ହିତାଧିକାରୀଙ୍କ ଫାଇଲ ମାଗିଥିଲେ। କିନ୍ତୁ ପଞ୍ଚାୟତ କର୍ତୃପକ୍ଷ କିଛି ଫାଇଲ ବ୍ଲକ କାର୍ଯ୍ୟାଳୟରେ ରହିଥିବା କହିଥିଲେ। ତେଣୁ ସେଠାରୁ ଫେରି ଭିଜିଲାନ୍‌ସ ଏସଆଇ ବ୍ଲକ କାର୍ଯ୍ୟାଳୟରେ ଆବଶ୍ୟକ ଫାଇଲ ମାଗିଥିଲେ ହେଁ କର୍ମଚାରୀ ଦେବାକୁ କୁନ୍ଥୁକୁନ୍ଥୁ ହୋଇଥିଲେ। ବିଭିନ୍ନ ଆଳ କରି ସମୟ ଗଡାଇ ଦେବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ।
ଏ ସଂର୍କରେ ବିଡିଓ ପଣ୍ଡାଙ୍କୁ ପଚାରିବାରୁ ଚକିତ କଲା ଭଳି ଉତ୍ତର ମିଳିଥିଲା। ଯେଉଁ ମାନଙ୍କ ନାମରେ କାର୍ଯ୍ୟାଦେଶ ମଞ୍ଜୁର ହୋଇଥିଲା ସେମାନେ ଘର କରିବାକୁ ମନା କରି ଦେଇଥିଲେ ବୋଲି ସଫେଇ ଦେଇଥିଲେ। ଯାହାକୁ ନେଇ ଏବେ ବିଡିଓଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ଗୋଟିଏ ପଟେ ଭଙ୍ଗା ଝାଟିମାଟି ଘରେ ମୁଣ୍ଡ ଗୁଞ୍ଜିଥିବା ବେଳେ ସରକାର ତାଙ୍କୁ ପକ୍କା ଘର ଦେଉଛି। ମଗଣାରେ ମିଳୁଥିବା ପକ୍କା ଘରକୁ କାହିଁକି ଲୋକେ ଗ୍ରହଣ କରିବେ ନାହିଁ ବୋଲି ପ୍ରଶ୍ନ ଉଠୁଛି। ହିତାଧିକାରୀ ବି ସମାନ ପ୍ରଶ୍ନ କରିଛନ୍ତି। ଘର ପାଇଁ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଛୁ। ଆଶ୍ରୟ ନେବାକୁ ଭଲ ଘର ମିଳିବ। ଆମେ କାହିଁକି ମନା କରିବୁ ବୋଲି କମଳା ହଂସ, ଲାଲମଣି ନାଗ, ଜାଗଲାଡି ନାଚିକା, ରାଜୁ ନାଚିକା କହିଛନ୍ତି। ତେଣୁ ଘର ନକରି ଟଙ୍କା ଉଠିଥିବାରୁ କାହା ଆକାଉଣ୍ଟକୁ ଟଙ୍କା ଯାଇଛି। କିଏ କିଏ ସବୁ ଏଥିରେ ସଂପୃକ୍ତ ତାହାର ତଦନ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଭିଜିଲାନ୍‌ସ ଏସଆଇ କଳାବତୀ ବାଗଙ୍କୁ ଘଟଣା ସଂପର୍କରେ ପଚାରିବାରୁ ଆସନ୍ତା ୧୦ତାରିଖ ଦିନ ଭିଜିଲାନ୍‌ସ କାର୍ଯ୍ୟାଳୟ ଆସିବାକୁ ବିଡିଓ, ବ୍ଲକର ବରିଷ୍ଠ କିରାଣି, ପିଇଓ, ଜିଆରଏସ ଓ ସରପଞ୍ଚଙ୍କୁ ଡକାଯାଇଛି। ସମସ୍ତ କାଗଜପତ୍ର ଜବତ କରାଯାଇ ତଦନ୍ତ ହେବ। ଯେ କେହି ଏହି ଦୁର୍ନୀତିରେ ସଂପୃକ୍ତ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର