ନିୟମଗିରି ପାହାଡ଼ରୁ ଶୁଭୁଛି ଅ.. ଆ.. ଡାକ, ଡଙ୍ଗରିଆଙ୍କ ଆଶାର ଆଲୋକ ଶାନ୍ତନୁ ଅପା

ରାୟଗଡା, (ନବୀନ ଚନ୍ଦ୍ର ସାହୁ): ନିୟମଗିରିର ଶାନ୍ତନୁ ଅପା। ଘର କଟକ ଜିଲ୍ଲାର ଅଏନପୁରରେ। କର୍ମଭୂମି ଭାବେ କିନ୍ତୁ ବାଛି ନେଇଛନ୍ତି ଡଙ୍ଗରିଆ କନ୍ଧଙ୍କ ପ୍ରିୟ ନିୟମଗିରିକୁ। ଶିକ୍ଷା, ସଂସ୍କୃତି, ବିକାଶ ଓ ସଭ୍ୟତାଠୁ ବହୁ ଦୂରରେ ଥିବା ଡଙ୍ଗରିଆ ପିଲାଙ୍କ ପାଇଁ ସାଜିଛନ୍ତି ଆଶାର ଆଲୋକ। ଜୀବନର ଏକ ମାତ୍ର ଲକ୍ଷ୍ୟ ଜଙ୍ଗଲ ମୁହାଁ ଡଙ୍ଗରିଆଙ୍କ ହାତରେ ଟାଙ୍ଗିଆ ବଦଳରେ ଧରାଇବେ ଖଡି, କଲମ ଓ ବହି। ଲକ୍ଷ୍ୟ ହାସଲ କଷ୍ଟସାଧ୍ୟ ସତ୍ବେ ଶାନ୍ତନୁଙ୍କ ଅହରହ ଉଦ୍ୟମ ବଳରେ ନିୟମଗିରିର ପାହାଡ ଖୋଲରୁ ଏବେ ପ୍ରତ୍ୟେହ ଶୁଭୁଛି ଅ.. ଆ.. ର ଡାକ ସହ ରଘୁପତି ରାଘବ ରାଜାରାମ.. ସଂଗୀତର ଧୁନ୍। ଧୀରେ ଧୀରେ ଶିକ୍ଷା ପ୍ରତି ଆକର୍ଷିତ ହେଉଛନ୍ତି ଡଙ୍ଗରିଆ ଛାତ୍ରଛାତ୍ରୀ।

ପ୍ରଥମେ ଶାନ୍ତନୁଙ୍କ ଏହି ଉଦ୍ୟମକୁ ଡଙ୍ଗରିଆ ବିରୋଧ କରିଥିଲେ, ହେଲେ ଏବେ ଅନ୍ଧ ବିଶ୍ବାସର ଅନ୍ଧାର ଗଳିରୁ ବାହାରି ଆସି ସାମିଲ୍ ହୋଇଛନ୍ତି ପାଠଶାଳାରେ। ୬୫ ବର୍ଷୀୟା ଶାନ୍ତନୁ ମହାପାତ୍ର। ଅପା ନାମରେ ପରିଚିତ ନିୟମଗିରି ଇଲାକାରେ। ସ୍ବାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀଙ୍କ ଆଦର୍ଶ ଓ ପ୍ରେରଣାରେ ୧୯୯୮ ମସିହାରେ କଟକରୁ ଆସି ସେବିକା ଭାବେ ଯୋଗ ଦିଅନ୍ତି ବିଷମକଟକ ବ୍ଲକ୍ ଖମ୍ବେସି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ। ସ୍ବଳ୍ପ ଦରମାରେ ଅପହଞ୍ଚ ଇଲାକାରେ କାମ କରିବା ସହିତ ଡଙ୍ଗରିଆଙ୍କୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ୍ କରିବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରନ୍ତି।

ଏହା ଭିତରେ ବିତିଗଲାଣି ପ୍ରାୟ ୨୦ ବର୍ଷ। ହେଲେ କର୍ମଭୂମିର ମୋହରୁ ମୁକ୍ତି ପାଇ ପାରୁନାହାନ୍ତି ଶାନ୍ତନୁ ଅପା। ଡଙ୍ଗରିଆ ପିଲାଙ୍କ ଆଶା ଏବଂ ଭରସାର ପାଳିତ ମା’ ଭାବେ ଦାୟିତ୍ବ ନିର୍ବାହ କରି ଆସୁଛନ୍ତି। ୨୦ ଜଣ ଛାତ୍ରଛାତ୍ରୀ ପାଠଶାଳାରେ ପଢ଼ୁଥିବା ବେଳେ ସେମାନଙ୍କ ରହିବା ପାଇଁ ଆଶ୍ରମ ବ୍ୟବସ୍ଥା ମଧ୍ୟ କରିଛନ୍ତି। ଝାଟିମାଟିର ଚାଳ ଛାଉଁଣୀ ପାଠଶାଳା ଓ ଆଶ୍ରମରେ ନିୟମିତ ଚାଲିଛି ଶିକ୍ଷାଦାନ। ଯେଉଁ କୋମଳ ହାତ ବର୍ଷ ବର୍ଷ ଧରି ଟାଙ୍ଗିଆରେ ଗଛ ହାଣିବା ସହ ଜଙ୍ଗଲରୁ ବନଜାତ ଦ୍ରବ୍ୟ ସଂଗ୍ରହ କରୁଥିଲା ଆଜି ‌ସେହି ହାତ ଖଡି, କଲମ ଧରି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ପ୍ରୟାସ କରୁଛି। ପ୍ରତିକୂଳ ପରିସ୍ଥିତି ସତ୍ବେ ଶାନ୍ତନୁ ୨୦ ବର୍ଷର ସଂଗ୍ରାମରେ ପଛକୁ ଫେରି ନାହାନ୍ତି କିମ୍ବା ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇ ନାହାନ୍ତି। ଅଧାରୁ ପାଠ ଛାଡ଼ୁଥିବା ଆଦିବାସୀ ଓ ଡଙ୍ଗରିଆ ପିଲାଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେବା ସହ ସେମାନଙ୍କୁ ସ୍କୁଲ ଯିବାକୁ ପ୍ରେରଣା ଯୋଗାଉଛନ୍ତି। ପ୍ରଥମେ ଆଦିବାସୀ ଶାନ୍ତନୁଙ୍କୁ ଏହି ପ୍ରୟାସକୁ ବିରୋଧ କରୁଥିଲେ। କିନ୍ତୁ ପରେ ତାଙ୍କ ନିଷ୍ଠାପର ସାଧନା ଏବଂ ସେବା ମନୋବୃତ୍ତି ଦେଖି ପରିବର୍ତନ ହେବା ସହ ପିଲାଙ୍କୁ ଆଶ୍ରମରେ ଛାଡିବାକୁ ଲାଗିଛନ୍ତି।

ସମ୍ବନ୍ଧିତ ଖବର