ହକ୍ ଦାବିରେ ଅଣ୍ଟା ଭିଡ଼ିଲେ ଝୋଡିଆ, ରାଜ୍ୟପାଳଙ୍କୁ ଦେଲେ ସ୍ମାରକପତ୍ର :ଆଦିବାସୀ ମାନ୍ୟତା ନ ମିଳିଲେ ଭୋଟ ବର୍ଜନ

ରାୟଗଡା: ଆଦିବାସୀ ମାନ୍ୟତା ପ୍ରଦାନ ଦାବିରେ ଅଣ୍ଟା ଭିଡ଼ିଛନ୍ତି ଝୋଡିଆଙ୍କ ସମେତ ୯ ସଂପ୍ରଦାୟ। କୋରାପୁଟ, କଳାହାଣ୍ଡି, ରାୟଗଡା ଜିଲ୍ଲା‌େର ବସବାସ କରୁଥିବା ଏହି ସଂପ୍ରଦାୟର ୮୦ ହଜାର ଭୋଟର ନିର୍ବାଚନ ବର୍ଜନ ଚେତାବନୀ ଦେଇଛନ୍ତି। ରାଜ୍ୟପାଳ ଗଣେଶୀ ଲାଲଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିବା ସହ ନିର୍ବାଚନ ପୂର୍ବରୁ ଏ ସଂପର୍କରେ ଠୋସ୍ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ନଚେତ୍ ୨୦୧୨ ପଂଚାୟତ ନିର୍ବାଚନ ଭଳି ଚଳିତ ସାଧାରଣ ନିର୍ବାଚନରେ ୪ ଜିଲ୍ଲାର ୯ଟି ଭିନ୍ନ ଭିନ୍ନ ସଂପ୍ରଦାୟଙ୍କ ଠାରୁ ସରକାର ଗୋଟିଏ ବି ଭୋଟ ପାଇବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି। ଖୁବ୍ ଶୀଘ୍ର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରି ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟପାଳ ଶ୍ରୀ ଲାଲ୍।
ଝୋଡିଆ ସମାଜ ସଭାପତି ସୁମନି ଝୋଡିଆ ଅଭିଯୋଗ କରିଛନ୍ତି, ୨୦୧୪ ରେ ମୋଦୀ ସରକାର ଶାସନକୁ ଆସିବା ପରେ ଆସାମ, ମଧ୍ୟପ୍ରଦେଶ, ଛତିଶଗଡ, ଝାଡଖଣ୍ଡର ୧୫ରୁ ଊର୍ଧ୍ବ ସଂପ୍ରଦାୟକୁ ଆଦିବାସୀ ତାଲିକାଭୁକ୍ତ କଲେ। କିନ୍ତୁ ଓଡ଼ିଶାର ଦାବିକୁ ଅଣଦେଖା କଲେ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଆଦିବାସୀ ମନ୍ତ୍ରୀଙ୍କ ସୁପାରିଶ ସତ୍ତ୍ବେ ଝୋଡିଆ ସମେତ ୯ଟି ସଂପ୍ରଦାୟଙ୍କୁ ଆଦିବାସୀ ତାଲିକାଭୁକ୍ତ କରିବାରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଦୁଇ ଦଶନ୍ଧି ଧରି ଝୋଡିଆଙ୍କୁ କେନ୍ଦ୍ର ସରକାର ଅବହେଳା କରି ଚାଲିଥିବାରୁ ଦୀର୍ଘ ୨୧ ବର୍ଷ ହେଲା ଆଦିବାସୀଙ୍କ ପାଇଁ ପ୍ରଣୟନ ହୋଇଥିବା ସରକାରୀ ସୁବିଧାରୁ କାଣିଚାଏ ଲାଭ ମିଳୁନି ଝୋଡିଆଙ୍କୁ। ଏଥି ସହିତ ଅଣ ଆଦିବାସୀଙ୍କ ହାତରେ ରହିଥିବା ଜମି ଝୋଡିଆଙ୍କ ନିକଟକୁ ଫେରି ପାରୁନି। ୧୯୯୭ ମସିହା ପୂର୍ବରୁ ଏହି ସଂପ୍ରଦାୟ ଆଦିବାସୀଙ୍କ ସମସ୍ତ ସୁବିଧା ସୁଯୋଗ ହାସଲ କରୁଥିବା ବେଳେ ସରକାରଙ୍କ ଭୁଲ୍ ନୀତି ଯୋଗୁ ଆଦିବାସୀ ତାଲିକାରୁ ବାଦ୍ ପଡିଛି। ପ୍ରତିବାଦରେ ୨୦୧୨ ପଂଚାୟତ ନିର୍ବାଚନ ବର୍ଜନ କରିଥିଲେ ଝୋଡିଆ। କାଶୀପୁର ବ୍ଲକର ସମସ୍ତ ପଂଚାୟତରେ ନିର୍ବାଚନ ବନ୍ଦ ରହିଥିଲା। ଏହା ସତ୍ବେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ବାରମ୍ବାର ଦାବି ସତ୍ବେ ଝୋଡିଆଙ୍କ ଦାବିକୁ କେନ୍ଦ୍ର ଅବହେଳା କରି ଚାଲିଥିବାରୁ ଲୋକ ଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କ ନେତୃତ୍ବରେ ଆଦିବାସୀ ନେତ୍ରୀ ସୁମନି ଝୋଡିଆ, ଝୋଡିଆ ସମାଜ ଉପଦେଷ୍ଟା ଶିବରାମ ନାୟକ ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ବତନ୍ତ୍ର କ୍ଷମତା ମାଧ୍ୟମରେ ଦାବିକୁ ପୂରଣ କରିବା ପାଇଁ ଅନୁରୋଧ କରିଛନ୍ତି।
ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ୧୨ଟି ପଂଚାୟତ ଏବଂ କୋରାପୁଟ, ମାଲକାନଗିରି, ନବରଂଗପୁର ଓ କଳାହାଣ୍ଡି ଜିଲ୍ଲାରେ ୧ ଲକ୍ଷରୁ ଊର୍ଧ୍ବ ଝୋଡିଆ ସଂପ୍ରଦାୟର ଲୋକ ବସବାସ କରୁଛନ୍ତି। ଆଦିବାସୀ ମାନ୍ୟତାରୁ ବଂଚିତ ଏହି ସଂପ୍ରଦାୟର ଲୋକ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ବହୁ ପଛରେ ଥିବା ବେଳେ ମାଗଣାରେ ଉଚ୍ଚ ଶିକ୍ଷା ପାଇଁ ସରକାରୀ ଯୋଗ୍ୟତା ଥିବା ପ୍ରମାଣପତ୍ର ମଧ୍ୟ ପାଇ ପାରୁ ନାହାନ୍ତି। ରାଜ୍ୟ ସରକାର ଅନ୍ୟ ସମସ୍ତ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରୁଥିବା ବେଳେ ଝୋଡିଆଙ୍କ ଦାବି କ୍ଷେତ୍ରରେ କ’ଣ ପାଇଁ ଚୁପ୍ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୁମନି ଝୋଡିଆ। ନିର୍ବାଚନ ସମୟ ଆସିଲେ ସରକାର ଏଥିପ୍ରତି ତତ୍ପରତା ପ୍ରକାଶ କରିବା ସହ ସର୍ଭେ ପାଇଁ ଟିମ୍ ପଠାଉଛନ୍ତି। କିନ୍ତୁ ନିର୍ବାଚନ ସରିବା ପରେ ଦାବି ପୂରଣ ଫାଇଲ୍ ଯେଉଁ ତିମିରେକୁ ସେହି ତିମିରେ ହିଁ ରହି ଯାଉଛି। ୨୦୦୨ ମସିହାରେ ରାଜ୍ୟ ସରକାର ଏ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିବା ବେଳେ ୨୦୧୦ ସେପଟେମ୍ବର ୧୭ ତାରିଖରେ ଓଡ଼ିଶାର ତତ୍କାଳନୀ ରାଜ୍ୟପାଳ ଡ. ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ୨୦୧୨ ନଭେମ୍ବର ୩ ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ପୂରଣ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଚିଠି ଲେଖିଥିଲେ। ଗତ ଜାନୁଆରି ୧୦ ତାରିଖରେ ଝୋଡିଆ ପରଜା ସମାଜ ସଭାନେତ୍ରୀ ସୁମନୀ ଝୋଡିଆ, ଉପଦେଷ୍ଟା ମକରନ୍ଦ ମୁଦୁଲୀ, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, କାଳୀରାମ ମାଝୀଙ୍କ ନେତୃତ୍ବରେ ଏକ ଟିମ୍ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର