ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ବିଷମକଟକ : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ ପାଦଦେଶରେ ଥିବା ସକଟା ଗାଁ ନିକଟରେ ଗତକାଲି ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ଡିଭିଏଫ ଯବାନ ସଂଜୟ ମାଝୀଙ୍କୁ ବିଷମକଟକ ଥାନା ସମ୍ମୁଖରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଆଜି ସକାଳେ ସହିଦ ଯବାନ ସଂଜୟ ମାଝୀଙ୍କ ମରଶରୀର ତାଙ୍କ ଜନ୍ମମାଟି ଅମ୍ବାଦଳା ଗାଁକୁ ନିଆଯାଉଥିବା ବେଳେ ବିଷମକଟକ ଥାନା ସମ୍ମୁଖରେ ଶତାଧିକ ଜନସାଧାରଣ, ପୁଲିସ କର୍ମଚାରୀ, ସିଆରପିଏଫ ଯବାନ, ତହସିଲଦାର, ବିଡିଓ ଉପସ୍ଥିତ ରହି ସହିଦଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେବା ସହ ଥାନା ଠାରୁ ଏକ ବିରାଟ ପଟୁଆରରେ ମେଡିକାଲ ଛକ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରୁ ଅମ୍ବାଦଳା ଅଭିମୁଖେ ସହିଦଙ୍କ ମରଶରୀର ନିଆଯାଇଥିଲା।

ମୁନିଗୁଡା : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ତଥା ନିୟମଗିରି ପାହାଡ଼ ନିକଟସ୍ଥ ସକଟା ଗାଁ ନିକଟରେ ଗତକାଲି ସଂଧ୍ୟାରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସହିଦ ହୋଇଥିବା ଡିଭିଏଫ ଯବାନ ସଂଜୟ ମାଝୀଙ୍କୁ ମୁନିଗୁଡାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ମାତ୍ର ୩ବର୍ଷ ତଳେ ସଂଜୟ କୁମାର ମାଝୀ(୨୨) ଡିଭିଏଫ୍‌ ଯବାନ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ସହିଦଙ୍କ ଘର ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାରେ। ଜଲମ ମାଝୀ ଓ ଯମୁନା ମାଝୀଙ୍କ ସେ ଏକମାତ୍ର ପୁଅ ଥିଲେ। ମୁନିଗୁଡା ଏସଡିପିଓଙ୍କ ସୂଚନା ଅନୁଯାୟୀ, ନିୟମଗିରି ଅଞ୍ଚଳରେ ମାଓବାଦୀ ସକ୍ରିୟ ହୋଇଥିବା ସୂଚନା ପୁଲିସକୁ ମିଳିଥିଲା। ତେଣୁ ଗତକାଲି ସଂଧ୍ୟାରେ କମ୍ବିଂ ଅପରେସନରେ ଡିଭିଏଫ ଯବାନ ବାହାରିଥିଲେ। ସକଟା ନିକଟରେ ଯବାନମାନେ ପହଞ୍ଚିବା ପରେ ବଡ ଧରଣର ବିସ୍ଫୋରଣ ହୋଇଥିଲା। ଏଥିରେ ଯବାନ ସଂଜୟ କୁମାର ମାଝୀ ସହିଦ ହୋଇଥିଲେ। ଗତବର୍ଷ ଏଠାରୁ ୩କିଲୋମିଟର ଦୂର ଧେଣ୍ଡରା ରେଲାଇନ୍‌ ନିକଟରେ ଲ୍ୟାଣ୍ଡମାଇନ୍‌ ଖଞ୍ଜା ଯାଇଥିବା ବେଳେ ଚଳିତ ବର୍ଷ ଏହାର ପୁନରାବୃତ୍ତି ସାଧାରଣରେ ଆତଙ୍କ ଖେଳାଇ ଦେଇଛି। ଏହି ଘଟଣା ପରେ ସହିଦ ସଂଜୟଙ୍କ ବାପା, ମାଙ୍କ ସମେତ ୩ଭଉଣୀ ଓ ଆତ୍ମୀୟ ସ୍ୱଜନ ଦୁଃଖରେ ଭାଙ୍ଗି ପଡିଛନ୍ତି। ସଂଜୟଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ମୁନିଗୁଡା ତିନିକୋଣିଆ ଛକରେ ଏସଡିିପିଓ ଅନନ୍ତ ପ୍ରସାଦ ମଲ୍ଲିକଙ୍କ ନେତୃତରେ ଶତାଧିକ ଜନସାଧାରଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ସଂଜୟଙ୍କ ମରଶରୀରକୁ ନିଜ ଗାଁ ନିକଟସ୍ଥ ଅମ୍ବାଦଳାକୁ ଏକ ବିରାଟ ପଟୁଆରରେ ନିଆଯାଇଥିଲା।

ସମ୍ବନ୍ଧିତ ଖବର