ମିଳିଲାନି ଚାରି କାନ୍ଧ:ଟ୍ରଲିରେ ବୁହା‌େହଲା ନାବାଳକର ଶବ

ମୁନିଗୁଡା: ସ୍ବାମୀ ଅାରପାରିକୁ ଚାଲିଯିବା ପରେ ଏକମାତ୍ର ପୁଅକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ। ପୁଅକୁ ବଡ ମଣିଷ କରିବା ପାଇଁ ମନ୍ଦିିର ପରିସର ସଫାସୁତୁରା କରୁଥିଲେ। କିନ୍ତୁ ଅପସ୍ମାର ରୋଗ‌େର ଅାକ୍ରାନ୍ତ ଥିବା ପୁଅର ଆଜି ମୃତ୍ୟୁ ଘଟିଥିଲା। ଘରେ କେହି ପୁରୁଷ ଲୋକ ନଥିବାରୁ ପୁଅର ଶବ ବୋହିବାକୁ ମିଳିପାରିଲାନି ଚାରି କାନ୍ଧ। ଶେଷରେ ଅସହାୟ ମା’ ଏକ ଟ୍ରଲି ଭଡ଼ା କରି ପୁଅର ଶବକୁ ଶ୍ମଶାନ ପଠାଇଥିଲେ। ପରେ ଶ୍ମଶାନରେ ନାବାଳକର ଶବ ପୋତି ଦିଆଯାଇଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ସଦର ମହକୁମାରେ।
ନିଜର ଘର ନଥିବାରୁ ଶକୁନ୍ତଳା ମହାରଣା ସ୍ବାମୀ କୁମ୍ଭ, ପୁଅ ପିଣ୍ଟୁ ଓ ଝିଅକୁ ନେଇ ମୁନିଗୁଡା ଜଗନ୍ନାଥ ମନ୍ଦିର ପରିସରରେ ଦୀର୍ଘ ବର୍ଷ ହେଲା ରହି ଆସୁଥିଲେ। ଜଗନ୍ନାଥ ମନ୍ଦିର ସମେତ ଅନ୍ୟ କିଛି ମନ୍ଦିର ପରିସର ସଫେଇ କରିବା ପରେ ଯାହା କିଛି ମିଳୁଥିଲା ସେତିକିରେ ଶକୁନ୍ତଳା ପରିବାର ଚଳାଉଥିଲେ। ହଠାତ୍ ଗତ କିଛି ବର୍ଷ ତଳେ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କୁ ହରାଇବା ପରେ ପିଣ୍ଟୁ(୧୨)କୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ ଶକୁନ୍ତଳା। କିନ୍ତୁ କିଛି ଦିନ ତଳେ ପିଣ୍ଟୁ ଅପସ୍ମାର ରୋଗରେ ଆକ୍ରାନ୍ତ ହେବାରୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ସ୍ବାସ୍ଥ୍ୟକେନ୍ଦ୍ରରେ କିଛି ଔଷଧ ଦିଆଯିବା ପରେ ପିଣ୍ଟୁକୁ ଘରକୁ ନେଇ ଆସିଥିଲେ ଶକୁନ୍ତଳା। କିନ୍ତୁ ଆଜି ପିଣ୍ଟୁଙ୍କ ମୃତ୍ୟୁ ହୋଇଯାଇଥିଲା। ଏକମାତ୍ର ପୁଅକୁ ହରାଇବା ପରେ ଶକୁନ୍ତଳା ସଂପୂର୍ଣ୍ଣ ଭାବେ ଦୁଃଖରେ ଭାଙ୍ଗି ପଡିଥିଲେ। ପରିବାରରେ କେହି ପୁରୁଷ ଲୋକ ନଥିବାରୁ ପିଣ୍ଟୁଙ୍କ ଶବ ବୋହିବାକୁ ଚାରି କାନ୍ଧ ମିଳିପାରିନଥିଲା। ତେଣୁ ବାଧ୍ୟ ହୋଇ ଶକୁନ୍ତଳା ଏକ ଟ୍ରଲି ଭଡ଼ା କରି ପୁଅର ଶବକୁ ଶ୍ମଶାନ ପଠାଇଥିଲେ। ଶେଷରେ ଶ୍ମଶାନରେ ଗାତ ଖୋଳି ପିଣ୍ଟୁଙ୍କ ଶବ ପୋତି ଦିଆଯାଇଥିଲା। ଅନ୍ୟପଟେ ଟ୍ରଲିରେ ନାବାଳକର ଶବ ନିଆଯିବା ଦୃଶ୍ୟ ଜନମାନସକୁ ଆନ୍ଦୋଳିତ କରିଥିଲା। ଏନେଇ ମୁନିଗୁଡା ବିଡିଓ ଡ. ଦିଲ୍ଲୀପ କୁମାର ବେହେରାଙ୍କୁ ପଚାରିବାରୁ ଏଭଳି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ସେହିପରି ଶକୁନ୍ତଳାଙ୍କୁ ମଧ୍ୟ ବିଭିନ୍ନ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି, ପିଣ୍ଟୁର ଚିକିତ୍ସା ପାଇଁ ଶକୁନ୍ତଳା ମହାରଣା ବହୁବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଗୁହାରି କରିଥିଲେ। କିନ୍ତୁ ଏହାପରେ ମଧ୍ୟ ପ୍ରଶାସନ ପକ୍ଷରୁ ପିଣ୍ଟୁଙ୍କ ଉନ୍ନତ ଚିକିତ୍ସା ନିମନ୍ତେ କୌଣସି ସହାୟତା ଯୋଗାଇ ଦିଆଯାଇ ନଥିଲା। ଏପରିକି ଶକୁନ୍ତଳା ନିହାତି ଗରିବ ହୋଇଥିଲେ ହେଁ ଅଦ୍ୟାବଧି ପ୍ରଶାସନ ପକ୍ଷରୁ ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦିଆଯାଇନି।

ସମ୍ବନ୍ଧିତ ଖବର