ତେରେନାମ ଘାଟିରେ ଲୁଟ୍‌

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହାକୁମା ବଡଦ୍ୱାର ସାହିର ବ୍ୟବସାୟୀଙ୍କୁ ଲୁଟିଛନ୍ତି ଦୁର୍ବୃତ୍ତ। ଧର୍ମଗଡ ଯିବା ରାସ୍ତାରେ ଛୁରି ଦେଖାଇ ୮ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏନେଇ ସଂପୃକ୍ତ ବ୍ୟବସାୟୀଙ୍କ ପକ୍ଷରୁ ଭବାନୀପାଟଣା ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି। ସୂଚନା ଅନୁଯାୟୀ, ସ୍ଥାନୀୟ ବ୍ୟବସାୟୀ କୃଷ୍ଣ କୌଶଲ୍ୟା, ଘାସି ଭତ୍ରା, ଜଗତ ନାଏକ ପ୍ରମୁଖ ଗୋଟିଏ କାରରେ ଧର୍ମଗଡ ଯାଉଥିଲେ। ସକାଳ ପ୍ରାୟ ୭ଟାରେ ଭବାନୀପାଟଣା ନିକଟସ୍ଥ ତେରେନାମ ଘାଟିରେ ପାଞ୍ଚ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ସେମାନଙ୍କ ଗାଡିକୁ ଅଟକାଇଥିଲେ। ଗାଡିରୁ ଓହ୍ଲାଇବା ପରେ ସମସ୍ତଙ୍କ ମୋବାଇଲ ପ୍ରଥମେ ଛଡାଇ ନେଇଥିଲେ। ଏହାପରେ ଟଙ୍କା ଦେବାକୁ ଧମକ ଦେଇଥିଲେ। ଟଙ୍କା ନଥିବା କହିବାରୁ ମାରପିଟ୍‌ କରିଥିଲେ। ପରବର୍ତୀ ସମୟରେ ଗାଡିରେ ଥିବା ୮ଲକ୍ଷ ଟଙ୍କା ନେଇ ସେଠାରୁ ଚାଲି ଯାଇଥିଲେ। ଏଭଳି ଘଟଣା ଉକ୍ତ ଅଞ୍ଚଳରେ ବାରମ୍ବାର ଘଟୁଥିବାରୁ ଲୋକେ ସେହି ରାସ୍ତା ଦେଇ ଯାଆସ ପାଇଁ ଭୟ କରୁଛନ୍ତି। କଲ୍ୟାଣସିଂହପୁର ଠାରୁ ଭବାନୀପାଟଣା ୬୦ କିମି ହେଉଥିବା ବେଳେ ଅମ୍ବାଦୋଳା ଦେଇ ଶହେରୁ ଊର୍ଧ୍ୱ କିମି ଦୂର। ତେଣୁ ଅଳ୍ପ ଦୂର ହେଉଥିବାରୁ ତେରେନାମ ଘାଟିରେ ହିଁ ଲୋକେ ଯାଉଥିବା ବେଳେ ଏଭଳି ଲୁଟର ଶିକାର ହେଉଥିବା କୁହାଯାଉଛି। ପୁଲିସ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର