ରାୟଗଡ଼ା ମେଡିକାଲରେ ଶିଶୁ ବଦଳ!:ନବଜାତ ଶିଶୁକନ୍ୟାର ଶବ ନେବାକୁ ମନା କଲେ ପରିବାର

ରାୟଗଡ଼ା: ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସବ ପରେ ଶିଶୁ ବଦଳ ଅଭିଯୋଗ ହୋଇଛି। ଯାହାକୁ ନେଇ ମେଡିକାଲରେ ଆଜି କିଛି ସମୟ ପାଇଁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରସବ ପରେ ଶିଶୁପତ୍ର ଜନ୍ମ ହୋଇଥିବା ନେଇ ପରିବାର ଲୋକ ଦାବି କରିଛନ୍ତି। କିନ୍ତୁ ମେଡିକାଲ କର୍ତୃପକ୍ଷ ଏହାକୁ ଅସ୍ୱୀକାର କରିବାରୁ ବିବାଦ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଜନ୍ମ ହେବାର କିଛି ସମୟରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଦର୍ଶାଇ ମେଡିକାଲ କର୍ତୃପକ୍ଷ ଶବ ଦେଇଥିଲେ। ହେଲେ ଶବ ନେବାକୁ ସଫାସଫା ମନା କରି ଦେଇଥିଲେ ପ୍ରସୂତିଙ୍କ ପରିବାର ଲୋକ। ଅନ୍ୟପକ୍ଷରେ ପ୍ରସୂତିଙ୍କ ଅବସ୍ଥା ଗୁରୁତର ରହିଥିବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଗତକାଲି କାଶୀପୁର ବ୍ଲକ କୁମ୍ଭାରଶୀଳା ଗାଁର ମାଧବ କୁମ୍ଭାରଙ୍କ ସ୍ତ୍ରୀ କବିତା କୁମ୍ଭାରଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ତେଣୁ ମଧ୍ୟାହ୍ନ ପ୍ରାୟ ୧୨ଟାରେ ପରିବାର ଲୋକ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମେଡିକାଲ କର୍ତୃପକ୍ଷ ପ୍ରସୂତି ଓ୍ଵାର୍ଡରେ ଭର୍ତି କରି ଚିକିତ୍ସା ଆରମ୍ଭ କରିଥିଲେ। ରାତି ୧୦ଟାରେ କବିତା ପ୍ରସବ କରିଥିଲେ। ତେବେ ନବଜାତ ଶିଶୁର ଓଜନ ମାତ୍ର ୮ଶହ ଗ୍ରାମ ହୋଇଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଏସଏନସିୟୁରେ ଭର୍ତି କରାଯାଇଥିଲା। ପ୍ରସବ ପରେ କବିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳେ ପରିବାର ଲୋକ ନବଜାତ ଶିଶୁକୁ ଦେଖିବା ପାଇଁ ଚାହିଁବାରୁ ଗୋଟିଏ ଶିଶୁ କନ୍ୟାର ଶବ ଆଣି ଦେଇଥିଲେ ମେଡିକାଲ କର୍ତୃପକ୍ଷ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଗତକାଲି ରାତିରେ ଶିଶୁ ପତ୍ର ଜନ୍ମ ହୋଇଥିବା ନେଇ ନିଜେ ପ୍ରସୂତି ଦେଖିଛନ୍ତି।

ପରିବାର ଲୋକଙ୍କୁ ବି ଏନେଇ କହିଛନ୍ତି। କିନ୍ତୁ ସକାଳୁ ଶିଶୁ କନ୍ୟା ପ୍ରସବ ହୋଇଥିବା ଏବଂ କିଛି ଘଣ୍ଟା ପରେ ମୃତ୍ୟୁ ହୋଇଥିବା ମେଡିକାଲ କର୍ତୃପକ୍ଷ କହୁଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। ଏପରିକି ଶବ ନେବାକୁ ବାଧ୍ୟ କରାଯାଉଥିବା ସଂପର୍କୀୟ ଶିବରାମ କୁମ୍ଭାର ଅଭିଯୋଗ କରିଛନ୍ତି। ତେଣୁ ଶବ ନେବାକୁ ମନା କରି ଦେଇଥିଲେ। ଜିଲ୍ଲା ଚିକିତ୍ସାଳୟ ଏଡ଼ିଏମଓ ଶିବ ପ୍ରସାଦ ପାଢୀ ଏହି ଅଭିଯୋଗକୁ ଅସ୍ୱୀକାର କରି କବିତା ଶିଶୁକନ୍ୟା ପ୍ରସବ କରିଥିଲେ। ଜନ୍ମ ହେବାର କିଛି ସମୟ ପରେ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଥିଲା। ଏଭଳି ଅଭିଯୋଗରେ କୌଣସି ସତ୍ୟତା ନଥିବା ଏଡ଼ିଏମଓ କହିଛନ୍ତି। ଏହି ସଂପର୍କରେ ଥାନା ଆଇଆଇସି ରବିନ୍ଦ୍ର କୁମାର ପାତ୍ର କହିଛନ୍ତି ଯେ, ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଶିଶୁକନ୍ୟାର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ପରିବାର ଲୋକଙ୍କୁ ନୋଟିସ ଦିଆଯିବ। ୭୨ଘଣ୍ଟା ମଧ୍ୟରେ କେହି ନଆସିଲେ ଉପଜିଲ୍ଲାପାଳଙ୍କ ଠାରୁ ଅନୁମତି ଆଣି ନିୟମ ଅନୁଯାୟୀ ସଂସ୍କାର କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର