ପିକ୍‌ଅପ ଦୁର୍ଘଟଣାରେ ୧୫ଆହତ

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ପୁଟାସିଂ ପଞ୍ଚାୟତ ଅନ୍ତର୍ଗତ ଆଲିଙ୍ଗର-ଲାଡେ ରାସ୍ତାରେ ଏକ ମ୍ୟାକ୍ସ ପିକ୍‌ଅପ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୧ଜଣ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ଓ ୪ଜଣ ପୁଟାସିଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଓ ୨ଜଣ ନାବାଳିକା ରହିଛନ୍ତି।
ସୂଚନା ଅନୁଯାୟୀ, ଆଜି ସକାଳେ ଆଲିଙ୍ଗର ଓ ଲାଡେ ଗ୍ରାମର କିଛି ହିତାଧିକାରୀ ପିଡିଏସ ଚାଉଳ ଆଣିବା ନିମନ୍ତେ ପୁଟାସିଂ ପଞ୍ଚାୟତ କାର୍ଯ୍ୟାଳକୁ ଯାଇଥିଲେ। ଅପରାହ୍ନ ପ୍ରାୟ ସାଢେ ଗୋଟାଏରେ ସମସ୍ତେ ଚାଉଳ ପାଇଥିଲେ। ପରେ ଏକ ମ୍ୟାକ୍ସ ପିକ୍‌ଅପରେ ଚାଉଳ ଲଦି ସମସ୍ତେ ନିଜ ଗାଁକୁ ଫେରୁଥିଲେ। ତେବେ ଆଲିଙ୍ଗର-ଲାଡେ ଗ୍ରାମରେ ହଠାତ୍‌ ପିକ୍‌ଅପଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଗାଡିରେ ଥିବା ୧୫ଜଣ ଆହତ ହୋଇଥିଲେ। ଆଲିଙ୍ଗର ଗ୍ରାମର ଗର୍ଭବତୀ ମହିଳା ଏଲିଶ୍ୱରୀ ଶବର, ସନ୍ତୋଷିନୀ(୯), ମିକଲନି ଶବର(୧୨), ରୁପୁଡି ଶବର, ପଇନି ଶବର, ପ୍ରମୋଦ ଶବର, ଆଦମ ଶବରଙ୍କ ସହ ଲାଡେ ଗ୍ରାମର ସୁହାଙ୍ଗି ଶବର, ଅବସାଲେମ ଶବର, ସୁକୁମନି ଶବର, ବାସନ୍ତୀ ଶବରଙ୍କୁ ଆମ୍ବୁଲାନ୍‌ସ ଯୋଗେ ପ୍ରଥମେ ପୁଟାସିଂ ଓ ପରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଅଧିକାଂଶଙ୍କ ଅଣ୍ଟା, ମୁଣ୍ଡ ଓ ମୁହଁରେ ଆଘାତ ଲାଗିଥିବା ବେଳେ ୩ଜଣ ଅଚେତ ରହିଛନ୍ତି। ସେହିପରି କରୁଣାକର ଶବର, ଜୀବନ ଦୋରା, ମାଗଦଲନି ଶବର ପୁଟାସିଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ପ୍ରକାଶ ଥାଉକି, ପୁଟାସିଂରୁ ଲାଡେ ଓ ଆଲିଙ୍ଗର ଗ୍ରାମକୁ ସଂଯୋଗ କରୁଥିବା ୮କିଲୋମିଟର ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି। ୮ମାସ ତଳେ ଏହି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ କରିବାକୁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲା। କିନ୍ତୁ ୨ଜଣ ଠିକାଦାରଙ୍କ ବିବାଦ ଯୋଗୁଁ ଅଦ୍ୟାବଧି ରାସ୍ତା କାମ ଆରମ୍ଭ ହୋଇପାରୁନଥିବା ପୂର୍ବତନ ସରପଞ୍ଚ ତ୍ରିନାଥ ଦଳବେହେରା, ପ୍ରଣୟ ମାଳି ପ୍ରମୁଖ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପୁଟାସିଂ ଚିକିତ୍ସାଳୟରେ ଆମ୍ବୁଲାନ୍‌ସ ନଥିବାରୁ ଆଜି ରାମନାଗୁଡା ବ୍ଲକରେ ନିୟୋଜିତ ଆମ୍ବୁଲାନ୍‌ସ ଦ୍ୱାରା ଆହତଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର