ଛାତ୍ରୀଙ୍କୁ ଅସଦାଚରଣ ମାମଲା: ଶିକ୍ଷକ କୋର୍ଟ ଚାଲାଣ

ଗୁଣପୁର: ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ବଡହୁମା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରବିତ କୁମାର ବିଡିକାଙ୍କୁ  କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି।
ପ୍ରକାଶ ଥାଉକି, ଗତକାଲି ସକାଳ ପ୍ରାୟ ସାଢେ ୯ଟାରେ ୩ଜଣ ଛାତ୍ରଛାତ୍ରୀ ବଡହୁମା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ବିଦ୍ୟାଳୟର ଶିକ୍ଷକ ରବିତ କୁମାର ବିଡିକା ବିଦ୍ୟାଳୟରେ ପହଞ୍ଚି ତୃତୀୟ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଝାଡୁ କରିବାକୁ କହିଥିଲେ। ଛାତ୍ରୀ ଜଣକ ଏକାକି ଥିବାର ସୁଯୋଗ ନେଇ ଶିକ୍ଷକ ଜଣକ ପୋଷାକ ଖୋଲିବା ପାଇଁ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଏଥିରେ ଭୟଭୀତ ହୋଇ ଛାତ୍ରୀ ଜଣକ ନିଜ ଘରକୁ ଯାଇ ପରିବାର ଲୋକଙ୍କୁ କହିଥିଲେ। ପରେ ପରିବାର ଲୋକ ଓ ଗ୍ରାମବାସୀ ବିଦ୍ୟାଳୟରେ ପହଞ୍ଚି ହୋହଲ୍ଲା କରିଥିଲେ। ଖବର ପାଇ କିଛି ସମୟ ପରେ ବିଇଓ ଓ ଗୁଡାରି ପୁଲିିସ ବିଦ୍ୟାଳୟରେ ପହଞ୍ଚିଥିଲେ। ପରେ ଗ୍ରାମବାସୀ ବିଇଓ ଓ ସଂପୃକ୍ତ ଶିକ୍ଷକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗକୁ ଅାଧାର କରି ଗୁଡାରି ପୁଲିସ ତଦନ୍ତ କରିବା ସହ ଶିକ୍ଷକ ଶ୍ରୀ ବିଡିକାଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ଗତକାଲି ରାତିରେ ଛାତ୍ରୀଙ୍କ ପରିବାର ଲୋକ ଏନେଇ ଏତଲା ଦେବା ପରେ ପୁଲିସ କେଶ୍ ନଂ-୫/୧୯ ଅନୁଯାୟୀ ଏକ ମାମଲା ରୁଜୁ କରି ଶିକ୍ଷକଙ୍କୁ ଗିରଫ କରିଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ପୁଲିସ ଛାତ୍ରୀଙ୍କ ବୟାନ ରେକର୍ଡ କରିବା ପରେ  ସଂପୃକ୍ତ ଶିକ୍ଷକଙ୍କୁ ରାୟଗଡା କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଶିକ୍ଷକଙ୍କ ଜାମିନ ନାମଞ୍ଜୁର ହୋଇଥିବା ସୂଚନା ମିଳିଛି। ଗୁଡାରି ଥାନା ଏଏସ୍ଆଇ ସଂଜୟ କୁମାର ସାହୁ ମାମଲାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର