କାଶୀପୁର: ବିବାହର ପ୍ରତିଶ୍ରୁତି ଦେଇ ଜଣେ ବିବାହିତ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ରାୟଗଡା ଜିଲ୍ଲା କାଶୀପୁର ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, କାଶୀପୁର ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହ ସେହି ଗ୍ରାମର ଜଣେ ଯୁବତୀଙ୍କ ମଧ୍ୟରେ ଦୀର୍ଘବର୍ଷ ହେଲା ପ୍ରେମ ସଂପର୍କ ରହିଥିଲା। ଯୁବକ ଜଣକ ରାୟଗଡାରେ ଇଂଜିନିୟରିଂ ପାଠ ପଢୁଥିବା ବେଳେ ଯୁବତୀ ଜଣକ ନିଜ ଗାଁରେ ରହୁଥିଲେ। ତେବେ ଗତ ୮ମାସ ତଳେ ଯୁବତୀଙ୍କୁ ପରିବାର ଲୋକ ଅନ୍ୟତ୍ର ବିବାହ କରାଇଥିଲେ। କୌଣସି କାରଣରୁ ବିବାହର ମାସକ ପରେ ମହିଳା ଜଣକ ସ୍ୱାମୀଙ୍କ ଘରେ ନରହି ନିଜ ବାପା ଘରକୁ ଫେରି ଆସିଥିଲେ। ପୁଣି ଥରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ଇତି ମଧ୍ୟରେ ମହିଳା ଜଣକ ଗର୍ଭବତୀ ଥିବା ନେଇ କିଛି ଦିନ ତଳେ ପ୍ରେମିକଙ୍କୁ କହିଥିଲେ। କିନ୍ତୁ ଯୁବକ ଜଣକ ବିବାହ କରିବାକୁ ମନା କରିବାରୁ ପୀଡିତା ଜଣକ ସମସ୍ତ ବିଷୟ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ମଧ୍ୟ ଉଭୟଙ୍କ ମଧ୍ୟରେ ସଂପର୍କ ରହିଥିଲା। ଗତ ସୋମବାର ରାତିରେ ଉଭୟଙ୍କୁ ଅସଂଯତ ଅବସ୍ଥାରେ କିଛି ଲୋକ ଦେଖିବାକୁ ପାଇଥିଲେ। ପରେ ଏହାକୁ ନେଇ ଗାଁରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଯୁବକ ଜଣକ ବିବାହ କରିବାକୁ ମନା କରିବାରୁ ପୀଡିତା ଗତକାଲି ସଂଧ୍ୟାରେ କାଶୀପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଭୀମସେନ ଶବର ସୂଚନା ଦେଇଛନ୍ତି।