ରାୟଗଡ଼ାରୁ ନିଖୋଜ ୨ ଛାତ୍ର ବ୍ରହ୍ମପୁରରୁ ଉଦ୍ଧାର

ରାୟଗଡ଼ା: ରାୟଗଡ଼ାର ଏକ ଘରୋଇ ସ୍କୁଲରୁ ବୁଧବାର ସନ୍ଧ୍ୟାରେ ନିଖୋଜ ୨ ଛାତ୍ର ଗୁରୁବାର ବ୍ରହ୍ମପୁରରୁ ଉଦ୍ଧାର ହୋଇଛନ୍ତି। ସୂଚନା ଅନୁସାରେ ଏନ୍‌ଭିଆର ସ୍କୁଲର ୭ମ ଶ୍ରେଣୀର ଛାତ୍ର କେଦାର ନାଥ ବାଗ ଓ ଦୀପକ ନାୟକ ବୁଧବାର ସନ୍ଧ୍ୟାରେ ସ୍କୁଲରୁ କୌଣସି ପ୍ରକାରେ ଖସିଯାଇଥିଲେ। ସେମାନେ ରାତିରେ ରାୟଗଡ଼ା ଷ୍ଟେସନରେ ବୁଲାବୁଲି କରିଥିଲେ। ଜଗଦଲପୁର ଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଚଢ଼ଥିଲେ। ଏହି ଟ୍ରେନ୍‌ ବ୍ରହ୍ମପୁରରେ ଆଜି ଭୋର ୪ଟା ୪୫ରେ ପହଂଚି ଥିଲା।

ହୀରାଖଣ୍ଡ ଏକ୍ସପ୍ରେସ୍‌ ବ୍ରହ୍ମପୁରରେ ପହଂଚିବା ପରେ ଆରପିଏଫ୍‌ର ସନ୍ଦେହ ହୋଇଥିଲା। ପିଲା ୨ଟି ଯାଞ୍ଚ କରିବାରୁ ଜଣାପଡ଼ି ଥିଲା, ସେମାନେ ସ୍କୁଲ ଛାଡ଼ି ପଳାଇ ଆସିଛନ୍ତି। ପୁଲିସ ଛାତ୍ର ଦ୍ୱୟଙ୍କୁ ଉଦ୍ଧାର କରି ଚାଇଲ୍ଡ କେୟାର ହୋମ୍‌ ଏନ୍‌ଜିଓ ସହିତ ଯୋଗାଯୋଗ କରିଥିଲା। ବର୍ତ୍ତମାନ ୨ ଛାତ୍ର କେୟାର ହୋମରେ ରହୁଛନ୍ତି। ସେମାନଙ୍କର ଅଭିଭାବକମାନେ ରାୟଗଡ଼ାରୁ ବ୍ରହ୍ମପୁର ଆସୁଛନ୍ତି। ଛାତ୍ର ଦ୍ୱୟ ଶୁକ୍ରବାର ସେମାନଙ୍କ ଅଭିଭାବକଙ୍କ ସହିତ ଘରକୁ ଯିବେ।

କେଉଁ କାରଣରୁ ଛାତ୍ର ଦ୍ୱୟ ହଷ୍ଟେଲ ଛାଡ଼ି ଫେରାର ହୋଇ ଯାଇଥିଲେ ତାହା ଜଣା ପଡ଼ି ନାହିଁ। ଅନ୍ୟପକ୍ଷରେ ଛାତ୍ର ଦ୍ୱୟ ନିଖୋଜ ହେବା ପରେ ଆଜି ରାୟଗଡ଼ା ଟାଉନ୍‌ ଥାନାରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର