ରାୟଗଡା କୋର୍ଟରେ ସବ୍ୟସାଚୀ ହାଜର

ରାୟଗଡ଼ା: ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜି ବ୍ରହ୍ମପୁର ଜେଲରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାୟଗଡା ଆଣି ସିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ୨୦୦୨ ମସିହାରେ ଭୁଜବଳ ନିକଟରେ ପୁଲିସ ଭ୍ୟାନକୁ ଲକ୍ଷ୍ୟ କରି ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟଣାରେ ଆଜି ଶୁଣାଣି କରାଯାଇଥିଲା। ତତ୍କାଳୀନ ଚାନ୍ଦିଲି ଏଏସଆଇ ଲଳିତ ମୋହନ ପଣ୍ଡା ମାନ୍ୟବର ସିଜେଏମଙ୍କ କୋର୍ଟରେ ବିସ୍ଫୋରଣ  ସ୍ଥଳରୁ ଜବତ ସାମଗ୍ରୀ ସଂପର୍କରେ ବୟାନ ଦେଇଥିଲେ। ଏହାପରେ ପରବର୍ତ୍ତୀ ଶୁଣାଣି ଜୁନ ୨୫ ତାରିଖ ପାଇଁ  ସ୍ଥିର କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୦୨ ମସିହା ଡିସେମ୍ବର ମାସ ୪ତାରିଖ ଦିନ  କୋରାପୁଟ ପୁଲିସର ଫୁଟବଲ ଦଳ ବ୍ରହ୍ମପୁରରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୋରାପୁଟ ଫେରୁଥିଲେ। ସନ୍ଧ୍ୟା ସାଢେ ୬ଟାରେ ଭୁଜବଳ(ମିଟ୍‌ସ କଲେଜ) ନିକଟରେ ଯବାନଙ୍କ ଗାଡିକୁ ଲକ୍ଷ୍ୟରେ ରଖି ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରାଯାଇଥିଲା। ସୌଭାଗ୍ୟ ବଶତଃ କେହି ପ୍ରାଣ ହରାଇ ନଥିଲେ ମଧ୍ୟ ୫ଜଣ ଓଏଏସପି ଯବାନ ସାମାନ୍ୟ ଆହତ ହୋଇଥିଲେ। ଏହି ବିସ୍ଫୋରଣରେ ମାଓନେତା ସବ୍ୟସାଚୀଙ୍କ ସଂପୃକ୍ତି ଥିବା ଦର୍ଶାଇ ଚାନ୍ଦିଲି ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା।

ସମ୍ବନ୍ଧିତ ଖବର