ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ପଦ୍ମପୁର : ସ୍ତ୍ରୀକୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୁକ୍ତକୁ ବୁଧବାର ପଦ୍ମପୁର ଏଡିଜେ ଶରତ ଦେହୁରୀ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଗାଇସିଲାଟ୍‌ ଥାନା ସନ୍ଧିବାହାଲ ଗ୍ରାମର ସୁବାସ ସାହୁ ୫୦ ବର୍ଷ ପୂର୍ବେ ସାହାଜବାହାଲର ଓକିଲ ସାହୁଙ୍କ ଭଉଣୀ କିଆ ସାହୁଙ୍କୁ ଜାତିପ୍ରଥା ଅନୁଯାୟୀ ବିବାହ କରିଥିଲେ। ଉଭୟଙ୍କ ଦୁଇ ଝିଅ ହୋଇଥିଲା। ସେମାନଙ୍କୁ ବିବାହ କରାଇ ଦେବା ପରେ ଉଭୟେ ସ୍ୱାମୀ-ସ୍ତ୍ରୀ ଏକାଠି ଘରେ ରହୁଥିଲେ। ସ୍ତ୍ରୀ କିଆଙ୍କ ଚରିତ୍ରକୁ ସନ୍ଦେହ କରି ସୁବାସ ଅଧିକାଂଶ ସମୟରେ ତା ସହ ଝଗଡା କରୁଥିଲା।

ତେବେ ଏହି ଘଟଣାକୁ ନେଇ ଗତ ୨୦୧୬ ଏପ୍ରିଲ ୨୪ ତାରିଖ ସକାଳେ ସୁବାସ ଏକ ଟାଙ୍ଗିଆରେ କିଆଙ୍କ ମୁଣ୍ଡ ଉପରେ ଚୋଟ ମାରିଥିଲା। ଫଳରେ ଘଟଣାସ୍ଥଳରେ କିଆର ମୃତ୍ୟୁ ହୋଇଯାଇଥିଲା। ଘଟଣା ପରେ କିଆର ଭାଇ ଓକିଲ ସାହୁ ଗାଇସିଲାଟ୍‌ ଥାନାରେ ଏକ ଲିଖିତ ରିପୋର୍ଟ ଦେବା ପରେ ଗାଇସିଲାଟ୍‌ ଥାନାର ତତ୍କାଳୀନ ଥାନାଧିକାରୀ ଅଭିମନ୍ୟୁ ନାୟକ ଅଭିଯୁକ୍ତ ସୁବାସ ସାହୁ ବିରୋଧରେ ଥାନା କେସ୍‌ ନଂ-୫୫/୧୬ ଦଫା ୩୦୨ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଓ ୩୦୨ ଦଫାରେ ଚାର୍ଯ୍ୟସିଟ୍‌ ଦାଖଲ କରିଥିଲେ।

ପଦ୍ମପୁର ଏଡିଜେ ଶରତ କୁମାର ଦେହୁରୀ ଏହି କେସ୍‌ର ବିଚାର କରି ବୁଧବାର ଦୋଷୀ ସୁବାସ ସାହୁକୁ ଆଜୀବନ ଜେଲ୍‌ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଅନାଦେୟ ଏକବର୍ଷ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ରଜନୀକାନ୍ତ ଦାଶ ଓ ଆସାମୀ ପକ୍ଷରୁ ଆନନ୍ଦ ପଣ୍ଡା କେସ୍‌ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର