ନଦୀରେ ଭାସି ନିଖୋଜ ଯୁବକଙ୍କ ଶବ ଉଦ୍ଧାର

ନନ୍ଦପୁର: ନଦୀରେ ବୁଡି ଗତ ଶୁକ୍ରବାର ଠାରୁ ନିଖୋଜ ଥିବା କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ମାରଟା ଗ୍ରାମର ଜଣେ ବ୍ୟକ୍ତିଙ୍କ ଶବ ଆଜି ଉଦ୍ଧାର ହୋଇଛି। ପୁଲିସ ଶବ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୂଚନା ଅନୁଯାୟୀ, କୁଲାବିର ପଞ୍ଚାୟତ ଅନ୍ତର୍ଗତ ମାରଟା ଗ୍ରାମର ମିଲକୁ ହନ୍ତାଳ(୪୦) ଗତ ଶୁକ୍ରବାର ଦିନ ପାଡୁଆ ସାପ୍ତାହିକ ନିକଟସ୍ଥ ପାତାଳୀ ନଦୀ କୂଳରେ ବୁଲୁଥିଲେ। ତେବେ କୌଣସି କାରଣରୁ ନଦୀ ଭିତରେ ପଡିଯିବାରୁ ଭାସି ଯାଇ ନିଖୋଜ ହୋଇଯାଇଥିଲେ। ମିଲକୁ ମାନସିକ ବିକାରଗ୍ରସ୍ତ ଥିବାରୁ କେଉଁଆଡେ ଚାଲିଯାଇଥିବ ଭାବି ପରିବାର ଲୋକ ନିଜ ନିଜ ସଂପର୍କୀୟଙ୍କ ଘରକୁ ଖବର ଦେଇଥିଲେ। କିନ୍ତୁ ଶନିବାର ସୁଦ୍ଧା ମିଲକୁ ଘରକୁ ନଫେରିବାରୁ ପରିବାର ଲୋକ ଚିନ୍ତାରେ ପଡିଥିଲେ। ଆଜି ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ଶବ ପାତାଳୀ ନଦୀରେ ଭାସୁଥିବା ଖବର ପାଇ ମିଲକୁଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ। ଏନେଇ ପାଡୁଆ ପୁଲିସକୁ ଖବର ଦେବା ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପାଡୁଆ ଥାନାରେ କେଶ୍ ନଂ-୩/୧୯ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର