ନିଖୋଜ ମହିଳା ଓ ଶିଶୁପୁତ୍ର ଉଦ୍ଧାର

ଟିିକିରି: ଦୀର୍ଘ ୧ମାସ ହେଲା ନିଖୋଜ ଥିବା କାଶୀପୁର ବ୍ଲକ ଦୁଡୁକାବାହାଲ ଗ୍ରାମର ଜଣେ ମହିଳା ଓ ୪ବର୍ଷର ଶିଶୁକୁ ବିଷମକଟକ ବ୍ଲକ ଅନ୍ତର୍ଗତ ହାଟମୁନିଗୁଡା ଗ୍ରାମରୁ ପରିବାର ଲୋକ ଉଦ୍ଧାର କରିଛନ୍ତି। ପ୍ରକାଶ ଥାଉକି, ଦୁଡୁକାବାହାଲ ଗ୍ରାମର ଚନ୍ଦନ ନାଏକଙ୍କ ପତ୍ନୀ କେତକୀ ନିଜର ୪ବର୍ଷର ଶିଶୁ ପୁତ୍ରକୁ ଧରି ଗତ ମେ ୧୯ତାରିଖରେ ଟିକିରି ଷ୍ଟେସନରୁ ଟ୍ରେନ ଯୋଗେ କୋରାପୁଟ ଚାଲି ଯାଇଥିଲେ। କୋରାପୁଟ ରେଳ ଷ୍ଟେସନରେ କେତକୀ ଅସହାୟ ଅବସ୍ଥାରେ କାନ୍ଦୁଥିବା ଦେଖି ବିଷମଟକ ବ୍ଲକ ହାଟମୁନିଗୁଡା ଗ୍ରାମର ପରିବା ବ୍ୟବସାୟ କରୁଥିବା ଦଂପତି ମେ ୨୦ତାରିଖରେ ନିଜ ଘରକୁ ନେଇ ଆସିଥିଲେ। ମଦ୍ୟପ ସ୍ୱାମୀର ଅତ୍ୟାଚାର ସହ୍ୟ କରିନପାରି ଘର ଛାଡିବାକୁ ବାଧ୍ୟ ହୋଇଥିବା କେତକୀ ଏହି ଦଂପତିଙ୍କୁ କହିଥିଲେ। ଅନ୍ୟପଟେ ପତ୍ନୀ ଓ ପୁଅ ନିଖୋଜ ଥିବା ନେଇ ଚନ୍ଦନ ନାଏକ ଗତ ମେ ୨୮ତାରିଖରେ ଟିକିରି ଥାନାରେ ଏତଲା ଦେଇଥିଲେ। ପରେ ପୁଲିସ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲା।

କେତକୀ ଓ ୪ବର୍ଷର ଶିଶୁ ନିଜ ପାଖରେ ଥିବା ନେଇ ଉଦ୍ଧାର କରିଥିବା ଦଂପତି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ କେତକୀଙ୍କ ସ୍ୱାମୀ ଓ ପରିବାର ଲୋକ ଜୁନ୍‌ ୨୦ତାରିଖରେ ହାଟମୁନିଗୁଡାରେ ପହଞ୍ଚି କେତକୀ ଓ ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲେ। ଏହାର ପରଦିନ କେତକୀଙ୍କ ବାପା ଘର ଓ ଶଶୁର ଘର ଲୋକେ ଟିକିରି ଥାନାରେ ପହଞ୍ଚିଥିଲେ। ସ୍ୱାମୀଙ୍କ ନିକଟକୁ ଚାଲି ଯିବାକୁ ଉଭୟ ପରିବାରର ଲୋକ କେତକୀଙ୍କୁ ବୁଝାଶୁଝା କରିଥିଲେ। ଏପରିକି ମଦ ପିଇ ପତ୍ନୀଙ୍କୁ ନିର୍ଯାତନା ନଦେବା ନେଇ ଚନ୍ଦନ ନାଏକ ଥାନାରେ ଲିଖିତ ଭାବେ ଜଣାଇଥିଲେ। ପୁଲିସର ହସ୍ତକ୍ଷେପ ପରେ କେତକୀ ନିଜ ପୁଅକୁ ଧରି ସ୍ୱାମୀଙ୍କ ଘରକୁ ଫେରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର