ସଫେଇ ଆଳରେ ଗହଣା ଲୁଟ୍‌ :ସିସିଟିଭିରେ କଏଦ ଲୁଟେରା

ଗୁଣପୁର,: ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ଚିକିିତ୍ସାଳୟରେ କାର୍ଯ୍ୟରତ ଜଣେ ଷ୍ଟାଫନର୍ସଙ୍କ ଠାରୁ ଗହଣା ସଫେଇ ଆଳରେ ୨ଜଣ ଦୁର୍ବୃତ୍ତ ୩ତୋଳା ସୁନା ଗହଣା ଲୁଟ୍‌ କରିଛନ୍ତି। ଲୁଟେରାଙ୍କ ଫଟୋ ମେଡିକାଲ ନିକଟରେ ଥିବା ସିସିଟିଭିରେ ଏକଦ ହୋଇଛି। ଷ୍ଟାଫ୍‌ ନର୍ସ ଜଣକ ଏନେଇ ଗୁଣପୁର ଥାନାରେ ଏତଲା ଦେବା ପରେ ପୁଲିସ ସିସିଟିଭିକୁ ଆଧାର କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଆଜି ସକାଳେ ଏକ ବାଇକ୍‌ ଯୋଗେ ୨ଜଣ ବ୍ୟକ୍ତି ଗୁଣପୁର ମେଡିକାଲ ପଛପଟେ ଥିବା କଲୋନିରେ ରହୁଥିବା ବିଭିନ୍ନ ଘରକୁ ଯାଇ ସୁନା ଗହଣା ସଫେଇ କରିବାକୁ ଆସିଥିବା କହିଥିଲେ। ତେବେ ସୁନା ଗହଣା ସଫା କରିବାକୁ କିଛି ଲୋକ ମନା କରିଥିଲେ। ଶେଷରେ ଏହି କଲୋନିରେ ରହୁଥିବା ଗୁଣପୁର ମେଡିକାଲ ଷ୍ଟାଫ୍‌ ନର୍ସ ବିଜୟନୀ ସାମଲଙ୍କୁ ଘରକୁ ଯାଇ ସୁନା ଗହଣା ସଫେଇ କରିବାକୁ କହିଥିଲେ। ମିଠା ମିଠା କଥା କହି ବିଜୟନୀଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ। ଦୁର୍ବୃତ୍ତଙ୍କ କଥାରେ ବିଶ୍ୱାସ କରି ବିଜୟିନୀ ପ୍ରଥମେ ପିନ୍ଧିଥିବା କାନଫୁଲ ସଫା କରିବାକୁ ଦେଇଥିଲେ। ପରେ କୌଶଳ କ୍ରମେ ଦୁର୍ବୃତ୍ତ ମାନେ ସୁନା ଚେନ୍‌ଟିକୁ ମଧ୍ୟ ମାଗିଥିଲେ। ସୁନା ଗହଣା ଗୁଡିକୁ ଗରମ ପାଣିରେ ପକାଇ ସେଥିରେ ହଳଦୀଗୁଣ୍ଡ ପକାଇବାକୁ କହି ଦୁର୍ବୃତ୍ତ ମାନେ ସୁନା ଗହଣା ଗୁଡିକୁ ଏକ ପ୍ରେସରରେ ରଖିଥିଲେ। ବିଜୟିନୀ ଗରମ ପାଣିରେ ସୁନା ଗହଣା ପକାଇ ଦୁର୍ବୃତ୍ତଙ୍କ ନିକଟକୁ ଆଣିଥିଲେ। ପରେ କୌଶଳ କ୍ରମେ ଆଉ କିଛି ହଳଦୀଗୁଣ୍ଡ ଆଣିବାକୁ ଦୁର୍ବୃତ୍ତ ମାନେ କହିବା ପରେ ବିଜୟିନୀ ଘର ଭିତରକୁ ଯାଇଥିଲେ।

ଏହି ସମୟ ମଧ୍ୟରେ ଦୁର୍ବୃତ୍ତ ମାନେ ସୁନା ଗହଣାକୁ ଧରି ଆଖି ପିଛୁଳାକେ ବାଇକ୍‌ରେ ଚମ୍ପଟ ମାରିଥିଲେ। ବିଜୟନୀ ଘର ବାହାରକୁ ଆସିବା ପରେ ସୁନା ଗହଣା ଲୁଟ୍‌ କରି ଦୁର୍ବୃତ୍ତ ମାନେ ଚମ୍ପଟ ମାରିବା ଜାଣିବା ପରେ ଏନେଇ ଗୁଣପୁର ଥାନାରେ ଏତଲା ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଗୁଣପୁର ମେଡିକାଲରେ ଥିବା ସିସିଟିଭିରେ ଏହି ୨ଦୁର୍ବୃତ୍ତଙ୍କ ଫଟୋ କଏଦ ହୋଇଥିବାରୁ ଏହାକୁ ଆଧାର କରି ପୁଲିସ ଛାନଭିନ୍‌ ଆରମ୍ଭ କରିଛି। ପ୍ରକାଶ ଥାଉକି, ଗତ ମାର୍ଚ ୨୫ତାରିଖରେ ପୁରୁଣା ତହସିଲ କାର୍ଯ୍ୟାଳୟ ନିକଟରୁ ଜଣେ ମହିଳାଙ୍କ ଠାରୁ ଦିନ ଦିପହରରେ ଦୁର୍ବୃତ୍ତ ସୁନା ଗହଣା ଝାମ୍ପି ନେଇ ଯାଇଥିଲେ। ସେହିପରି ମାର୍ଚ ୧୫ରେ ଜନୈକ ବ୍ୟବସାୟୀଙ୍କ ବାଇକ୍‌ ଡିକି ଭାଙ୍ଗି ଦୁର୍ବୃତ୍ତ ୭୫ହଜାର ଟଙ୍କା ଲୁଟ୍‌ କରିଥିବା ବେଳେ ମାର୍ଚ ୧୬ରେ ପୁରୁଣା ବସଷ୍ଟାଣ୍ଡରୁ ଜଣେ କପା ବ୍ୟବସାୟୀଙ୍କ ଠାରୁ ୨ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଗୁଣପୁର ସହରରେ ଦିନକୁ ଦିନ ଲୁଟ୍‌ ଘଟଣା ବୃଦ୍ଧି ପାଉଥିବାରୁ ପୁଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର