କାର୍ଯ୍ୟକ୍ଷମ ହେଲା ଥେରୁବାଲି -ରାୟଗଡ଼ା ରେଳ ବ୍ରିଜ

ରାୟଗଡ଼ା: ଗତବର୍ଷ ଜୁଲାଇ ମାସ ୧୬ତାରିଖ ଦିନ ନାଗାବଳୀ ନଦୀର ବନ୍ୟାରେ ଜଳ ଆସିବାରୁ କୁମ୍ଭାରଗୁଡ଼ା ନିକଟସ୍ଥ ରେଳବ୍ରିଜ ଭାସି ଯାଇଥିଲା। ଏହାପରେ ପୋଲ ମରାମତି ହୋଇ ଆଜି ଉଦ୍‌ଘାଟିତ ହୋଇଛି। ସେହିପରି ଉକ୍ତ ବ୍ରିଜ ଦେଇ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି। ସମ୍ବଲପୁର ରେଳ ଡିଭିଜନ ଡିଆରଏମ ବିନୟ କୁମାରଙ୍କ ଉପସ୍ଥିତିରେ ବରିଷ୍ଠ ଟ୍ରାକମ୍ୟାନଙ୍କ ଦ୍ୱାରା ଉକ୍ତ ସେତୁକୁ ଉଦ୍‌ଘାଟନ କରାଯାଇଥିଲା।

ସୂଚନାଯୋଗ୍ୟ ବନ୍ୟାରେ କୁମ୍ଭାରଗୁଡ଼ା ନିକଟରେ ଥିବା ରାୟଗଡ଼ା -ଥେରୁବାଲି ରେଳବାଇ ସେତୁ ଭାସି ଯାଇଥିଲା। ଏହାପରେ ରେଳବାଇ କର୍ତ୍ତୃପକ୍ଷ ୩୨କୋଟି ଟଙ୍କା ବ୍ୟୟରେ ଯୁଦ୍ଧକାଳୀନ ଭିତ୍ତିରେ ୨୦୦ଦିନ ମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟ ସଂପନ୍ନ କରିଛନ୍ତି। ଏହି ସେତୁ ଭାସିଯିବା ପରେ  ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ୬ଟି ଟ୍ରେନକୁ ରେଳବାଇ କର୍ତ୍ତୃପକ୍ଷ ବାତିଲ କରିଦେଇଥିଲେ। ଯାହାଫଳରେ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଦୁଇ ମାସ ତଳେ ଦୁଇଟି ଟ୍ରେନକୁ ସପ୍ତାହକୁ ତିନି ଦିନ ଚଳାଚଳ କରିବା ଆରମ୍ଭ କରିଥିଲେ। ବର୍ତମାନ ରାସ୍ତା ସ୍ୱାଭାବିକ ହେବାରୁ ବନ୍ଦ ରହିଥିବା ଟ୍ରେନ ଗୁଡ଼ିକ ପୂର୍ବଭଳି ନିର୍ଦ୍ଧାରିତ ସମୟରେ ନିୟମିତ ଚଳାଚଳ ଆରମ୍ଭ କରିବ ବୋଲି ରେଳବାଇ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷରେ କଲ୍ୟାଣୀ ନଦୀରେ ଦ୍ୱାରସାହି ନିକଟ ଗ୍ରାମ୍ୟ ଉନ୍ନୟନ ବିଭାଗର ସେତୁ ମଧ୍ୟ ଭାସିଯିବାର ପ୍ରାୟ ୧୦ ମାସ ବିତିଯାଇଛି। କିନ୍ତୁ ନୂତନ ସେତୁ ନିର୍ମାଣ ପାଇଁ ବର୍ତମାନ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଯାହାଫଳରେ ନିୟମଗିରି ଅଞ୍ଚଳର ଗର୍ଭବତୀ ମହିଳା କଲ୍ୟାଣସିଂହପୁର ହାସ୍ପିଟାଲ ଯିବାରେ ସମସ୍ୟାର ସମ୍ମୁଖୀନ ହୋଇ ରାସ୍ତାରେ ପ୍ରସବ ଭଳି ଘଟଣା ଘଟୁଛି। ଚଳିତ ବର୍ଷା ଋତୁରେ ମଧ୍ୟ ଅନୁରୂପ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଥିବାରୁ ଜିଲ୍ଲା ପ୍ରଶାସନ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର