ମାଓବାଦୀଙ୍କ କରୋନା ସଂକ୍ରମଣ ଆଶଙ୍କା , ଆତ୍ମ ସର୍ମପଣ ପାଇଁ ଆହ୍ବାନ ଦେଲା ସଚେତନ ନାଗରିକ ମଞ୍ଚ

ରାୟଗଡ଼ା (ଇମିସ): କରୋନାରେ ସଂକ୍ରମିତ ହୋଇଛନ୍ତି ମାଓବାଦୀ। ପଡୋଶୀ ରାଜ୍ୟରୁ ଆସିଥିବା ଏହି ମାଓବାଦୀ ରାୟଗଡ଼ା ଜିଲ୍ଲାର ବଣ, ପାହାଡ଼ ଇଲାକାରେ ଘୁରି ବୁଲୁଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ଏଣୁ ଗ୍ରାମବାସୀ ମାଓବାଦୀଙ୍କୁ ପ୍ରଶୟ ଦିଅନ୍ତୁ ନାହିଁ, କିମ୍ବା କୌଣସି ସଭା, ସମିତିକୁ ଯାଆନ୍ତୁ ନାହିଁ।
ରାୟଗଡ଼ା ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ଆଜି ସଚେତନ ନାଗରିକ ମଞ୍ଚ ପକ୍ଷରୁ ଲାଗିଛି ଏପରି ପୋଷ୍ଟର। ପୋଷ୍ଟରରେ ମଞ୍ଚ ଆହ୍ବାନ ଦେଇଛି, ଆକ୍ରାନ୍ତ ଅବସ୍ଥାରେ ମାଓବାଦୀ ବଣ, ଜଙ୍ଗଲରେ ନ ବୁଲି ଚିକିତ୍ସା ପାଇଁ ଆସନ୍ତୁ। ନିଜ ଜୀବନ ରକ୍ଷା କରିବା ପାଇଁ ପୁଲିସ୍, ପ୍ରଶାସନ ନିକଟରେ ଆତ୍ମ ସମର୍ପଣ କରନ୍ତୁ। ସାରା ପୃଥିବୀ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ସାରିଛି। ଆମ ଓଡ଼ିଶା ରାଜ୍ୟ ମଧ୍ୟ ଏହାର ଶିକାର ହୋଇ ସାରିଲାଣି। ଏହି ସଂକ୍ରାମକ ରୋଗ ନ ବ୍ୟାପିବା ପାଇଁ ସରକାର ଏହାକୁ ଜାତୀୟ ବିପତ୍ତି ଭାବେ ଘୋଷଣା କରିବା ସହିତ ପ୍ରତିଷେଧମୂଳକ ସାମାଜିକ ଦୂରୀକରଣ ପାଇଁ ଆହ୍ବାନ ଦେଇଛନ୍ତି। ଯେ ହେତୁ ଏହି ରୋଗର ଚିକିତ୍ସା ପାଇଁ କୌଣସି ଔଷଧ ବାହାରି ପାରିନି, ଆମକୁ କେବଳ ସଂକ୍ରମିତ ଲୋକଙ୍କଠାରୁ ଦୂରେଇ ରହିଲେ ହିଁ ନିଜକୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିବା। ଆମ ଅଞ୍ଚଳରେ ବୁଲୁଥିବା ମାଓବାଦୀ କରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି। ଗ୍ରାମବାସୀ ସଂକ୍ରମିତ ମାଓବାଦୀଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ। ସେମାନଙ୍କୁ ଆବଶ୍ୟକ ଜିନିଷ ପତ୍ର, ଖାଦ୍ୟ ସାମଗ୍ରୀ ଦିଅନ୍ତୁ ନାହିଁ। ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିୟମାବଳୀରେ ଜନସାଧାରଣ ଏକାଠି ନ ରହି ନିଜ ଘରେ ରହିବା, ବାହାର ଲୋକଙ୍କ ସହ ନି ମିଶିବାକୁ କୁହାଯାଇଛି। ଯାହା ଦ୍ବାରା ଏହି ରୋଗ ବ୍ୟାପିବ ନାହିଁ ବୋଲି ନାଗରିକ ମଞ୍ଚ ପୋଷ୍ଟରରେ ଉଲ୍ଲେଖ କରିଛି।

ସମ୍ବନ୍ଧିତ ଖବର