ନିଆଁ, ପାଣି ବାସନ୍ଦ : ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦଳିତ ପରିବାର

ଗୁଣପୁର: ରାମନାଗୁଡା ବ୍ଲକ ଅନ୍ତର୍ଗତ ଉକୁମ୍ବା ଗ୍ରାମରେ ଗତ କିଛି ବର୍ଷ ହେଲା କେତେକ ଦଳିତ ପରିବାରଙ୍କୁ ନିର୍ଯାତନା ଦେଇ ନିଆଁ, ପାଣି ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କଲେ ମାଓବାଦୀଙ୍କୁ ସୂଚନା ଦେଇ ହତ୍ୟା କରାଯିବ ବୋଲି ଧମକ ଦେଉଥିବା ଆଜି ଦଳିତ ସଂପ୍ରଦାୟର କିଛି ଲୋକ ଥାନା ଏବଂ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।
ସୂଚନା ଅନୁସାରେ, ଉକୁମ୍ବା ଗ୍ରାମରେ କେଉଁ ଆବାହନ କାଳରୁ ଦଳିତ ପରିବାର ବସବାସ କରି ଆସୁଛନ୍ତି। ଗାଁ ନୀତି, ନିୟମ, ପର୍ବ, ପର୍ବାଣିରେ ଭାଗୀଦାର ହୋଇ ଭାଇଚାରା ବାଜାଇ ରଖିଛନ୍ତି। ତେବେ ଗତକିଛି ବର୍ଷ ହେବ ଗାଁର ମେଟା ରାଜୁ, ପାଲା ଶ୍ରୀନୁ, ପାପାଲା ରମେଶ, କୀର୍ତି ରାଙ୍ଗା ରାଓ, ବାରଟା ନାଗା, ଆର ଭାସ୍କର, ଗୁଣପୁରର କେ.ଏନ ପ୍ରସାଦ ଯୋଜନା ବଦ୍ଧ ଭାବେ ଦଳିତ ପରିବାରଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଇ ନିଆଁ, ପାଣି ବାସନ୍ଦ କରିଛନ୍ତି। ସେମାନେ ବେଆଇନ ଅପମିଶ୍ରିତ ମଦ ବିକ୍ରି କରୁଥିବା ବେଳେ ଏହାର ପ୍ରତିବାଦ କରିବାରୁ ବିଭିନ୍ନ ଆଳରେ ଥାନାରେ ବିଭିନ୍ନ ମାମଲାରେ ଛନ୍ଦି ଗିରଫ କରାଉଛନ୍ତି। ଏପରିକି ମାଓବାଦୀଙ୍କୁ ଗାଁକୁ ଆଣି ମଦ ବିରୋଧରେ ଆନ୍ଦୋଳନରୁ ନିବୃତ୍ତ ରହିବାକୁ ଚେତାବନୀ ଦେଉଛନ୍ତି।

ଅପମିଶ୍ରିତ ଦେଶୀ ମଦ ସେବନ କରି ବହୁ ଲୋକ ରୋଗାଗ୍ରସ୍ତ ହୋଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଏପରିକି ମଦ ବିକ୍ରି ପାଇଁ ନାବାଳକଙ୍କୁ ନିୟୋଜିତ କରାଯାଉଛି। ତେଣୁ ଆଜି ଦଳିତ ସମାଜର ଶତାଧିକ ଲୋକ ଉପଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ କରିବା ସହ ସୁରକ୍ଷା ପ୍ରଦାନ ପାଇଁ ନିବେଦନ କରିଥିଲେ। ମେଡିକାଲ ପରିସରରେ ମଧ୍ୟ ବେଆଇନ ମଦ ବିକ୍ରି କରାଯାଉଥିବା ଅଭିଯୋଗ କରିଛନ୍ତି। ସେହିଭଳି ଥାନା, ଅବକାରୀ ବିଭାଗକୁ ମଧ୍ୟ ଅନୁରୂପ ଭାବେ ଘଟଣା ସଂପର୍କରେ ଅବଗତ କରିବା ସହ ସେମାନଙ୍କୁ ସୁରକ୍ଷା ଯୋଗାଇବାକୁ ଅନୁରୋଧ କରିଛନ୍ତି। ଏହାର ନକଲ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରାଳୟ, ରାଜ୍ୟ ଅବକାରୀ କମିଶନର, ଜିଲ୍ଲାପାଳ, ଏସପି, ଅବକାରୀ ନିରୀକ୍ଷକ, ସ୍ଥାନୀୟ ଏସଡିପିଓଙ୍କୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର