୨ଦିନ ପରେ ଆନ୍ଧ୍ରରୁ ଉଦ୍ଧାର:ସେବାଶ୍ରମ ଛାତ୍ରୀ ନିଖୋଜ ଘଟଣା

ଗୁଣପୁର: ଗୁଣପୁର ବ୍ଲକ କଲ୍ୟାଣ ବିଭାଗ ଅଧୀନସ୍ଥ ଡମ୍ବସରା ବାଳିକା ଉଚ୍ଚ ବିଦ୍ୟାଳୟର ନିଖୋଜ ୩ଜଣ ଛାତ୍ରୀ ଆଜି ଆନ୍ଧ୍ରର ମଛଲିପାଟନମ୍‌ ରେଳ ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ପରେ ସେମାନଙ୍କୁ ବିଜୟୱାଡା ଶିଶୁ ସୁରକ୍ଷା କେନ୍ଦ୍ରରେ ରଖାଯାଇଥିବା ଜଣାପଡିଛି।
ଖବର ନେବାରୁ ଜଣାପଡିଛି ଯେ, ଗ୍ରୀଷ୍ମ ଛୁଟି ପରେ ୨ଜଣ ଛାତ୍ରୀ ସ୍କୁଲକୁ ଫେରିଥିବା ବେଳେ ଅନ୍ୟ ଜଣେ ଛାତ୍ରୀ ଫେରିନଥିଲେ। ତେବେ ଗତ ଦୁଇ ତାରିଖ ଦିନ ହଷ୍ଟେଲରେ ଥିବା ୨ଜଣ ଛାତ୍ରୀ ସମେତ ଅନୁପସ୍ଥିତ ଥିବା ଜଣେ ଛାତ୍ରୀ ନିଖୋଜ ଥିଲେ। ସ୍କୁଲ କର୍ତ୍ତୃପକ୍ଷ ଏହି ବିଷୟ ଜାଣିବା ପରେ ବହୁ ଖୋଜାଖୋଜି କରିଥିଲେ। ସେମାନଙ୍କ କୌଣସି ପତ୍ତା ମିଳିନଥିବାରୁ ପ୍ରଶାସନ ଓ ଥାନାରେ ଜଣାଇଥିଲେ। ଖବରପାଇ ଗତକାଲି ସ୍ଥାନୀୟ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗମାଙ୍ଗ, ସମାଜ ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ନାୟକ, ସିଡବ୍ଲୁସି ଅଧ୍ୟକ୍ଷ ରାଜକିଶୋର ସାହୁ ପ୍ରମୁଖ ସ୍କୁଲରେ ପହଞ୍ଚି ତଦନ୍ତ କରି ଫେରିଥିଲେ।

ତେବେ ଏହି ତିନି ଜଣ ଛାତ୍ରୀ ବିନା ଟିକଟରେ ରେଳଯାତ୍ରା କରୁଥିବାରୁ ଆନ୍ଧ୍ରର ମଛଲିପାଟନମ୍‌ ରେଳଷ୍ଟେସନ ଠାରେ ରେଳବାଇ ପୁଲିସ ହାତରେ ଧରାପଡିଥିଲେ। ଏମାନଙ୍କ ପରିଚୟ ଜାଣିବା ପରେ ରାୟଗଡା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ରେଳବାଇ ପୁଲିସ ଖବର ଦେଇଥିଲେ। ଏହାପରେ ଛାତ୍ରୀମାନଙ୍କ ଉଦ୍ଧାର କରି ମଛଲିପାଟନମ୍‌ ରେଳବାଇ ପୁଲିସ ବିଜୟୱାଡା ଶିଶୁ ସୁରକ୍ଷା କେନ୍ଦ୍ରରେ ସୁରକ୍ଷିତ ଭାବେ ରଖିଥିବା ଜଣାପଡିଛି। ଏହି ଖବର ପାଇ ଗୁଣପୁର ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶ୍ରୀ ଆଚାରୀ, ପୁଲିସ ଟିମ୍‌ ଏବଂ ଛାତ୍ରୀମାନଙ୍କ ଅଭିଭାବକ ମିଳିତ ଭାବେ ବିଜୟୱାଡା ଅଭିମୁଖେ ଗସ୍ତ କରିଛନ୍ତି। ସେମାନେ ଆସିବା ପରେ ଛାତ୍ରୀମାନେ କେଉଁଆଡେ ଯାଉଥିଲେ ଏବଂ ଘଟଣାର ପ୍ରକୃତ କାରଣ ଉନ୍ମୋଚନ ହେବ ବୋଲି ଜଣାପଡିଛି। ହଷ୍ଟେଲରେ ଉତ୍‌ଥାନ କାର୍ଯ୍ୟକ୍ରମ ସହ ସଫେଇ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଏମାନେ ଖସି ଚାଲି ଯାଇଛନ୍ତି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର