ଗୁଣି ସନ୍ଦେହରେ ମାରପିଟ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ପୁଣି ଗୁଣି ସନ୍ଦେହରେ ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ନାରାୟଣପୁର ଗ୍ରାମରେ ଗତ କିଛି ଦିନ ହେଲା ଲୋକଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ହେଉଥିଲା। ସେମାନଙ୍କୁ କେହି ଗୁଣି କରି ହତ୍ୟା କରୁଥିବା ନେଇ ଗ୍ରାମବାସୀ ସନ୍ଦେହ କରୁଥିଲେ। ତେବେ ୧୫ଦିନ ତଳେ ଗ୍ରାମବାସୀଙ୍କ ସନ୍ଦେହୀ ନଜର ଗ୍ରାମର ଜାମାଲି ଗୋପଙ୍କ ଉପରେ ପଡ଼ିଥିଲା। ଏହାପରେ ଗ୍ରାମବାସୀ ସଂଘବଦ୍ଧ ଭାବେ ଗୋପକୁ ମାରପିଟ କରିବା ସହ ବିଷ୍ଟା ଖୁଆଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏନେଇ ପୁଲିସ ମାମଲା ରୁଜୁ କରି ନଥିବା ବେଳେ ଗ୍ରାମବାସୀଙ୍କୁ ପଚରା ଉଚୁରା ଜାରି ରଖିଛି। ଏହି ସଂପର୍କରେ ଥାନା ଏଏସଆଇ ସନ୍ତୋଷ କୁମାର ଶିରିକା ପ୍ରକାଶ କରିଛନ୍ତି ଯେ, ଅଭିଯୋଗ ମିଳିବା ପରେ ତଦନ୍ତ ଚାଲିଛି। ପ୍ରମାଣ ମିଳିଲେ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏହି ବ୍ଲକରେ ପୂର୍ବରୁ ଏମିତି ଅନେକ ଘଟଣା ଘଟି ଗାଁ ଗାଁ ମଧ୍ୟରେ ଗଣ୍ଡଗୋଳ ଓ ନିଆଁପାଣି ବାସନ୍ଧ ଭଳି ଘଟଣାର ନଜିର ରହିଛି। ତେବେ ଏହି ଘଟଣା ଆଗକୁ କ’ଣ ରୂପ ନେବ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର