ଜବତ ହେଲା ଦୁର୍ଘଟଣା ଘଟାଇଥିବା ଟିପ୍ପର

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଡମ୍ବସରା ପଞ୍ଚାୟତ ଅନ୍ତର୍ଗତ ଲବା ଗ୍ରାମ ନିକଟସ୍ଥ ଏକ ପଥର କୁଆଁରିରେ ଦୁର୍ଘଟଣା ଘଟି ଗତକାଲି ଅପରାହ୍ନରେ ଜଣେ ମହିଳା ଶ୍ରମିକଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ମଧ୍ୟାହ୍ନରେ ପୁଟାସିଂ ପୁଲିସ ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣାରେ ପୁଲିସ ଏକ ଟିପ୍ପରକୁ ଜବତ କରିଛି।
ପ୍ରକାଶ ଥାଉକି, ଲବା ଗ୍ରାମ ନିକଟସ୍ଥ ଏକ ପଥର କୁଆଁରିକୁ ବିଆରଏସି କଂପାନି ବି. ରାମଲିଙ୍ଗା କନଷ୍ଟ୍ରକ୍ସନ ନାଁରେ ତହସିଲ ପକ୍ଷରୁ ଲିଜ୍‌ ଆକାରରେ ଦିଆଯାଇଛି। ଏହି କୁଆଁରିରୁ ପଥର ଓ ମେଟାଲ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି। ଗତକାଲି ଅପରାହ୍ନରେ ପାହାଡ ଉପରେ ପଥର ଲୋଡିଂ ହେଉଥିବା ଏକ ଟିପ୍ପର ହଠାତ୍‌ ତଳକୁ ଖସୁଥିବା ଦେଖି ଗାଡିର ହେଲପର ପ୍ରାଣ ବିକଳରେ ତଳକୁ ଡେଇଁବା ସମୟରେ ପଥର ବାଜି ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟପଟେ ଟିପ୍ପରଟି ତଳକୁ ଖସି ଯାଇ ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଏହି ଟ୍ରାକ୍ଟରରେ ମେଟାଲ ଲୋଡ କରୁଥିବା ମହିଳା ଶ୍ରମିକ ଗେଲ୍‌ ଶବରଙ୍କ ଉପରେ ଟିପ୍ପର ମାଡିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଟ୍ରାକ୍ଟରକୁ ଧକ୍କା ଦେବା ପରେ ଟିପ୍ପରଟି ଓଲଟି ପଡିଥିବା ବେଳେ ଏହି ଦୁର୍ଘଟଣାରେ ଶ୍ରୀମନ୍ତି ଶବର ଓ କିରଣ ଶବର ଗୁରୁତର ହୋଇଥିଲେ। ଉଭୟଙ୍କୁ ଗୁଣପୁର ଓ ପରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ ଘଟଣାସ୍ଥଳରୁ ଶବ ଉଦ୍ଧାର କରାଯାଇ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ପୁଟାସିଂ ପୁଲିସ ଏନେଇ କେଶ୍‌ ନଂ-୭୪/୧୮ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଆଜି ଗୁଣପୁର ଉପଖଣ୍ଡ ଚିକିିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତକଙ୍କ ପରିବାରକୁ ଆଜି ସଂପୃକ୍ତ କଂପାନି ପକ୍ଷରୁ ୨ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର