କଲ୍ୟାଣସିଂହପୁର ବ୍ଲକର ସ୍ୱାସ୍ଥ୍ୟ ବ୍ୟବସ୍ଥା ‌ଯେମିତିକୁ ସେମିତି : ରୋଗୀଙ୍କୁ ଭାରରେ ବୁହାହେବା ଚିତ୍ର ବଦଳିବ କେବେ ?

କଲ୍ୟାଣସିଂହପୁର : ‘ମୋ ସରକାର’ କାର୍ଯ୍ୟକ୍ରମରେ ସରକାର ରୋଗୀ ସେବାକୁ ପ୍ରାଥମିକତା ଦେଇଥିବା ବେଳେ ରାୟଗଡ଼ା ଜିଲ୍ଲାର ଦୁର୍ଗମ ତଥା ଅବହେଳିତ କଲ୍ୟାଣସିଂହପୁର ଅଂଚଳରେ ସ୍ବାସ୍ଥ୍ୟସେବାର ଚିତ୍ର ଆଜି ବି ଦୟନୀୟ। ରାସ୍ତାଘାଟ ଅଭାବରୁ ଏଠି କେତେବେଳେ ଗର୍ଭବତୀ ଭରାନଦୀରେ ଭେଳା ଜରିଆରେ ଡାକ୍ତରଖାନା ଆସୁଛନ୍ତି ତ ଆଉ କେତେବେଳେ ଡାକ୍ତର ଅଭାବରୁ ରୋଗୀଙ୍କୁ ହସ୍ପିଟାଲରେ ଚିକିତ୍ସା ସେବା ମିଳି ପାରୁନାହିଁ। ତେଣୁ ରାୟଗଡ଼ା ଜିଲ୍ଲାର ଏଭଳି ଦୁର୍ଗମ ଗ୍ରାମାଞ୍ଚଳରେ ରୋଗୀମାନେ ଭୋଗୁଥିବା ଅକଥନୀୟ ଦୁର୍ଦ୍ଦଶାର ଚିତ୍ର କେବେ ବଦଳିବ ବୋଲି ଏବେ ପ୍ରଶ୍ନ ଉଠିଛି ।


ବିଭିନ୍ନ ସମୟରେ କଲ୍ୟାଣସିଂହପୁର ଅଂଚଳରେ ରୋଗୀଙ୍କୁ ଭାରରେ ବୁହାହୋଇ ଡାକ୍ତରଖାନା ଆସିବା ଏବଂ ଗର୍ଭବତୀ ରାସ୍ତାକଡ଼ରେ ପ୍ରସବ କରିବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ରାଜ୍ୟ ସରକାର ୫-ଟିକୁ ଗୁରୁତ୍ବ ଦେଉଥିବା ବେଳେ ଏଠାରେ ଏହା ସଂପୂର୍ଣ୍ଣ ବିଫଳ ହୋଇଛି । କଲ୍ୟାଣସିଂହପୁର ବ୍ଲକ୍‌ର ପ୍ରାୟ ୬୫ ହଜାର ଲୋକଙ୍କ ପାଇଁ ଗୋଟିଏ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ବଡ଼ତଡ୍ରା, ମାଝୁଗୁଡ଼ା, ଶିକରପାଇରେ ଗୋଟିଏ ଲେଖାଏଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ଏହି ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ମାତ୍ର ପାଞ୍ଚ ଜଣ ଏମ୍‌ବିବିଏସ ଡାକ୍ତର ନିଯୁକ୍ତି ପାଇଛନ୍ତି। ଏହି ବ୍ଲକ୍‌ଟି ଦୁର୍ଗମ ଅଂଚଳରେ ରହିଥିବା ଯୋଗୁଁ ଗମନାଗମନ ଅଭାବରୁ ରୋଗୀ ସଠିକ୍ ସମ‌ୟରେ ଡାକ୍ତରଖାନାକୁ ଆସିପାରୁନାହାନ୍ତି । ବିପଦସଙ୍କୁଳ ଅବସ୍ଥାରେ ଡାକ୍ତରଖାନାରେ ପହଞ୍ଚିବା ପରେ ମା ଓ ଶିଶୁର ମୃତ୍ୟୁ ହେଉଥିବା ଖବର ବି ରହିଛି । ସ୍ଥିତି ପରଖିବା ପାଇଁ ମଙ୍ଗଳବାର ଏହି ପ୍ରତିନିଧି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ଏଠାରେ ତିନିଜଣ ଡାକ୍ତର ରହିଥିଲେ ବି ଜଣେ ମାତ୍ର ଡାକ୍ତର ରୋଗୀ ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା । ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣର ନିରାମୟ ଔଷଧ ନ ଥିବା ଯୋଗୁଁ ରୋଗୀଙ୍କୁ ବାହାରୁ ଔଷଧ ଆଣିବା ପାଇଁ ଡାକ୍ତର ଚିଠା ଲେଖୁଥିବା ଜଣେ ରୋଗୀ ଅଭିଯୋଗ କରିଛନ୍ତି। ଆନୁଷଙ୍ଗିକ ଯନ୍ତ୍ରପାତିର ଅଭାବ ଯୋଗୁଁ ଅଧିକାଂଶ ସମୟରେ ରୋଗୀଙ୍କୁ ଏଠାରୁ ରାୟଗଡ଼ାକୁ ପଠାଯାଉଥିବା ବେଳେ ରୋଗୀ ଏଠାକୁ ଆସି ଚିକିତ୍ସା ହେବା ଅପେକ୍ଷା ରାୟଗଡ଼ା ଯାଉଥିବା ଦେଖିବାକୁ ମିଳୁଛି । ଡାକ୍ତର ଅଭାବ ଯୋଗୁଁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ବି ପଡୁଛି ।
ଏହି ଗୋଷ୍ଠୀ କେନ୍ଦ୍ର ଦାୟିତ୍ବରେ ଥିବା ଡାକ୍ତର ଚିନ୍ମୟୀ ଲିମା ମାଝିଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ହୋଇଥିବା ବେଳେ କଲ୍ୟାଣସିଂହପୁର କାମ କରୁଛନ୍ତି । ସେଭଳି ବଡତଡ୍ରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡା. ଦୀପକ କୁମାର ନାୟକ ଦେଢ଼ ବର୍ଷ ଧରି ମାଝିଗୁଡା ପ୍ରାଥମିକ ସ୍ୟାସ୍ଥ୍ୟ କେନ୍ଦ୍ରରେ କାମ କରୁଥିବା ଯୋଗୁଁ ବଡତଡ୍ରା କେନ୍ଦ୍ର ଏକ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ରୋଗୀ ସେବା କରାଯାଉଥିବା ଦେଖିବାକୁ ମିଳିଛି । ଶିକରପାଇ କେନ୍ଦ୍ରର ଡାକ୍ତର ଆଶୁତୋଷ ବିଶୋୟି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଛନ୍ତି । ଡାକ୍ତର ଅଭାବ ଯୋଗୁଁ ରୋଗୀ କ୍ବାକ୍ ଉପରେ ନିର୍ଭର କରିବା ସହ ବିଭିନ୍ନ କ୍ଲିନିକ ଉପରେ ନିର୍ଭର କରୁଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଲୋକେ ଡାକ୍ତରଖାନାକୁ ଆସିବା ବଦଳରେ ଗୁଣି ଗାରେଡ଼ି ଉପରେ ଅଧିକ ନିର୍ଭର ହେଉଛନ୍ତି । ସରକାର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆବଶ୍ୟକ ଡାକ୍ତର ନିଯୁକ୍ତି କରିବା ସହ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବାରୋପ କରାଯାଇଛି ।

ସମ୍ବନ୍ଧିତ ଖବର