ଋଗଣ ଅବସ୍ଥାରେ ଓଡ଼ିଶାର ଏକମାତ୍ର ପାମ ଅଏଲ୍ କାରଖାନା, ଉତ୍ପାଦନ ବନ୍ଦ, ୩୦୦ ଶ୍ରମିକ ବେକାର

ରାୟଗଡ଼ା,୨୫/୫(ଇମିସ): ଋଗଣ ଅବସ୍ଥାରେ ଓଡ଼ିଶାର ଏକମାତ୍ର ପାମ୍ ଅଏଲ୍ କାରଖାନା। କ୍ଷତି ଦର୍ଶାଇ କଂପାନି କର୍ତ୍ତୃପକ୍ଷ କାରଖାନାକୁ ବନ୍ଦ କରିଦେବା ପରେ ରୋଜଗାର ହରାଇଛନ୍ତି ୩୦୦ରୁ ଅଧିକ ଶ୍ରମିକ। ଜିଲ୍ଲା ପ୍ରଶାସନ-ଶ୍ରମ ବିଭାଗର ହସ୍ତକ୍ଷେପ ପରେ ମଧ୍ୟ ୩ ବର୍ଷ ହେଲା ଉତ୍ପାଦନ ସ୍ବାଭାବିକ ହୋଇପାରୁନି। ଫଳରେ କାରଖାନାରେ କାମ କରୁଥିବା ଶ୍ରମିକ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ ଓ ତାମିଲନାଡ଼ୁ ମୁହାଁ ହୋଇଛନ୍ତି।

ରାୟଗଡ଼ା ବ୍ଲକ୍ ଶେଷଖାଲ ଥାନାର ଅତଡ଼ା ଗ୍ରାମରେ ୨୦୦୭ ମସିହାରେ ଲକ୍ଷ୍ମୀ ବାଲାଜୀ ପାମ ଅଏଲ୍ କାରଖାନା ପ୍ରତିଷ୍ଠା ହୋଇଥିଲା। ପାମ ଅଏଲ୍ ପ୍ରସ୍ତୁତ ପାଇଁ ଆବଶ୍ୟକ କଞ୍ଚାମାଲ ରାୟଗଡ଼ା ଜିଲ୍ଲାରେ ଗଚ୍ଛିତ ଥିବାରୁ କଂପାନି ମାଲିକ କାରଖାନା ପ୍ରତିଷ୍ଠା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କଂପାନି ଆକ୍ଟ ଅନୁଯାୟୀ ଆବଶ୍ୟକ ସବସିଡି ସହ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା ପରେ ୨୦୦୮ରୁ କଂପାନି ଉତ୍ପାଦନ ଆରମ୍ଭ କରିଥିଲା। ଅତଡ଼ା, ଶେଷଖାଲ, ରାମଚନ୍ଦ୍ରପୁର ସମେତ ଆଖପାଖ ଗ୍ରାମର ୩୦୦ରୁ ଉର୍ଧ୍ବ ଶ୍ରମିକ ଏହି କଂପାନିରେ କାମ କରି ଗୁଜୁରାଣ ମେଣ୍ଟାଉଥିଲେ। ଆଖପାଖ ଅଞ୍ଚଳର ହଜାର ହଜାର ଚାଷୀ କଂପାନିକୁ କଞ୍ଚା ମାଲ ଯୋଗାଇ ସ୍ବାବଲମ୍ବୀ ହେବା ସହ ବେଶ୍ ଲାଭବାନ୍ ହେଉଥିଲେ।

୨୦୧୫ ପର୍ଯ୍ୟନ୍ତ କାରଖାନାର ଉତ୍ପାଦନ ସ୍ବାଭାବିକ ରହିଥିଲା। ଉତ୍ପାଦିତ ତେଲକୁ ରିଫାଇନେରୀ ୟୁନିଟକୁ ବିକ୍ରି କରି କଂପାନି ମଧ୍ୟ ଲାଭବାନ୍ ହୋଇଥିଲା। କୌଣସି କାରଣବଶତଃ କାରଖାନା ମାଲିକ ପାର୍ବତୀପୁରମର ଡ. ରାମ ମୋହନ ରାଓ ଆନ୍ଧ୍ରର ଅନ୍ୟ ଜଣେ ଶିଳ୍ପପତିଙ୍କୁ ଏହି କାରଖାନା ବିକ୍ରି କରିଦେବା ପରେ ପରିଚାଳନାଗତ ତ୍ରୁଟି ଯୋଗୁ ୨୦୧୭ ମସିହାରେ କାରଖାନା ବନ୍ଦ ହୋଇ ଯାଇଥିଲା। କାରଖାନା କିଣିଥିବା ନୂଆ ଶିଳ୍ପପତିଙ୍କ ଅନ୍ୟ ଏକ ପାମ୍ ଅଏଲ୍ କାରଖାନା ଆନ୍ଧ୍ରର କୃପମ ଅଞ୍ଚଳରେ ଥିବାରୁ ଜାଣି ଶୁଣି ଓଡ଼ିଶାସ୍ଥିତ କାରଖାନାକୁ ବନ୍ଦ କରି ଦେଇଥିବା ନେଇ କାର୍ଯ୍ୟରତ ଶ୍ରମିକ ଅଭିଯୋଗ କରିଥିଲେ। କାରଖାନାକୁ ପୁଣି ଚଲାଇବା ସହ ଉତ୍ପାଦନକୁ ସ୍ବାଭାବିକ କରିବା ଦାବିରେ ଶ୍ରମିକମାନେ ଗତ ବର୍ଷ ଅତଡ଼ାରେ ରାସ୍ତାରୋକ କରିଥିଲେ। ଶ୍ରମିକ ଆନ୍ଦୋଳନ ଜୋର୍ ଧରିବା ପରେ ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ତ୍ରିସ୍ତରୀୟ କମିଟି ଗଠନ ହୋଇଥିଲା। ପ୍ରଶାସନ-ଶ୍ରମ ବିଭାଗ-କଂପାନି କର୍ତ୍ତୃପକ୍ଷଙ୍କୁ ନେଇ ଗଠିତ କମିଟିର ବୈଠକରେ କଂପାନି କର୍ତ୍ତୃପକ୍ଷ ଯୋଗଦେଇ କଂପାନିରେ କାମ କରୁଥିବା କର୍ମଚାରୀଙ୍କୁ ୬ ମାସ ଓଡ଼ିଶା ଏବଂ ୬ ମାସ ଆନ୍ଧ୍ର କାରଖାନାରେ କାମ କରିବାକୁ କହିଥିଲେ। କଂପାନିର ପ୍ରସ୍ତାବକୁ ଶ୍ରମିକମାନେ ବିରୋଧ କରିବା ପରେ ଆଲୋଚନା ବିଫଳ ହେବା ସହ ଆଜି ପର୍ଯ୍ୟନ୍ତ କୌଣସି ନିର୍ଯ୍ୟାସ ବାହାରି ପାରିନି। ସମସ୍ତ ଶ୍ରମିକଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରି ୨୦୧୮ ମସିହା ଫେବ୍ରୁଆରୀ ୧୫ ତାରିଖରେ କଂପାନି କର୍ତ୍ତୃପକ୍ଷ କାରଖାନା ଫାଟକରେ ବନ୍ଦ ନୋଟିସ୍ ଲଗାଇବା ସହ ଏ ସଂପର୍କିତ ଚିଠି ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ, ଶ୍ରମ ବିଭାଗ, କୃଷି ଓ ଉଦ୍ୟାନ ବିଭାଗ ସଚିବଙ୍କୁ ପ୍ରଦାନ କରିଛି। କାରଖାନା ବନ୍ଦ ପରେ କାର୍ଯ୍ୟରତ ଶ୍ରମିକ ବାହାର ରାଜ୍ୟରେ ଦାଦନ ଖଟୁଥିବା ବେଳେ କିଛି ଶ୍ରମିକ କୃପମ କାରଖାନାରେ କାମ କରୁଛନ୍ତି।

ଶ୍ରମିକଙ୍କ ବହୁ ଦାବି ପରେ ବି କାରଖାନା ପୁନଃ କାର୍ଯ୍ୟକ୍ଷମ ପ୍ରସ୍ତାବକୁ କଂପାନି କର୍ତ୍ତୃପକ୍ଷ ଅଣଦେଖା କରି ଆସୁଥିବା ବେଳେ ଆନ୍ଧ୍ର ୟୁନିଟ୍ ପାଇଁ କଂପାନି ଓଡ଼ିଶାରୁ କଞ୍ଚା ମାଲ୍ ସଂଗ୍ରହ ଜାରି ରଖିଛି। ପ୍ରତିଦିନ ଟନ୍ ଟନ୍ ପରିମାଣର କଞ୍ଚାମାଲ୍ ରାୟଗଡ଼ାର ଖୋସା, ସୁଲୁବା, ଅତଡ଼ା, ଚେନ୍ନାପଡ଼ମ, ମେଟିକେରେଡା, ରାମଚନ୍ଦ୍ରପୁର, ଗାଗନାପେଟା, କାଞ୍ଚିକାୱାଲସା, ବାଣପୁର, ଗାଡ଼ିଶେଷଖାଲ, ଆଚବା, ବିଲେସୁ, ଅମଲାଭଟ୍ଟାରୁ ରପ୍ତାନି ହେଉଛି। ଓଡ଼ିଶା କାରଖାନା ବନ୍ଦ ହୋଇଯିବା ପରେ କଞ୍ଚା ମାଲ ଯୋଗାଉ ଥିବା ଚାଷୀ ପୂର୍ବ ଭଳି ଲାଭ ମଧ୍ୟ ପାଉ ନାହାନ୍ତି। ଏକର ଏକର ଜମିରେ ହୋଇଥିବା ପାମ ଅଏଲ ଗଛ ଚାଷ ପାଇଁ ରାଜ୍ୟ କୃଷି ଓ ଉଦ୍ୟାନ୍ ବିଭାଗ ଚାଷୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଛି। କିନ୍ତୁ କାରଖାନା ଓ କଞ୍ଚାମାଲ ଥାଇ ସୁଦ୍ଧା ଓଡ଼ିଶା କାରଖାନା ବନ୍ଦ ପଡ଼ିବା ସହ ଶ୍ରମିକମାନେ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। କରୋନା ପରିସ୍ଥିତିରେ ସୁଧାର ଆସିବା ପରେ କାରଖାନା କାର୍ଯ୍ୟକ୍ଷମ ନେଇ ପୁଣି ଥରେ କଂପାନି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ। ତୁରନ୍ତ କାରଖାନାକୁ କାର୍ଯ୍ୟକ୍ଷମ କରିବାକୁ ରବି କୁରିଙ୍ଗ୍, କୁଟ୍ରିକା ଶିବା, ରାମକ୍ରିଷ୍ଣା ପାଲକାଙ୍କ ସମେତ ବହୁ ଶ୍ରମିକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର