ବଜ୍ରାଘାତ: ୩ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ

କଟକ/କେନ୍ଦୁଝର/ରାୟଗଡ଼ା: ବଜ୍ରାଘାତ ଯୋଗୁଁ ମଙ୍ଗଳବାର ଅପରାହ୍ନରେ ୩ ଜଣ ମହିଳା ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲାରେ ୨ ଜଣ ମହିଳା ଓ କଟକ ଜିଲ୍ଲାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲାର ପଣ୍ଡାପଡା ଥାନା ଅନ୍ତର୍ଗତ ଝାରବେଡ଼ା ଗାଁରେ ଗୁରୁଚରଣ ସେନାପତି ମକା କ୍ଷେତରେ କାମ କରୁଥିଲେ। ଏହି ସମୟରେ ବଜ୍ରାଘାତ ହୋଇଥିଲା। କିଛି ସମୟ ପରେ ଗୁରୁଚରଣଙ୍କ ମୃତ୍ୟୁ ହୋଇଥିଲା।

କଟକ ଜିଲ୍ଲାର ରାଣିଓ୍ଵଲା ପଞ୍ଚାୟତର ବରିଷଣା ଗ୍ରାମର ଟୁନି ଭୋଇ(୪୫)ଙ୍କ ମୃତ୍ୟୁ ଘଟିଛି। ଟୁନି ଆଜି ଅପରାହ୍ନରେ ବିଲରେ କାମ କରୁଥିବା ସମୟରେ ବଜ୍ରାଘାତର ସମ୍ମୁଖୀନ ହୋଇଥିଲେ।

ସେହିପରି ରାୟଗଡ଼ା ଜିଲ୍ଳାର ଗୁରାଡ଼ି ବ୍ଲକ ଅନ୍ତର୍ଗତ କେଣ୍ଡଲି ପଞ୍ଚାୟତ ଅଧିନ କାତିଗୁଡ଼ାରେ ୨ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଲରେ କାମ କରୁଥିବା ବେଳେ ଆଜି ଅପରାହ୍ନ ୪ଟା ୨୦ରେ ବଜ୍ରାଘାତ ହୋଇଥିଲା। ଶଶୀ ପିଡିକାକା(୨୦) ଓ ଗୁରୁବାରୀ କିମ୍ବାକା(୨୯)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଶଶୀର ଭଉଣୀ ଶର ଓ ଲାଖିନଙ୍କୁ ଆହତ ଅବସ୍ଥାରେ ଗୁରାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର