ଘରୋଇ କଲେଜରେ ଗଣ୍ଡଗୋଳ, ଛାତ୍ର ଗୁରୁତର

ରାୟଗଡ଼ା: ରାୟଗଡା ସ୍ଥିତ ଏକ ଘରୋଇ ଯୁକ୍ତ୨ ମହାବିଦ୍ୟାଳୟର ଦୁଇ ପ୍ରଥମ ବର୍ଷର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ର ଜଣକ କାଶୀପୁର ଅଞ୍ଚଳର ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ମୋବାଇଲ ଫୋନକୁ କେନ୍ଦ୍ର କରି ପୂର୍ବରୁ ଉଭୟଙ୍କ ମଧ୍ୟରେ ମତାନ୍ତର ରହିଥିଲା। ଗତକାଲି ରାତି ପ୍ରାୟ ୮ରେ ଏହି କାରଣରୁ ପୁଣି ମାରପିଟ୍‌ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଜୟପୁର ଅଞ୍ଚଳର ଛାତ୍ର ଜଣକ ଗୋଟଏ ବ୍ଲେଡରେ କାଶୀପୁର ଅଞ୍ଚଳର ଛାତ୍ରଙ୍କ ଗଳାକୁ କାଟି ନେଇଥିଲେ। ହଷ୍ଟେଲରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆହତ ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ଆହତ ଛାତ୍ର ବିପଦମୁକ୍ତ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି।

କଲେଜ କର୍ତ୍ତୃପକ୍ଷ ଡ଼ାକ୍ତରଖାନାରେ ପହଞ୍ଚି ଛାତ୍ରଙ୍କ ଚିକିତ୍ସା ବ୍ୟବସ୍ଥା କରିଥିଲା। ଉଭୟ ଛାତ୍ରଙ୍କ ଅଭିଭାବକଙ୍କୁ ଡ଼କା ଯାଇଥିବା ଅନୁଷ୍ଠାନର ନିର୍ଦେଶକ ପି.କେ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ଘଟଣାରେ ଥାନାରେ କେହି ଅଭିଯୋଗ କରିନାହାନ୍ତି। ଡ଼ାକ୍ତରଙ୍କ ରିପୋର୍ଟ ଆଧାରରେ ପୁଲିସ ତଦନ୍ତ କରୁଥିବା ନେଇ ଆଇଆଇସି ରବିନ୍ଦ୍ର କୁମାର ପାତ୍ର ସୂଚନା ଦେଇଛନ୍ତି। ଏହି ମାମଲାର ତଦନ୍ତ ପାଇଁ ଶିଶୁ ସୁରକ୍ଷା କମିଟିକୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର