ବ୍ୟବସାୟୀଙ୍କଠୁ ୯ଲକ୍ଷ ଲୁଟ୍:ସନ୍ଦିଗ୍ଧକୁ ଧରିଲା ପୁଲିସ

ରାୟଗଡା: ରାୟଗଡା ସ୍ଥିତ ଆନ୍ଧ୍ର ବ୍ୟାଙ୍କ ସମ୍ମୁଖରୁ ଜଣେ ଔଷଧ ବ୍ୟବସାୟୀଙ୍କ ଠାରୁ ୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଶ୍ରୀରାମ ଗନ୍ତାୟତଙ୍କଠୁ ଟଙ୍କା ବ୍ୟାଗ୍ ଝାମ୍ପି ନେଇ ଦୁର୍ବୃତ୍ତ ଏକ ପଲସର ବାଇକରେ ଆଖି ପିଛୁଳାକେ ପଳାଇ ଯାଇଥିଲେ। ରାୟଗଡା ଅତିରିକ୍ତ ଏସପି ଅଶୋକ ସାହୁ, ଏସଡିପିଓ ରାଜ କିଶୋର ଦାସ ବ୍ୟାଙ୍କରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ୍ ଛାନଭିନ୍ ଆରମ୍ଭ କରିଥିବା ବେଳେ କୋରାପୁଟ-ରାୟଗଡା-ବ୍ରହ୍ମପୁର ଓ ରାୟଗଡା-ପାର୍ବତୀପୁରମ୍ ରୁଟରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିଛି। ପେଟ୍ରୋଲିଂ ସମୟରେ କିଛି ସନ୍ଦିଗ୍ଧଙ୍କୁ ପୁଲିସ ଅଟକ ରଖି ଜେରା ଆରମ୍ଭ କରିଛି।
ଆଜି ଅପରାହ୍ନ ୩ଟାରେ ଔଷଧ ବ୍ୟବସାୟୀ ଶ୍ରୀରାମ ଗନ୍ତାୟତ ନ୍ୟୁ କଲୋନି ସ୍ଥିତ ଆନ୍ଧ୍ର ବ୍ୟାଙ୍କକୁ ଟଂକା ଉଠାଇବାକୁ ଯାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ପୂର୍ବରୁ ହିଁ ଦୁଇ ଦୁର୍ବୃତ୍ତ ବ୍ୟାଙ୍କ ପରିସରରେ ଛପି ରହିଥିଲେ। ଶ୍ରୀରାମ ୯ଲକ୍ଷ ଟଂକା ଉଠାଇବା ପରେ ଏକ ବ୍ୟାଗରେ ଭର୍ତି କରି ବ୍ୟାଙ୍କରୁ ବାହାରିଥିଲେ। ସଂଗେ ସଂଗେ ଦୁର୍ବୃତ୍ତମାନେ ବ୍ୟାଙ୍କ ସମ୍ମୁଖରେ ହିଁ ଶ୍ରୀରାମଙ୍କଠୁ ଟଂକା ବ୍ୟାଗ ଛଡାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଶ୍ରୀରାମ ଟଂକା ବ୍ୟାଗ ନ ଛାଡିବାରୁ ଦୁର୍ବୃତ୍ତ ଓ ଶ୍ରୀରାମଙ୍କ ମଧ୍ୟରେ ଠେଲା ପେଲା ହୋଇଥିଲା। ବିଚ୍ ରାସ୍ତାରେ, ସର୍ବ ସମ୍ମୁଖରେ ଦୁର୍ବୃତ୍ତମାନେ ଟଂକା ବ୍ୟାଗ ଲୁଟ୍ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକମାନେ ଘଟଣା ସଂପର୍କରେ କିଛି ଜାଣିପାରିନଥିଲେ। କିଛି ସମୟ ଧସ୍ତାଧସ୍ତି ପରେ ଦୁର୍ବୃତ୍ତମାନେ ଶ୍ରୀରାମଙ୍କଠୁ ଟଂକା ବ୍ୟାଗ ଛଡାଇ ନେବାରେ ସକ୍ଷମ ହୋଇଥିଲେ। ଏକ ପଲସର ବାଇକ୍ ଯୋଗେ ୨ ଲୁଟେରା ଟଂକା ବ୍ୟାଗ ନେଇ ପଳାଇ ଥିବା ବେଳେ ଆଖାପାଖରେ ଥିବା ଅନ୍ୟ ସହଯୋଗୀଙ୍କ ସଂପର୍କରେ କିଛି ସୁରାକ୍ ମିଳିପାରିନି। ଘଟଣା ପରେ ବରିଷ୍ଠ ପୁଲିସ୍ ଅଧିକାରୀ, ଟାଉନ୍ ଥାନା ପୁଲିସ୍ ବ୍ୟାଙ୍କରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା। ତେବେ ଆନ୍ଧ୍ର ବ୍ୟାଙ୍କ ବାହାରେ କୌଣସି ସିସିଟିଭି ଲାଗି ନଥିବାରୁ ପୁଲିସ୍ ଦୁର୍ବୃତ୍ତଙ୍କୁ ଠାବ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅତିରିକ୍ତ ଏସପି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଲୁଟେରାଙ୍କୁ କାବୁ କରିବା ପାଇଁ କୋରାପୁଟ, ବ୍ରହ୍ମପୁର ଓ ଆନ୍ଧ୍ର ପୁଲିସକୁ ସୂଚନା ଦିଆଯାଇଥିବା ଏସଡିପିଓ ରାଜ କିଶୋର ଦାସ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। କିଛି ମାସ ହେଲା ରାୟଗଡା ସହରରୁ ବାରମ୍ବାର ଚୋରି ହେଉଥିବାରୁ ପୁଲିସ୍ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର