ଖଟିଆରେ ବୁହାହେଲେ ଆହତ ଯୁବକ

ମିଳିଲାନି ଆମ୍ବୁଲାନ୍‌ସ ସେବା

ଗୁଣପୁର: ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍‌ସ ପହଞ୍ଚି ପାରିଲାନି। ଫଳରେ ଗଛରୁ ପଡ଼ି ଗୁରୁତର ଆହତ ହୋଇଥିବା ଜଣେ ଯୁବକଙ୍କୁ ଦୀର୍ଘ ୭କିଲୋମିଟର ଦୂର ଖଟିଆରେ ବୋହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ତେବେ ଡାକ୍ତର ନଥିବାରୁ ଫାର୍ମାସିଷ୍ଟ ପ୍ରାଥମିକ ଚିକିତ୍ସା କରିବା ପରେ ପୁଣି ଗୁରୁତର ଯୁବକଙ୍କୁ ଆମ୍ବୁଲାନ୍‌ସ ଯୋଗେ ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସ୍ବାସ୍ଥ୍ୟ ସେବାର ଏଭଳି ବିକଳ ଚତ୍ର ଆଜି ଦେଖିବାକୁ ମିଳିଥିଲା ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ପୁଟାସିଂ ପଞ୍ଚାୟତର ଲାଡେ ଗ୍ରାମରେ।
ସୂଚନା ଅନୁଯାୟୀ, ଆଜି ଲାଡେ ଗ୍ରାମବାସୀ ମିଳିତ ଭାବେ ଚର୍ଚ ନିର୍ମାଣ ନିମନ୍ତେ ଏକତ୍ରିତ ହୋଇ କାମ ଆରମ୍ଭ କରିଥିଲେ। ଗାଁର ବିନିମୟ ଶବର (୩୪) ଗୋଟିଏ ଗଛରେ ଚଢ଼ି ଡାଳ କାଟୁଥିବା ସମୟରେ ଅସାବଧାନତା କାରଣରୁ ତଳେ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡ ଓ ଶରୀରର ବିିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ତେବେ ଆହତଙ୍କୁ ମେଡିକାଲ ନେବାରେ ବିଳମ୍ବ ହୋଇଥିଲା। କାରଣ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍‌ସ ଆସିପାରି ନଥିଲା। ବାଧ୍ୟ ହୋଇ ଗ୍ରାମବାସୀ ଖଟିଆରେ ଦୀର୍ଘ ୭କିଲୋମିଟର ଦୂର ପୁଟାସିଂ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ବୋହି ନେଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନ ହେଲା ଡାକ୍ତର ପଦବି ଖାଲି ପଡ଼ିଥିବାରୁ ଫାର୍ମାସିଷ୍ଟ ପ୍ରାଥମିକ ଚିକିତ୍ସା କରିଥିଲେ। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିବାରୁ ଗୁଣପୁର ‌ଉପଖଣ୍ଡ ଚିକିତ୍ସାଳୟ ନେବାକୁ ଫାର୍ମାସିଷ୍ଟ ପରାମର୍ଶ ଦେଇଥିଲେ। ପରେ ୧୦୮ ଆମ୍ବୁଲାନ୍‌ସ ଯୋଗେ ବିନିମୟଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।
ପ୍ରକାଶଥାଉକି, ଲାଡେ ଗ୍ରାମ ପୁଟାସିଂ ପଞ୍ଚାୟତର ରାଜସ୍ବ ଗାଁ। ୪ଟି ୱାର୍ଡରେ ପ୍ରାୟ ୨ଶହ ପରିବାର ବସବାସ କରୁଛନ୍ତି। କିନ୍ତୁ ବର୍ତମାନ ସୁଦ୍ଧା ଏହି ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ହୋଇପାରିନି। ୨୦୧୪ ମସିହାରେ ଏହି ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରାଯାଇ ରାସ୍ତା ନିର୍ମାଣ କରିବାକୁ ଟେଣ୍ଡର ହୋଇଥିଲା। ତେବେ ୨ଜଣ ଠିକାଦାରଙ୍କ ବିବାଦ ଯୋଗୁଁ ଏହି ରାସ୍ତା କାମ ଆରମ୍ଭ ହୋଇପାରୁନି। ଅନ୍ୟପଟେ ପକ୍କା ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍‌ସ ଓ ଦମକଳ ଗାଡି ପହଞ୍ଚି ପାରୁନଥିବାରୁ ଗ୍ରାମବାସୀ ଜରୁରି ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତ ଜୁନ୍ ମାସରେ ଏହି ଅଞ୍ଚଳର କିଛି ହିତାଧିକାରୀ ପୁଟାସିଂ ପଞ୍ଚାୟତ କାର୍ଯ୍ୟାଳୟରୁ ପିଡିଏସ ସାମଗ୍ରୀ ଧରି ଟ୍ରାକ୍ଟର ଯୋଗେ ଗାଁକୁ ଫେରିବା ସମୟରେ ଟ୍ରାକ୍ଟର ଓଲଟି ଯିବାରୁ ୧୮ରୁ ଊର୍ଧ୍ବ ଜଣ ଆହତ ହୋଇଥିଲେ। ଏହାପରେ ସରପଞ୍ଚ ମେରି ଦଳବେହେରାଙ୍କ ନେତୃତ୍ବରେ ୫୦ରୁ ଊର୍ଧ୍ବ ଗ୍ରାମବାସୀ ଗତବର୍ଷ ଜୁନ୍ ୨୮ତାରିଖରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ପାଢୀଙ୍କୁ ସାକ୍ଷାତ କରି ରାସ୍ତା ନିର୍ମାଣ କରିବାକୁ ଦାବି କରିଥିଲେ। ଅତିଶୀଘ୍ର ରାସ୍ତା ନିର୍ମାଣ ହେବା ନେଇ ଶ୍ରୀ ପାଢୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଅଦ୍ୟାବଧି ରାସ୍ତା ନିର୍ମାଣ ହୋଇନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁଟାସିଂ ସ୍ବାସ୍ଥ୍ୟକେନ୍ଦ୍ରରେ ୧୦୮ଆମ୍ବୁଲାନ୍‌ସ ରହିଥିଲେ ହେଁ ଜରୁରି ସମୟରେ ଲୋକେ ଏହି ସେବାରୁ ବଞ୍ଚିତ ହେବା ପରିତାପର ବିଷୟ ବୋଲି ଗ୍ରାମବାସୀ କହିଛନ୍ତି। ସେହିପରି ନଳକୂପ ଖନନ ଗାଡ଼ି ଯାଇପାରୁ ନଥିବାରୁ ଗ୍ରାମବାସୀ ଝରଣାର ଦୂଷିତ ପାଣି ପିଉଛନ୍ତି। ଗ୍ରାମବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ରାସ୍ତା ନିର୍ମାଣ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର